Latest

ଆମେ ବି ଚିହ୍ନି ଜାଣୁ ପାଣି

Author: 
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ
Source: 
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ଜଳର ମାନକୁ ନେଇ ସାଧାରଣ ଜନତା ପ୍ରାୟ ଅଜ୍ଞାନୀ ରହୁଥିବା ବେଳେ ନୂଆପଡ଼ା ଜିଲ୍ଲାର ୨୯ଟି ଗାଁର ଉଦାହରଣ କହେ ଯେ ଗାଁ ଲୋକେ ବି ସହଜରେ ଜାଣିପାରିବେ ପିଇବା ପାଣିର ମାନ ଏବଂ ନେଇ ପାରିବେ ଉପଯୁକ୍ତ ନିଷ୍ପତ୍ତି।

ପ୍ରଦୂଷିତ କି ନୁହଁ- ଚାଲିଛି ପରୀକ୍ଷଣ ସେହି ଆଷାଢ ମାସିଆ ସକାଳର ଠୁଟିବର ଗାଁ ମଝିରେ ଥିବା ଯଜ୍ଞ ମଣ୍ଡପ ସାମନାରେ ଜମା ହୋଇଥିବା ବାଳକ-ବାଳିକା ମହିଳା-ପୁରୁଷଙ୍କ ମଧ୍ୟରେ ଥିଲା ଉତ୍ସାହ ଓ ଉଦ୍ଦୀପନା। ପେଡିରୁ ରଙ୍ଗ ବେରଙ୍ଗର ଜାଳୀୟ ଦ୍ରବ୍ୟ ଥିବା ବୋତଲ ଆଦି ବାହାର କରି ବୁଝାଉଥାନ୍ତି ଓ ଦେଖାଉଥାନ୍ତି ଆରସିଡିସିର କର୍ମୀ ଆଶୀଷ ଖମାରୀ। ଆଶୀଷ କହିବା ଅନୁସାରେ ଭିଡ ମଧ୍ୟରୁ ଲୋକେ ସାମିଲ ହୋଇ କିଏ ପାଣି ଢାଳୁଥାନ୍ତି ତ ଅନ୍ୟ କିଏ ସେଥିରେ ରସାୟନ ପକାଉଥାନ୍ତି. ଆଉ କିଏ କିଏ କୋଉ ରଙ୍ଗ ହେଲା ତାହା ଦେଖି ଅନ୍ୟକୁ ଦେଖାଉଥାନ୍ତି ଓ ବହିରେ ଥିବା ରଙ୍ଗ ସହିତ ତାହାକୁ ମିଳାଇ ନିଜନିଜ ମଧ୍ୟରେ ଆଲୋଚନା କରୁଥାନ୍ତି। ଉପସ୍ଥିତ ଥିବା ସମସ୍ତେ ଆଗ୍ରହର ସହିତ ସବୁ ଦେଖୁଥାନ୍ତି ଓ ଶୁଣୁଥାନ୍ତି। ସେଦିନ ଆଶିଷ ଗାଁର ଲୋକଙ୍କୁ ଦେଖାଉଥିଲେ ସେମାନେ କେମିତି ନିଜେ ଜଳରେ କେଉଁ ରସାୟନ କେତେ ଅଛି ତାହା ସହଜରେ ପରିକ୍ଷା କରି ଜାଣିପାରେବେ। ପ୍ରାୟ ଘଣ୍ଟାଏ ଉପରେ ଏମିତି ଚାଲିବା ପରେ ଆଶିଷ ପଚାରିଲେ, ତାହାହେଲେ ଏବେ କ'ଣ କରିବା ? ସଙ୍ଗେସଙ୍ଗେ ଉତ୍ତର ଆସିଲା, "ଏବେ ଆମ ଗାଁର ସବୁ କୂଅ ଓ ନଳକୂଅର ପାଣି ପରୀକ୍ଷା କରିବା, ଜାଣିବା ଆମେ ଯେଉଁ ପାଣିକୁ ଭଲ ଭାବି ଏଯାଏ ପିଇ ଆସୁଛୁ ତାହା କେମିତି'। ସେହି ପ୍ରଥମ ଉତ୍ତର ଆସିଥିଲା ୩୨ ବର୍ଷର ମାଟ୍ରିକ ପଢୁଆ ଯୁବକ ଲୟ ବେମାଲଙ୍କ ଠାରୁ।

ଏଥର ଆଶିଷ ବୋତଲ ବର୍ତ୍ତି ସେହି ବ୍ୟାଗକୁ ଦେଇଦେଲେ ଲୟଙ୍କୁ। ସାଙ୍ଗରେ ଥିଲେ ଧନମାଲି ଶବରଙ୍କ ଭଳି ଏମ୍‍.ଏ. ପଢୁଆ ଯୁବକ, ପଙ୍କଜିନି ଶବରଙ୍କ ବହଳି ଗୃହିଣୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ମାଝୀ ଗ୍ରାମର ମହିଳା-ପୁରୁଷ ଓ ଯୁବକ-ଯୁବତୀ ଏବଂ ଏସ୍‍.ଇ.ଏମ୍‍. ଭଗବାନ ମହାନନ୍ଦ। ଅତି ଆଗ୍ରହରେ ସେମାନେ ପରୀକ୍ଷା କରିଚାଲିଲେ ନିଜ ବସ୍ତିରେ ଥିବା ସମସ୍ତ ଜଳଉତ୍ସ ଏବଂ ଲେଖି ଚାଲିଲେ କେଉଁ ପାଣିରେ କେଉଁ ରସାୟନ କେତେ ମାତ୍ରାରେ ଅଛି। ଗାଁ ଜଳ ପରିମଳ କମିଟୀ ନେଉଥିଲା ନେତୃତ୍ୱ। ଏମିତି ଭାବରେ ନୂଆପଡ଼ା ଜିଲ୍ଲାର ଦୁଇଟି ବ୍ଲକର ପାଞ୍ଚଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ଜଳଉତ୍ସର ପରୀକ୍ଷା କରିଚାଲିଲେ ନିଜେ ଗ୍ରାମବାସୀ। ଅବଶ୍ୟ ତାହାଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ସ୍ଥାନରେ ରହୁଥିଲେ ଆରସିଡିସିର କର୍ମୀ ଓ ସେହି ସ୍ଥାନର ଏସ୍‍.ଇ.ଏମ୍‍.। ନୁଆପଡ଼ା ଜିଲ୍ଲାର ସାଇପଲା, ନୂଆଗାଁ, କୁରେଶ୍ୱର, ଭାଲେଶ୍ୱର ଓ ବେଲଟୁକୁରୀ ପଞ୍ଚାୟତର ସମୁଦାୟ ୪୪୮ଟି ଜଳଉତ୍ସରୁ ଜଳ ନମୂନା ସଂଗ୍ରହ କରି ସେହି ସ୍ଥାନରେ ହିଁ ସର୍ବସମ୍ମୁଖରେ ନିର୍ଣ୍ଣୟ ହେଉଥିଲା ଜଳର ମାନ। ଫ୍ଲୋରାଇଡ୍‍ ସହିତ ଲୌହ, କ୍ଲୋରାଇଡ୍‍, ଅମ୍ଳ ଭଳି ଦଶଟି ରସାୟନର ମାତ୍ରା ପରୀକ୍ଷା ହେଉଥିଲ ସେହି ପରୀକ୍ଷଣରୁ।

ପାଞ୍ଚଟି ପଞ୍ଚାୟତର ୯୧ଟି ଉତ୍ସରେ ଅତ୍ୟଧିକ ଫ୍ଲୋରାଇଡ୍ଜଣା ପଡିଛି  ବିଭିନ୍ନ ପଞ୍ଚାୟତ ରେ ଅତ୍ୟଧିକ ଫ୍ଲୋରାଇଡ୍ଥିବା ପାନୀୟ ଜଳ ଉତ୍ସର ସଂଖ୍ୟା :

ପଞ୍ଚାୟତ

୫ମିଗ୍ରା/ଲିଟର

୩ମିଗ୍ରା/ଲିଟର

୨ମିଗ୍ରା/ଲିଟର

.୫ମିଗ୍ରା/ଲିଟର

ବେଲଟୁଜରି

୦୧

୦୧      

୦୦      

୧୫

କୁରେଶ୍ୱର

୦୬

୦୬

୦୮      

୧୮

ଭାଲେଶ୍ୱର

୦୦      

୦୦      

୦୦      

୦୨

ନୂଆଗାଁ  

୦୦

୦୦

୦୨

୧୩

ସାଇପଲା

୦୩      

୦୦      

୦୦      

୦୭

 


ଉପରୋକ୍ତ ୫ଟି ଗ୍ରାମ ପଞ୍ଚାୟତର ୨୯ଟି ରାଜସ୍ୱ ଗ୍ରାମରେ ଥିବା ମୋଟ ୪୪୩ ଜଳଉତ୍ସ ମଧ୍ୟରୁ ଖରାପ ବା ଭଗ୍ନ ଥିବା ୨୧ଟି ଜଳଉତ୍ସକୁ ବାଦଦେଇ ଅନ୍ୟ ସମସ୍ତ ୪୨୨ଟି ଜଳଉତ୍ସର ଜଳ ପରୀକ୍ଷା ହୋଇଥିଲା। ନମୂନା ମଧ୍ୟରୁ ୯୧ଟି ଉତ୍ସରେ ଲିଟର ପ୍ରତି ୧.୫ ମିଲିଗ୍ରାମ୍‍ ରୁ ଅଧିକ ମାତ୍ରାର ଫ୍ଲୋରାଇଡ୍‍ ଥିବା ଜଣାଯାଇଥିଲା। ଅର୍ଥାତ ସେହିସବୁ ପାଞ୍ଚାୟତରେ ଥିବା ପ୍ରତି ୪.୮ଟି ଜଳଉତ୍ସରେ ଗୋଟିଏ ଜଳଉତ୍ସ ଫ୍ଲୋରୋସିସ୍‍ ବିପଦର କାରଣ। ୨୯ଟି ଗାଁ ମଧ୍ୟରୁ ୧୭ଟି ଗାଁରେ ରହିଛି ଫ୍ଲୋରାଇଡ ଆକ୍ରାନ୍ତ ଜଳଉତ୍ସ। କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ, ଚଉକାପଡ଼ା ଓ ଖଇରଭାଡ଼ି ଗ୍ରାମର ବିଭିନ୍ନ ଜଳଉତ୍ସରେ ଲିଟର ପ୍ରତି ୫ ମିଲିଗ୍ରାମରୁ ମଧ୍ୟ ଅଧିକ ଫ୍ଲୋରାଇଡ୍‍ ଥିବ ଜଣାପଡ଼ିଛି। ସେହିଭଳି ସାଇପଲା ପଞ୍ଚାୟତର ଦମତଲା; ଏବଂ ବେଲଟୁକୁରି ପଞ୍ଚାୟତର କାଦୋମେରୀ ଓ ସିଙ୍ଗପୁରରେ ଥିବା ଜଳଉତ୍ସ ମାନଙ୍କରେ ମଧ୍ୟ ୫ ମିଲିଗ୍ରାମ୍‍ ରୁ ଅଧିକ ଫ୍ଲୋରାଇଡ୍‍ ଥିବା ପରୀକ୍ଷଣରୁ ଜଣାପଡିଛି। ଲିଟର ପ୍ରତି ୫ ମିଲିଗ୍ରାମ୍‍ ରୁ ଅଧିକ ଫ୍ଲୋରାଇଡ୍‍ ଥିଲା ୧୦ଟ ଜଳଉତ୍ସରେ। ୭ଟି ଉତ୍ସରେ ୩ ମିଲିଗ୍ରାମ୍‍, ୧୯ଟି ଉତ୍ସରେ ୨ରୁ୩ ମିଲିଗ୍ରାମ୍‍ ରୁ ଅଧିକ ୫୬ଟ ଜଳଉତ୍ସରେ ୧.୫ ମିଲିଗ୍ରାମ୍‍ ଲେଖାଏଁ ଫ୍ଲୋରାଇଡ ଥିବା ଜଣାପଡିଥିଲା।

ସରକାରଙ୍କ ତଥ୍ୟ କହେ ଯେ ନୂଆପଡ଼ା ଜିଲ୍ଲାରେ ମୋଟ ୨,୩୫୫ଟି ଜନବସତି ମଧ୍ୟରୁ ୯୦୫ଟିରେ ଥିବା ଜଳଉତ୍ସରେ ଅତ୍ୟଧିକ ଫ୍ଲୋରାଇଡ୍‍ ରହିଛି। ତେବେ ସରକାରଙ୍କ ସେହି ତଥ୍ୟକୁ ସନ୍ଦେହ କରି ଦେଖିବାର ଅନେକ କାରଣ ରହିଛି। ଲୋକେ କରିଥିବା ଜଳ ପରୀକ୍ଷଣର ତଥ୍ୟ ଅନୁସାରେ ଉପରୋକ୍ତ ପାଞ୍ଚଟି ପଞ୍ଚାୟତରେ ଏମିତି ୯୧ଟି ପାନୀୟ ଜଳଉତ୍ସ ଅଛି ଯେଉଁଥିରେ ଫ୍ଲୋରାଇଡ୍‍ ର ମାତ୍ରା ୧.୫ ମିଲିଗ୍ରାମ୍‍ ରୁ ଅଧିକ। କିନ୍ତୁ ସରକାରଙ୍କ ଏମ୍‍ ଆଇ ଏସ୍‍ ତଥ୍ୟ ଅନୁସାରେ ସେହି ପାଞ୍ଚଟି ପଞ୍ଚାୟତରେ କେବଳ ୯ଟି ଫ୍ଲୋରାଇଡ୍‍ ଅଧିକ ଥିବା ଜଳ ଉତ୍ସ ରହିଛି। ସେହିଭଳି ଅନ୍ୟଏକ ସରକାରୀ ତଥ୍ୟ ଅନୁସାରେ ୨୨ଟି ଫ୍ଲୋରାଇଡ୍‍ ଅଧିକ ଥିବା ଜଳଉତ୍ସ ରହିଛି। ଲୋକଙ୍କ ପରୀକ୍ଷଣରୁ ୧୭ଟ ଗାଁ ଫ୍ଲୋରାଇଡ୍‍ ଜଳଉତ୍ସ ଆକ୍ରାନ୍ତ ବୋଲି ଜଣାପଡିଥିବା ବେଳେ ସରକାରୀ ଏମ ଆଇ ଏସ୍‍ ରେ କେବଳ ପାଞ୍ଚଟି ଗ୍ରାମ ଓ ଅନ୍ୟ ସରକାରୀ ତଥ୍ୟ ଅନୁସାରେ କେବଳ ଆଠଟି ଗ୍ରାମରେ ଫ୍ଲୋରାଇଡ୍‍ ଅଧିକ ଥିବା ଜଳଉତ୍ସ ରହିଛି ବୋଲି କୁହାଯାଇଛି।

ग्राफ
"ସରକାରୀ ତଥ୍ୟ ଆଦୌ ଠିକ୍‍ ନୁହେଁ'' , କହନ୍ତି ପଞ୍ଚାୟତ ଜଳବନ୍ଧୁ କମିଟୀର ସଦସ୍ୟ। "ସେହି ପରୀକ୍ଷା କେବେ ହୋଇଛି ଓ କେମିତି ହୋଇଛି ଆମେ ଜାଣିନୁ, କିନ୍ତି ଆମେ ନିଜେ ପରୀକ୍ଷା କରି ଦେଖିଛୁ'', କହନ୍ତି କୁରେଶ୍ୱର ଜଳବନ୍ଧୁ କମିଟିର ସଦସ୍ୟ। ଗ୍ରାମ ଜଳପରିମଳ କମିଟୀ ତଥା ଜଳବନ୍ଧୁ କମୀଟି ଜଳପରୀକ୍ଷଣ ସମ୍ୱନ୍ଧୀୟ ସମସ୍ତ ତଥ୍ୟକୁ ପଞ୍ଚାୟତକୁ ପ୍ରଦାନ କରିଛନ୍ତି। ଏବେ ପଞ୍ଚାୟତ ମଧ୍ୟ ଜଳର ମାନ ନେଇ ସକ୍ରିୟତା ଦେଖାଇବା ଆରମ୍ଭ କରିଛି। " ଆମେ ଜଳ ପରିମଳ ବିଭାଗକୁ ଏବେ ଚିଠି ଲେଖିବୁ। ସେମାନେ ଲୋକଙ୍କ ସମ୍ମୁଖରେ ଜଳ ପରୀକ୍ଷା କରି ସଠିକ ତଥ୍ୟ ଯେମିତି ଉପସ୍ଥାପନ କରିବେ'' , କହନ୍ତି ସାଇପଲାର ସରପଞ୍ଚ।

ଲୋକେ କରିଥିବା ଜଳ ପରୀକ୍ଷଣ ଦୁଇଟି ଉଦ୍ଦେଶ୍ୟ ସାଧିତ କରିପାରିଛି। ପ୍ରଥମରେ, ଲୋକେ ଅଧିକ ଭାବରେ ଫ୍ଲୋରାଇଡ୍‍ ଓ ଫ୍ଲୋରୋସିସ୍‍ ସଚେତନ ହେବା ସହିତ ନିଜର ପାନୀୟ ଜଳ ଉତ୍ସର ମାନ ଜାଣି ପାରିଛନ୍ତି। ଦ୍ୱିତୀୟରେ, ଲୋକେ ଆରସିଡିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ଆଗ୍ରହର ସହିତ ସାମିଲ ହେବାର ଏକ ଦୁର୍ବାର ଆକର୍ଷଣ ପାଇପାରୁଛନ୍ତି ଓ ନିଜର ପାନୀୟ ଜଳ ସମ୍ପର୍କିତ ଦାବୀକୁ କେମିତି ରଖିବେ ତଥା ଆବଶ୍ୟକତା ଓ ଦାୟୀତ୍ୱକୁ କେମିତି ତୁଲାଇବେ ତାହାର ବାଟ ଖୋଜିବାର ମଉକା ପାଇପାରୁଛନ୍ତି। ପଙ୍କଜିନିଙ୍କ ଭାଷାରେ "ଆମେ ଜଳ ପରୀକ୍ଷଣରେ ଏବେ ସାକ୍ଷର ''।

ଗ୍ରାମର ବିଭିନ୍ନ ଜଳଉତ୍ସର ପରୀକ୍ଷଣରେ ନିମଗ୍ନ ଆରସିଡିସିର କର୍ମଚାରୀ

Post new comment

The content of this field is kept private and will not be shown publicly.
  • Web page addresses and e-mail addresses turn into links automatically.
  • Allowed HTML tags: <a> <em> <strong> <cite> <code> <ul> <ol> <li> <dl> <dt> <dd>
  • Lines and paragraphs break automatically.

More information about formatting options

CAPTCHA
यह सवाल इस परीक्षण के लिए है कि क्या आप एक इंसान हैं या मशीनी स्वचालित स्पैम प्रस्तुतियाँ डालने वाली चीज
इस सरल गणितीय समस्या का समाधान करें. जैसे- उदाहरण 1+ 3= 4 और अपना पोस्ट करें
8 + 5 =
Solve this simple math problem and enter the result. E.g. for 1+3, enter 4.