SIMILAR TOPIC WISE

ଓଡ଼ିଶାରେ ଫ୍ଲୋରାଇଡ୍‌ ପ୍ରଦୂଷଣ

Author: 
हिमांशु शेखर फतेसिंह

ଫ୍ଲୋରାଇଡ୍‌ କ’ଣ?


ବାଳସିଂହ ଓ ସିଂହପୁର ଗାଁର ପ୍ରାଥମିକ ବିଦ୍ୟାଳୟ୍ ଫ୍ଲୋରାଇଡ୍‌ ହେଉଛି ଫ୍ଲୋରିନ୍‌ର ଏକ ଆୟନ. ଏହାର ରାସାୟନିକ ପ୍ରତୀକ ହେଉଛି F-- | ଫ୍ଲୋରିନ୍‌ ହେଉଛି ଏକ ବିଷାକ୍ତ, କ୍ଷୟକାରୀ ତଥା ତୀବ୍ର ଗନ୍ଧଯୁକ୍ତ ଗ୍ୟାସୀୟ ମୌଳିକ. ଏହାର ରଙ୍ଗ ଇଷତ ହଳଦିଆ ଓ ସବୁଜ . ପ୍ରଥମେ ୧୮୧୦ ମସିହାରେ ବୈଜ୍ଞାନିକମାନେ ଫ୍ଲୋରିନ୍‌କୁ ଏକ ମୌଳିକ ବୋଲି ପ୍ରସ୍ତାବ ଦେଇଥିଲେ. ମାତ୍ର ଏହା ପ୍ରକୃତିରେ ବିଭିନ୍ନ ଯୌଗିକ ସୃଷ୍ଟି କରି ରହିଥିବାରୁ ଏହାକୁ ପୃଥକ କରିବା ଅତ୍ୟନ୍ତ ବିପଜ୍ଜନକ ଥିଲା. ସେତେବେଳେ ଏହା ଉପରେ ପରୀକ୍ଷା କରି ବହୁ ଗବେଷକ ମୃତ ବା ଆହତ ହୋଇଥିଲେ. ପ୍ରଥମେ ୧୮୮୬ ମସିହାରେ ଫରାସୀ ରସାୟନବିତ୍‌ ହେନେରୀ ମୋଇସାନ୍‌ ବିଦ୍ୟୁତ ବିଶ୍ଳେଷଣ ପ୍ରକ୍ରିୟାରେ ଫ୍ଲୋରିନ୍‌ ମୌଳିକର ପୃଥକ କରିଥିଲେ. ଫ୍ଲୋରିନର ଆବିଷ୍କାର ପାଇଁ ୧୯୦୬ ମସିହାରେ ମୋଇସାନ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା. ଫ୍ଲୋରିନ୍‌ ଏକ ପ୍ରତିକ୍ରିୟାଶୀଳ ମୌଳିକ ହୋଇଥିବାରୁ ଏହା ପ୍ରକୃତିରେ ମୁକ୍ତ ଅବସ୍ଥାରେ ଉପଲବ୍ଧ ହୋଇପାରିନଥାଏ. ଏହା ସାଧାରଣତଃ ହାଇଡ୍ରୋଜେନ୍‌, କ୍ୟାଲସିୟମ୍‌, ମାଗ୍ନେସିୟମ, ସୋଡ଼ିୟମ, ଆଲୁମିନିୟମ୍‌ ଆଦି ମୌଳିକ ସହିତ ମିଶି ବିଭିନ୍ନ ଫ୍ଲୋରାଇଡ୍‌ ରୂପରେ ଭୂପୃଷ୍ଠସ୍ଥ ଶିଳାରେ ମିଶି ରହିଥାଏ. କେତେକ ସାଧାରଣ ଫ୍ଲୋରାଇଡ ପଦାର୍ଥ ମଧ୍ୟରେ ହାଇଡ୍ରୋଜେନ ଫ୍ଲୋରାଇଡ୍‌, ସୋଡ଼ିୟମ ଫ୍ଲୋରାଇଡ୍‌, ଫ୍ଲୋରୋସିଲିକ୍‌ ଅମ୍ଳ ଅନ୍ୟତମ. ପୃଥିବୀ ପୃଷ୍ଠରେ ପ୍ରତି କି.ଗ୍ରା. ବସ୍ତୁତ୍ୱରେ ପ୍ରାୟ ୦.୩ ଗ୍ରା. ଫ୍ଲୋରାଇଡ୍‌ ପଦାର୍ଥ ରହିଥିବାର ଜଣାଯାଏ. ଏହା ବିଶେଷତଃ ଫ୍ଲୋସ୍ପାର, ଫ୍ଲୋରାଇଟ୍‌, କ୍ରାୟୋଲାଇଟ ଓ ଫ୍ଲୋରୋପାଟାଇଟ୍‌ ଖଣିଜରେ ରହିଥାଏ. ଭୂପୃଷ୍ଠରେ ଥିବା ଫ୍ଲୋରାଇଡ ଖଣିଜଗୁଡ଼ିକ ମଧ୍ୟରୁ କ୍ୟାଲ୍‌ସିୟମ୍‌ ଫ୍ଲୋରାଇଡ (CaF୨) ବା ଫ୍ଲୋରାଇଟ୍‌ ହେଉଛି ପ୍ରାୟ ୪୯ ଭାଗ. କଳା ଲୁଣ ନାମରେ ପରିଚିତ ଏହି ଖଣିଜରେ ୧୫୭ ପିପିଏମ୍‌ ଫ୍ଲୋରାଇଡ୍‌ ରହିଥାଏ. ଏହି ନରମ ଓ ରଙ୍ଗୀନ୍‌ ଖଣିଜ ପଦାର୍ଥଟି ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଦେଖିବାକୁ ମିଳିଥାଏ. ମୃତ୍ତିକାରେ ବାଇଓଟାଇଟ, ମସ୍କୋଭାଇଟ୍‌, ହର୍ଣ୍ଣବ୍ଲେଣ୍ଡ୍‌ ଆଦି ଖଣିଜ ରୂପରେ ମଧ୍ୟ ରହିଥାଏ. ଫ୍ଲୋରାଇଡ ଯୁକ୍ତ ଶିଳା ଜଳ ସଂସ୍ପର୍ଶ ଆସିଲେ ଫ୍ଲୋରାଇଡ୍‌ ଯୌଗିକ ସେଥିରେ ଦ୍ରବୀଭୂତ ହୋଇ ମିଶିଯାଏ. ସାଧାରଣତଃ ଭୁପୃଷ୍ଠସ୍ଥ ଜଳରେ ସ୍ୱଳ୍ପ ପରିମାଣରେ ଫ୍ଲୋରାଇଡ ରହିଥାଏ. ମାତ୍ର ଭୂଗର୍ଭସ୍ଥ ଜଳ ଦୀର୍ଘ ସମୟ ଧରି ଫ୍ଲୋରାଇଡ୍‌ଯୁକ୍ତ ଶିଳା ସଂସ୍ପର୍ଶରେ ଆସୁଥିବାରୁ ସେଥିରେ ପ୍ରଚୁର ପରିମାଣରେ ଫ୍ଲୋରାଇଡ ପଦାର୍ଥ ରହିଥାଏ. ସମୁଦ୍ର ଜଳରେ ଲିଟର ପ୍ରତି ହାରାହାରୀ ୧.୩ ମି.ଗ୍ରା. ଫ୍ଲୋରାଇଡ୍‌ ରହିଥିବାର ଜଣାଯାଏ. ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥରେ ଊଣା ଅଧିକେ ଫ୍ଲୋରାଇଡ୍‌ ରହିଥାଏ . ତେବେ ଚା’ ରେ ପ୍ରଚୁର ପରିମାଣରେ ଫ୍ଲୋରାଇଡ୍‌ ରହିଥିବାର ଜଣାଯାଏ. ଏକ କପ୍‌ ଚା’ରେ ୦.୮ ମି.ଗ୍ରା. ପର୍ଯ୍ୟନ୍ତ ଫ୍ଲୋରାଇଡ୍‌ ରହିଥାଏ. ସେହିପରି ଆମର ନିତ୍ୟ ବ୍ୟବହାର୍ଯ୍ୟ ଦାନ୍ତଘଷା ପେଷ୍ଟ୍‌ରେ ୧୦୦୦ରୁ ୧୫୦୦ ପିପିଏମ୍‌ ପର୍ଯ୍ୟନ୍ତ ଫ୍ଲୋରାଇଡ୍‌ ରହିଥିବାର ଜଣାଯାଏ.

ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଫ୍ଲୋରାଇଡ୍‌


ମାନବ ଶରୀର ପାଇଁ ଫ୍ଲୋରାଇଡ ହେଉଛି ଏକ ଅତ୍ୟାବଶ୍ୟକ ମୌଳିକ ପଦାର୍ଥ . ଏହା ମୁଖ୍ୟତଃ ମନୁଷ୍ୟର ଅସ୍ଥି ଓ ଦାନ୍ତର ଗଠନରେ ସହାୟକ ହୁଏ . ଏହା ଦାନ୍ତର ଏନାମେଲକୁ ଦୃଢ଼ କରିବାରେ ସହାୟକ ହୋଇଥାଏ. ଏହା ଦାନ୍ତକୁ ଅମ୍ଳୀୟ ପଦାର୍ଥର କ୍ଷତିକାରକ ପ୍ରଭାବରୁ ରକ୍ଷା କରେ. ମନୁଷ୍ୟ ଶରୀରରେ ଫ୍ଲୋରାଇଡ୍‌ର ପରିମାଣରେ ଅଭାବ ଘଟିଲେ ଦନ୍ତକ୍ଷୟ ବା କାରିଜ୍‌ ରୋଗ ଏବଂ ଅଷ୍ଟିଓପୋରୋସିସ୍‌ ରୋଗ ଦେଖାଦେଇଥାଏ. ଏହି ରୋଗରେ ଅସ୍ଥିର ଓଜନ ହ୍ରାସ ପାଏ ଓ ଅସ୍ଥି ଦୁର୍ବଳ ଓ ଭଙ୍ଗୁର ହୋଇଯାଏ. ସୁସ୍ଥ ଜୀବନ ପାଇଁ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ଦୈନିକ ପ୍ରାୟ ୨.୨ ମି.ଗ୍ରା. ଫ୍ଲୋରାଇଡ୍‌ ଆବଶ୍ୟକ ପଡ଼ିଥାଏ. ମନୁଷ୍ୟ ଶରୀର ପାଇଁ ଆବଶ୍ୟକ ଫ୍ଲୋରାଇଡ୍‌ ନିତ୍ୟ ବ୍ୟବହୃତ ବିଭିନ୍ନ ପ୍ରକାରର ଖାଦ୍ୟପଦାର୍ଥ ଯଥା ଚାଉଳ, ଗହମ, ମକା, ଡାଲି, ମାଛ, ମାଂସ, ପନିପରିବା,ଶାଗ, ମସଲା, ଫଳମୂଳ, ଚା’ ଏବଂ ଜଳରୁ ମିଳିଥାଏ. ଆମେରିକା ପରି କେତେକ ଦେଶରେ ଫ୍ଲୋରାଇଡ୍‌ ଅଭାବଜନିତ ସମସ୍ୟାର ଦୂରୀକରଣ ପାଇଁ ଫ୍ଲୋରାଇଡ୍‌ଯୁକ୍ତ ପାନୀୟ ଜଳ ଯୋଗାଣ କରାଯାଉଛି.ସେହି ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୦.୭ ମି.ଗ୍ରା./ଲି.ରୁ ୧.୨ ମି.ଗ୍ରା./ଲି ମଧ୍ୟରେ ରହୁଛି. ଫ୍ଲୋରାଇଡ୍‌ ଅଭାବ ଜନିତ ରୋଗର ଚିକିତ୍ସାପାଇଁ ସୋଡ଼ିୟମ ଫ୍ଲୋରାଇଡ ବା ସୋଡିୟମ ମନୋଫ୍ଲୋରୋଫସଫେଟ୍‌ ବଟିକା ଦିଆଯାଏ.

ମୃତ୍ତିକା ଓ ଜଳରେ ଥିବା ଫ୍ଲୋରାଇଡ୍‌କୁ ପ୍ରଥମେ ଉଦ୍ଭିଦଜଗତ ଗ୍ରହଣ କରିଥାନ୍ତି. ପାନୀୟ ଜଳ ଓ ଉଦ୍ଭିଦ ଜଗତ ମାଧ୍ୟମରେ ଫ୍ଲୋରାଇଡ୍‌ ପ୍ରାଣୀଜଗତ ମଧ୍ୟ୍କୁ ପ୍ରବେଶ କରିଥାଏ. ଉଭୟ ପ୍ରାଣୀଜ ଓ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଏବଂ ଜଳକୁ ସେବନ କରିବାପରେ ମାନବ ଶରୀରକୁ ଫ୍ଲୋରାଇଡ୍‌ ପ୍ରବେଶ କରିଥାଏ. ମନୁଷ୍ୟଦ୍ୱାରା ଗୃହୀତ ଫ୍ଲୋରାଇଡର ପ୍ରାୟ ୭୫ ଭାଗ ମଳମୂତ୍ର କିମ୍ବା ଝାଳ ମାଧ୍ୟମରେ ବାୟୁମଣ୍ଡଳକୁ ନିଷ୍କାସିତ ହୋଇଥାଏ ଓ ଅବଶିଷ୍ଟ ଫ୍ଲୋରାଇଡ ମନୁଷ୍ୟର ଅସ୍ଥି, ଦାନ୍ତ ଆଦିରେ ଜମା ହୋଇ ରହେ. ଏପରିକି ମନୁଷ୍ୟ, ପ୍ରାଣୀ ଓ ଉଦ୍ଭିଦର ମୃତ୍ୟୁପରେ ମଧ୍ୟ ଫ୍ଲୋରାଇଡର ବିଲୋପ ଘଟେ ନାହିଁ. ଏହା କେବଳ ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ରୂପାନ୍ତରିତ ହେଉଥାଏ. ପାକୃତିକ ପରିବେଶରେ ଥିବା ଅପଘଟକଗୁଡ଼ିକ ଏହି ଫ୍ଲୋରାଇଡକୁ ବାୟୁମଣ୍ଡଳକୁ ନିକ୍ଷେପ କରିଥାନ୍ତି. ଏହାପରେ କିଣ୍ୱନ ପ୍ରକ୍ରିୟାରେ ସେଥିରେ ଥିବା ଫ୍ଲୋରାଇଡ ଉପାଦାନ ପୁନର୍ବାର ପୋଷକରେ ରୂପାନ୍ତରିତ ହୋଇଥାଏ ଓ ତାହାକୁ ସବୁଜ ଉଦ୍ଭିଦ ଖାଦ୍ୟ ରୂପେ ଗ୍ରହଣ କରିଥାଏ. ମନୁଷ୍ୟ ଦ୍ୱାରା ଗୃହୀତ ଫ୍ଲୋରାଇଡର ପ୍ରାୟ ୭୫ ରୁ ୯୦ ପ୍ରତିଶତ ରକ୍ତରେ ଶୋଷିତ ହୋଇଥାଏ. ରକ୍ତରେ ଥିବା ଫୋରାଇଡର ତିନି ଚତୁର୍ଥାଂଶ ପ୍ଲାଜମା ବା ପ୍ରରସରେ ରହିଥାଏ ଓ ଅବଶିଷ୍ଟାଂଶ ଲୋହିତ ରକ୍ତ କୋଷିକା ବା ଆରିଥ୍ରୋସାଇଟସରେ ରହିଥାଏ.ରକ୍ତରେ ମିଶିବା ମାତ୍ରେ ଫ୍ଲୋରାଇଡ୍‌ ଶରୀରର ସମସ୍ତ ଅଂଶକୁ ବ୍ୟାପିଯାଇଥାଏ. ମନୁଷ୍ୟ ଶରୀରରେ ଥିବା ଫ୍ଲୋରାଇଡର ୯୯ ଭାଗ ଅସ୍ଥି, ଦାନ୍ତପରି କ୍ୟାଲସିୟମ ସମୃଦ୍ଧ ଅଞ୍ଚଳରେ କ୍ରିଷ୍ଟାଲ ଲାଟିସ୍‌ ରୂପରେ ରହିଥାଏ.

ଜଳର ଫ୍ଲୋରାଇଡ ପ୍ରଦୂଷଣ


ପାନୀୟ ଜଳରେ ଫ୍ଲୋରାଇଡର ପରିମାଣ ଅଧିକ ରହିଥିଲେ ତାହା ପାନୀୟ ଉପଯୋଗୀ ହୋଇପାରିନଥାଏ. ସେହି ଜଳକୁ ଫ୍ଲୋରାଇଡ୍‌ ପ୍ରଦୂଷିତ ଜଳ କୁହାଯାଏ. ଫ୍ଲୋରାଇଡ୍‌ଦ୍ୱାର ପ୍ରଦୂଷିତ ହୋଇଥିବା ଜଳର ବର୍ଣ୍ଣ, ସ୍ୱାଦ କିମ୍ବା ଗନ୍ଧରେ କୌଣସି ପରିବର୍ତ୍ତନ ଘଟେନାହିଁ. ତେଣୁ ଏହି ଜଳର ସ୍ୱାଦ କିମ୍ବା ବର୍ଣ୍ଣରୁ ଏହାକୁ ଚିହ୍ନୋଟ କରିବା ସମ୍ଭବ ହୁଏନାହିଁ. ଉଭୟ ପ୍ରାକୃତିକ ଓ ମାନବକୃତ କାରଣରୁ ଜଳର ଫ୍ଲୋରାଇଡ୍‌ ଜନିତ ପ୍ରଦୂଷଣ ଘଟୁଥିବାର ଦେଖାଯାଏ. ପାନୀୟ ଜଳରେ ଫ୍ଲୋରାଇଡର ପରିମାଣ ମୃତ୍ତିକାର ରାସାୟନିକ ଧର୍ମ, ଭୂଗର୍ଭସ୍ଥ ଶିଳାରେ ଫ୍ଲୋରାଇଡ୍‌ ଖଣିଜର ଉପସ୍ଥିତି, ଫ୍ଲୋରାଇଡର ନିକ୍ଷାଳନ (Leaching) ଆଦି ଉପରେ ନିର୍ଭର କରେ. ୧୯୮୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ପ୍ରକାଶିତ ନିର୍ଦ୍ଦେଶିକା ଅନୁସାରେ ପ୍ରତି ଲିଟର ଜଳରେ ୧.୫ ମି.ଗ୍ରା. ପରିମାଣର ଫ୍ଲୋରାଇଡ୍‌ ରହିଥିଲେ ତାହା ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ନିରାପଦ ହୋଇଥାଏ. ତେବେ ପାନୀୟ ଜଳରେ ଫ୍ଲୋରାଇଡର ଏହି ଅନୁମୋଦିତ ମାତ୍ରା ସମସ୍ତ ବିଶେଷଜ୍ଞଙ୍କଦ୍ୱାରା ଗ୍ରହଣଯୋଗ୍ୟ ହୋଇପାରିନାହିଁ. ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାସ୍ଥ୍ୟ ବିଭାଗ ନିକଟରେ ପାନୀୟ ଜଳରେ ଫ୍ଲୋରାଇଡ୍‌ର ସର୍ବୋଚ୍ଚ ମାତ୍ରାକୁ ୦.୭ ମି.ଗ୍ରା./ଲି. ମଧ୍ୟରେ ସୀମିତ ରଖିବାକୁ ନିଷ୍ପତି ନେଇଛି. ଗତ ୧୯୬୨ ମସିହାଠାରୁ ପାନୀୟ ଜଳରେ ଏହି ମାତ୍ରା ୦.୭ ମି.ଗ୍ରା./ଲି. ରୁ ୧.୨ ମି.ଗ୍ରା./ଲି ମଧ୍ୟରେ ରହିଥିଲା. ଭାରତୀୟ ମାନକ ବ୍ୟୁରୋ (BIS) ଓ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ICMR) ପାନୀୟ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୧.୦ ମି.ଗ୍ରା./ଲି. ମଧ୍ୟରେ ସୀମିତ ରଖିବାକୁ ଅନୁମୋଦନ କରିଛନ୍ତି. ପାନୀୟ ଜଳରେ ଫ୍ଲୋରାଇଡର ମାତ୍ରା ୧.୫ ମି.ଗ୍ରା.ରୁ ଅଧିକ ରହିଥିଲେ ତାହା ପାନୀୟରୂପେ ବ୍ୟବହୃତ ହେବା ପାଇଁ ଉପଯୋଗୀ ହୁଏ ନାହିଁ. ତାହା ମାନବ ସ୍ୱାସ୍ଥ୍ୟ ଉପରେ ବିପଜ୍ଜନକ ପ୍ରଭାବ ପକାଇଥାଏ. ଭୂତଳ ଜଳରେ ଫ୍ଲୋରାଇଡର ମାତ୍ରା ହ୍ରାସ ପାଇଁ ସୁଲଭ ଓ ଉପାଦେୟ କୌଶଳ ବିକାଶ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି.

ମାନବ ସ୍ୱାସ୍ଥ୍ୟ ଉପରେ ମାତ୍ରାଧିକ ଫ୍ଲୋରାଇଡ୍‌ର ପ୍ରଭାବ


ମନୁଷ୍ୟ ଶରୀର ପାଇଁ ଆବଶ୍ୟକ ଫ୍ଲୋରାଇଡ ଦୈନନ୍ଦିନ ଖାଦ୍ୟ ଓ ପାନୀୟରୁ ସଂଗୃହୀତ ହୋଇଥାଏ. ତେବେ ମନୁଷ୍ୟ ଶରୀରକୁ ଫ୍ଲୋରାଇଡ୍‌ ମୁଖ୍ୟତଃ ପାନୀୟ ଜଳ ମାଧ୍ୟମରେ ପ୍ରବେଶ କରିଥାଏ. ଦୀର୍ଘଦିନ ଧରି ମାତ୍ରାଧିକ ଫ୍ଲୋରାଇଡ୍‌ ଗ୍ରହଣ କଲେ ତାହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ. ମନୁଷ୍ୟ ଗ୍ରହଣ କରୁଥିବା ଅତ୍ୟଧିକ ଫ୍ଲୋରାଇଡ୍‌ ସାଧାରଣତଃ ଅସ୍ଥି ଓ ଦାନ୍ତ ଟିସୁରେ ଜମିଯାଏ. ମନୁଷ୍ୟର ଅସ୍ଥି ଓ ଦାନ୍ତ ଟିସୁରେ ଥିବା କ୍ୟାଲସିୟମ ଫସ୍‌ଫେଟ୍‌ ସହିତ ଫ୍ଲୋରାଇଡ୍‌ର ରାସାୟନିକ ସମ୍ବନ୍ଧ ହେତୁ ପ୍ରାୟ ୯୦ରୁ ୯୯ ଭାଗ ଫ୍ଲୋରାଇଡ୍‌ ଏଥିରେ ସଂଯୁକ୍ତ ହୋଇଯାଏ. ମନୁଷ୍ୟର ଅସ୍ଥି ଓ ଦାନ୍ତ ଟିସୁରେ ଏହିପରି ଅସ୍ୱାଭାବିକ ଭାବେ ଫ୍ଲୋରାଇଡ ଜମିଯିବା ଫଳରେ ଏକ ପ୍ରକାରର ମାରାତ୍ମକ ରୋଗ ଦେଖାଦେଇଥାଏ. ଏହାକୁ ଫ୍ଲୋରୋସିସ୍‌ କୁହାଯାଏ. ମନୁଷ୍ୟ ଦୀର୍ଘଦିନ ଧରି ମାତ୍ରାଧିକ ପରିମାଣର ଫ୍ଲୋରାଇଡ୍‌ ଗ୍ରହଣ କଲେ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଥାଏ. ଏହା ଏକ ଦୂରାରୋଗ୍ୟ ବ୍ୟାଧି ରୂପେ ପରିଚିତ. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୋଗର କୌଣସି ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ଅଦ୍ୟାବଧି ବାହାରି ନାହିଁ. କେବଳ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଫଳରେ ଏହି ରୋଗରୁ ମୁକ୍ତି ପାଇବା ସମ୍ଭବ.

ଫ୍ଲୋରୋସିସ୍‌ ରୋଗକୁ ମୁଖ୍ୟତଃ ତିନି ଗୋଟି ଭାଗରେ ବିଭକ୍ତ କରାଯାଇଥାଏ ସେଗୁଡ଼ିକ ହେଲା ୧. ଦାନ୍ତ ଫ୍ଲୋରୋସିସ୍‌ ୨. ଅସ୍ଥି ଫ୍ଲୋରୋସିସ୍‌ ୩. ଅଣ-ଅସ୍ଥି ଫ୍ଲୋରୋସିସ୍‌ .

ମନୁଷ୍ୟର ଦାନ୍ତରେ ବହୁ ଦିନ ଧରି ଫ୍ଲୋରାଇଡ୍‌ ଜମିରହିଲେ ଦାନ୍ତ ଫ୍ଲୋରୋସିସ୍‌ ରୋଗ ଦେଖାଦିଏ.ଏହି ରୋଗରେ ଦାନ୍ତ ଉପରେ ଥିବା ଏନାମେଲ୍‌ର ମସୃଣତା ଓ ଔଜ୍ଜଲ୍ୟ ଲୋପ ପାଇଯାଏ. ପ୍ରଥମେ ଦାନ୍ତରେ ଧଳା ଦାଗମାନ ଦେଖାଦିଏ. ଏହି ଧଳା ଦାଗ ଉପରେ କ୍ରମେ ହଳଦିଆ, ବାଦାମୀ ରଙ୍ଗର ଦାଗ ଦେଖାଦିଏ ଓ ଶେଷରେ ତାହା କଳା ପାଡ଼ିଯାଏ. ଏହି ରୋଗରେ ଦାନ୍ତରେ ଛୋଟ ଛୋଟ ଖାଲ ଦେଖାଦିଏ. ଏହାକୁ ମଟ୍‌ଲିଙ୍ଗ୍‌ (Mottling) କୁହାଯାଏ. ଦାନ୍ତଗୂଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଭାଙ୍ଗିଯାଏ. ଅତି କମ୍‌ ବୟସରେ ଦାନ୍ତଗୁଡ଼ିକ ଝଡ଼ିପଡ଼େ.

ମନୁଷ୍ୟର ଅସ୍ଥିରେ ବହୁ ପରିମାଣରେ ଫ୍ଲୋରାଇଡ୍‌ ଜମି ରହିଲେ ତାହା ଅସ୍ଥି ଫୋରୋସିସ୍ ରୋଗ ସୃଷ୍ଟି କରିଥାଏ. ଦୀର୍ଘ ଦିନ ଫ୍ଲୋରାଇଡ୍‌ ପ୍ରଦୂଷିତ ଜଳ ସେବନ କଲେ ଏହି ରୋଗ ହୋଇଥାଏ. ଏହି ରୋଗରେ ମେରୁଦଣ୍ଡ ଓ ଗଣ୍ଠିଗୁଡ଼ିକ କଠୋର ହୋଇଯିବାରୁ ଭୀଷଣ ଯନ୍ତ୍ରଣା ହୁଏ. ଅସ୍ଥିଗୂଡ଼ିକରେ ଫ୍ଲୋରାଇଡ୍‌ ଜମି ରହିବାରୁ ସେଗୁଡ଼ିକ ଖୁବ ମୋଟା ଓ ଦୃଢ଼ ହୋଇଯାଏ. ଏପରିକି ଲିଜାମେଣ୍ଟ ଗୁଡ଼ିକରେ କ୍ୟାଲସିୟମ ଲବଣ ଜମିଯିବାରୁ ତାହା ମଧ୍ୟ କଠୋର ହୋଇଯାଏ ଓ ସେଗୁଡ଼ିକର ମସୃଣତା ଲୋପ ପାଇଯାଏ. ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ହାତ ଓ ଗୋଡ଼ର ଅସ୍ଥି ଏବଂ ମେରୁଦଣ୍ଡ ବଙ୍କା ଓ ଦୁର୍ବଳ ହୋଇଯାଏ. ରୋଗୀଟିର ପିଠି ବଙ୍କା ହୋଇଯିବାରୁ ସେ ସଳଖ ଭାବରେ ଚାଲିପାରେ ନାହିଁ. ରୋଗୀ ଅକାଳ ବାର୍ଦ୍ଧକ୍ୟର ଶିକାର ହୋଇ ଦୟନୀୟ ଭାବରେ କାଳକାଟେ. ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ମେରୁଦଣ୍ଡ ମଧ୍ୟସ୍ଥ ନଳୀ କ୍ରମେ ସଙ୍କୁଚିତ ହୋଇଯିବାରୁ ତାହା ସ୍ନାୟୁ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ. ଏହା ଫଳରେ ରୋଗୀ ପକ୍ଷାଘାତ ରୋଗରେ ଶିକାର ହୁଏ.

ଫ୍ଲୋରାଇଡ୍‌ ପ୍ରଦୂଷିତ ଜଳକୁ ଦୀର୍ଘ ଦିନ ଧରି ଗ୍ରହଣ କରିବା ଫଳରେ ମନୁଷ୍ୟ ଶରୀରରେ କେବଳ ଅସ୍ଥି ଓ ଦାନ୍ତ ଫ୍ଲୋରୋସିସ୍ ଦେଖାଦିଏ , ସେ କଥା ନୁହେଁ . ଏହା ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିଥାଏ. ଏହାକୁ ଅଣ ଅସ୍ଥି ଫ୍ଲୋରୋସିସ୍‌ କୁହାଯାଏ. ମନୁଷ୍ୟ ଶରୀରରେ ମାତ୍ରାଧିକ ଫ୍ଲୋରାଇଡ୍‌ର ବିଷକ୍ରିୟା ହେତୁ ବାଳ କହରା ବର୍ଣ୍ଣ ଧାରଣ କରିବା, ଦୃଷ୍ଟି ଶକ୍ତି ହ୍ରାସ, ଅବସାଦ, ହାତ ଓ ପାଦ ଝିମ୍‌ ଝିମ୍‌ ହେବା, ମାଂସପେଶୀରେ ଯନ୍ତ୍ରଣା ହେବା, ଭୀଷଣ ଶୋଷ ଲାଗିବା, ବାରମ୍ବାର ପରିସ୍ରା ଯିବା, ଆଲର୍ଜି, କୋଷ୍ଠକାଠିନ୍ୟ ହେବା, ତରଳ ଝାଡ଼ା ହେବା, ପେଟରେ ଭୀଷଣ ଯନ୍ତ୍ରଣା, ମଳରେ ରକ୍ତ ପଡ଼ିବା, ହଳଦିଆ କିମ୍ବା ଲାଲ ରଙ୍ଗର ପରିସ୍ରା ହେବା, ଅରୁଚି ଦେଖା ଦେବା , ମୁଖରେ କ୍ଷତ ଦେଖାଦେବା ପରି କେତେକ ଲକ୍ଷଣ ପ୍ରକାଶ ପାଇଥାଏ.

ଓଡ଼ିଶାରେ ଫ୍ଲୋରୋସିସ୍‌ର ସ୍ଥିତି


ଭାରତ ସମେତ ପୃଥିବୀର ଅନେକ ଦେଶରେ ଫ୍ଲୋରୋସିସ୍‌ ଘଟଣା ବହୁଳ ଭାବରେ ଘଟୁଥିବାର ଦେଖାଯାଉଛି. ପୃଥିବୀରେ ଚୀନ୍, ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ମଧ୍ୟ ପ୍ରାଚ୍ୟ, ପାକିସ୍ଥାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ଜର୍ମାନୀ, ଫ୍ରାନସ୍‌, ଇଟାଲୀ, ସ୍ପେନ୍‌, ମେକ୍ସିକୋ, ଆର୍ଜେଣ୍ଟିନା ଆଦି ଦେଶରେ ଏହି ରୋଗର ପ୍ରକୋପ ପରିଦୃଷ୍ଟ ହେଉଛି. ଭାରତର ଅଧିକାଂଶ ରାଜ୍ୟ ଅଳ୍ପବହୁତ ଏହି ରୋଗଦ୍ୱାରା ପ୍ରଭାବିତ ହୋଇଛନ୍ତି. କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ସୂତ୍ରରୁ ଗତ ୨୦୦୮ ମସିହାରେ ପ୍ରକାଶିତ ତଥ୍ୟରୁ ଜଣାଯାଏ ଯେ, ଭାରତର ରାଜସ୍ଥାନ, ତାମିଲନାଡ଼ୁ, କର୍ଣ୍ଣାଟକ, ଗୁଜୁରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ହରିଆନା, ଜାମ୍ମୁ ଓ କାଶ୍ମୀର, ଦିଲ୍ଲୀ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନର ଭୂତଳ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୧.୫ ମି.ଗ୍ରା./ଲିରୁ ଅଧିକ ରହିଛି. ଦେଶର ପ୍ରାୟ ୬୬ ନିୟୁତ ଲୋକ ଅନୁମୋଦିତ ମାତ୍ରାଠାରୁ ଅଧିକ ଫ୍ଲୋରାଇଡ୍‌ଯୁକ୍ତ ଭୂତଳ ଜଳ ସେବନ କରୁଥିବାର ଜଣାପଡ଼ିଛି.

ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ଦେଶରେ ୨୦ଟି ରାଜ୍ୟର ୨୩୦ଟି ଜିଲ୍ଲାର ଭୂତଳ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ଅନୁମୋଦିତ ସ୍ତରଠାରୁ ଅଧିକ ରହିଛି. ୨୦୧୪ ମସିହା ଏପ୍ରିଲ ମାସ ପହିଲା ସୁଦ୍ଧା ଦେଶରେ ୧୧.୭ ନିୟୁତ ଲୋକ ଫ୍ଲୋରାଇଡ୍‌ ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବାର ଜଣାପଡ଼ିଛି. ଏହି ରାଜ୍ୟଗୁଡ଼ିକରେ ପ୍ରତି ଲିଟର ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୦.୨ ମି.ଗ୍ରା.ରୁ ୪୮ ମି.ଗ୍ରା. ପର୍ଯ୍ୟନ୍ତ ରହିଛି. ଏହି ଅଞ୍ଚଳରେ ଫ୍ଲୋରୋସିସ୍‌ ଆକ୍ରାନ୍ତଙ୍କ ସଂଖା କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି. ଦେଶରେ ଫ୍ଲୋରୋସିସ୍‌ ରୋଗ ସମସ୍ୟା ବୃଦ୍ଧି ପାଉଥିବାରୁ ଭାରତ ସରକାର ଗତ ୨୦୦୮-୦୯ ମସିହାରେ ଜାତୀୟ ଫ୍ଲୋରୋସିସ୍ ନିରାକରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCF) ଆରମ୍ଭ କରିଛନ୍ତି. ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଦଶ ପଞ୍ଚବାର୍ଷିକ ଯୋଜନା କାଳରେ ଏହି କାର୍ଯ୍ୟକ୍ରମରେ ଦେଶର ୧୭ଟି ରାଜ୍ୟର ୧୦୦ଟି ଜିଲ୍ଲାକୁ ସାମିଲ କରାଯାଇଛି. ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା କାଳରେ ପର୍ଯ୍ୟାୟକ୍ରମେ ଏଥିରେ ଅବଶିଷ୍ଟ ୯୫ଟି ଜିଲ୍ଲାକୁ ସାମିଲ କରାଯାଉଛି . ୨୦୦୮-୦୯ ମସିହାରେ ଏଥିରେ ଓଡ଼ିଶାର ନୟାଗଡ଼ ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ୨୦୧୦-୧୧ ମସିହାରେ ଅନୁଗୁଳ ଓ ନୁଆପଡ଼ା ଜିଲ୍ଲାକୁ ସାମିଲ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଫ୍ଲୋରାଇଡ୍‌ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ପରିଚାଳନା, ଫ୍ଲୋରୋସିସ୍ ରୋଗର ନିଦାନ ଓ ପ୍ରବନ୍ଧନ, ଏବଂ ସାମର୍ଥ୍ୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି.

ଚଳିତ ୨୦୧୬ ମସିହା ମାର୍ଚ୍ଚ ୨୫ ତାରିଖ ଦିନ ଓଡ଼ିଶା ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଥିଲେ ଯେ, “ରାଜ୍ୟର ୧୦୧ଟି ଗ୍ରାମରେ ପାନୀୟଜଳରେ ଫ୍ଲୋରାଇଡ୍‌ ଅଧିକ ରହିଥିବାରୁ ତାହା ପାନୀୟ ଉପଯୋଗୀ ନୁହେଁ. ନୂଆପଡ଼ା ଜିଲ୍ଲାରେ ୬୫ଟି , ଅନୁଗୋଳ ଜିଲ୍ଲା୍ରେ ୩ଟି, ବଲାଙ୍ଗିର ଜିଲ୍ଲାରେ ୮ଟି, କଟକ ଜିଲ୍ଲାରେ ୨ଟି, ଯାଜପୁର ଜିଲ୍ଲାରେ ୧ ଟି, କଳାହାଣ୍ଡି ଜିଲ୍ଲାରେ ୨ଟି, ଖୋର୍ଦ୍ଧା ଜିଲ୍ଲାରେ ୨ଟି, ନୟାଗଡ଼ ଜିଲ୍ଲାରେ ୧୭ ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଜିଲ୍ଲାରେ ୧ଟି ଗ୍ରାମରେ ପାନୀୟ ଜଳରେ ଫ୍ଲୋରାଇଡ୍‌ ଅନୁମୋଦିତ ମାତ୍ରାରୁ ଅଧିକ ରହିଛି.” ତେବେ ଅନ୍ୟାନ୍ୟ ସୂତ୍ରରୁ ଜଣାଯାଏ ଯେ, ଓଡ଼ିଶାର ବହୁ ଅଧିକ ଗ୍ରାମ ଫ୍ଲୋରାଇଡ୍‌ଦ୍ୱାରା ପ୍ରଭାବିତ. ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଫ୍ଲୋରାଇଡର ପରିମାଣ ଅନୁମୋଦିତ ମାତ୍ରାଠରୁ ଯଥେଷ୍ଟ ଅଧିକ ରହିଛି. ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିକାଶ ଓ ସହଯୋଗ କେନ୍ଦ୍ର (RCDC) ତରଫରୁ ଉପଲବ୍ଧ ତଥ୍ୟରୁ ଜଣାଯାଏ ଯେ, ଓଡ଼ିଶାର ୨୭ଟି ଜିଲ୍ଲାର ୧୫୦ଟି ବ୍ଲକ ଫ୍ଲୋରାଇଡ୍‌ ଦ୍ୱାରା ପ୍ରଭାବିତ . ଏହାର ୫୭୪ ଟି ଗ୍ରାମ ପଞ୍ଚାୟତର ୧୨୨୭ଟି ଗ୍ରାମର ଭୂତଳ ଜଳ ରେ ଅନୁମୋଦିତ ମାତ୍ରଠାରୁ ଅଧିକ ଫ୍ଲୋରାଇଡ୍‌ ରହିଥିବାର ସୂଚନା ମିଳିଛି. ଏଗୁଡ଼ିକ ମଧ୍ୟରେ ନୂଆପଡ଼ା ଜିଲ୍ଲାର ୫ ଟି ବ୍ଲକର ୨୪୭ଟି ଗ୍ରାମ, ନୟାଗଡ଼ ଜିଲ୍ଲାର ୮ ଟି ବ୍ଲକର ୨୨୨ଟି ଗ୍ରାମ, ଖୋର୍ଦ୍ଧା ଜିଲ୍ଲାର ୯ଟି ବ୍ଲକର ୧୬୩ଟି ଗ୍ରାମ, ଯାଜପୁର ଜିଲ୍ଲାର ୮ଟି ବ୍ଲକର ୧୦୦ଟି ଗ୍ରାମ, ବରଗଡ଼ ଜିଲ୍ଲାର ୧୦ଟି ବ୍ଲକର ୧୫୩ଟି ଗ୍ରମ ଓ ବଲାଙ୍ଗିର ଜିଲ୍ଲାର ୧୩ଟି ବ୍ଲକର ୧୧୬ଟି ଗ୍ରାମ ଅନ୍ତର୍ଭୁକ୍ତ ରହିଛି. ସେହିପରି ଓଡ଼ିଶା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଓଡ଼ିଶାର ସର୍ବମୋଟ ୫୧୦୬୧ଟି ଗ୍ରାମରେ ୪,୧୭,୭୯୪ଟି ନଳକୂପ ରହିଛି. ତେବେ ଏଗୁଡ଼ିକ ମଧ୍ୟରୁ କେତୋଟିର ଜଳରେ ଫ୍ଲୋରାଇଡ୍‌ ଅଧିକ ମାତ୍ରାରେ ରହିଛି ତାହାର କୌଣସି ସୂଚନା ନାହିଁ .

ଦେଶବାସୀଙ୍କୁ ଫ୍ଲୋରାଇଡ୍‌ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଲକ୍ଷ୍ୟରେ ଭାରତ ସରକାର ଗତ ୧୯୮୬ ମସିହାରେ ଜାତୀୟ ପାନୀୟ ଜଳ ମିଶନ୍‌ର ଶୁଭାରମ୍ଭ କରିଛନ୍ତି. ଏହି ପ୍ରକଳ୍ପ ଜରିଆରେ ଫ୍ଲୋରାଇଡ୍‌ଯୁକ୍ତ ଶିଳା ଓ ଖଣିଜଥିବା ଭୂପୃଷ୍ଠର ଜଳ କିମ୍ବା ବୃଷ୍ଟି ଜଳରୁ ବିକଳ୍ପ ନିରାପଦ ପାନୀୟ ଜଳ ସଂଗ୍ରହ କରି ଯୋଗାଣ କରାଯାଉଛି. ପାରମ୍ପରିକ ଜଳ ଉତ୍ସ ଗୁଡ଼ିକର ପୁନରୁଦ୍ଧାର କରି ସେଥିରୁ ବିଶୁଦ୍ଧ ପାନୀୟ ଜଳ ଆହରଣ କରାଯାଉଛି. ଉଚ୍ଚ ତଥା ନିମ୍ନ ଫ୍ଲୋରାଇଡ୍‌ ଜଳର ଗୁଣ ହ୍ରାସ କରି ତାହାକୁ ପାନୀୟ ଉପଯୋଗୀ କରାଯାଉଛି. ଏଥିପାଇଁ ଦୀର୍ଘମିଆଦୀ କର୍ଯ୍ୟକ୍ରମରେ ନଦୀ, ହ୍ରଦ, ଡ୍ୟାମ୍‌ ଆଦି ଭୂପୃଷ୍ଠସ୍ଥ ଜଳ ଉତ୍ସରୁ ବୃହତ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଫ୍ଲୋରାଇଡ୍‌ ମୁକ୍ତ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଉଛି. ଓଡ଼ିଶାରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଫ୍ଲୋରୋସିସ୍‌ ମୁକ୍ତ କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମରେ ସମସ୍ତ ଫ୍ଲୋରାଇଡ୍‌ ପ୍ରଭାବିତ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ କରାଯାଉଛି.

ଖୋର୍ଦ୍ଧାର ଫ୍ଲୋରୋସିସ୍‌ ପ୍ରଭାବିତ ଦୁଇ ଗ୍ରାମ: ବାଳସିଂହ ଓ ସିଂହପୁର


ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ନୟାଗଡ଼ ମୁଖ୍ୟ ରାସ୍ତାରେ ପ୍ରାୟ ୫୦ କି.ମି. ଯିବାପରେ ପଡ଼େ ରାଜସୁନାଖଳା ଗ୍ରାମ. ସେଠାରୁ ଏକ ଗ୍ରାମ୍ୟ ରସ୍ତାରେ ପ୍ରାୟ ୭ କି.ମି. ଦୂର ଅତିକ୍ରମ କରିବାପରେ ପଡ଼େ ସାଗରଗୁଆଁ ଗ୍ରାମ . ସେଠାରୁ ଏକ ଅଣଓସାରିଆ କଚା ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ଯିବା ପରେ ପଡ଼ିଥାଏ ସାଗରଗୁଆଁ ଗ୍ରାମଞ୍ଚାୟତ ଅନ୍ତର୍ଗତ ଦୁଇ ରାଜସ୍ୱ ଗ୍ରାମ ବାଳସିଂହ ଓ ସିଂହପୁର . ଏହି ଦୁଇ ଗ୍ରାମ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ତଥା ବେଗୁନିଆ ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ. ଫ୍ଲୋରାଇଡ୍‌ ଜନିତ ଜଳ ପ୍ରଦୂଷଣ ଓ ଫ୍ଲୋରୋସିସ୍‌ ରୋଗ ପାଇଁ ଏହି ଦୁଇ ଗ୍ରାମ ଏବେ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିପାରିଛି. ଗବେଷକମାନେ ଏଠାକୁ ଗବେଷଣା ଉଦ୍ଦେଶ୍ୟରେ ଆସିଥିବାବେଳେ ସାମ୍ବାଦିକମାନେ ଆସିଛନ୍ତି ତଥ୍ୟ ଆହରଣ ପାଇଁ. ବେସରକାରୀ ସଂସ୍ଥାର ସଭ୍ୟ ଓ ସାମାଜିକ କର୍ମୀମାନେ ଏଠାରେ ନିଜ ନିଜର ଉଦ୍ଦେଶ୍ୟ ସାଧନକରି ଫେରିଯାଇଛନ୍ତି. ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀମାନେ ଏହି ଦୁଇଗ୍ରାମକୁ ଆସି ବହୁବାର ସର୍ବେକ୍ଷଣ କରିଛନ୍ତି ଓ ଅନେକ ଯୋଜନାପ୍ରସ୍ତୁତ କରିଛନ୍ତି . ରାଜନୀତିକ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ଏଠାକୁ ଆସି ନାନାଦି ଲୋଭନୀୟ ପ୍ରତିଶ୍ରୂତିଦେଇ ଫେରିଯାଇଛନ୍ତି. ମାତ୍ର ଏହି ଅଭିଶପ୍ତ ଗ୍ରାମବାସୀମାନଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ ଘଟିନାହିଁ. ସତେ ଯେପରି ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ସେମାନେ ଜନ୍ମ ନେଇଛନ୍ତି . ଘୋର ହତାଶାବୋଧ ମଧ୍ୟରେ ରହି ସେମାନେ ସମୟ ଅତିବାହିତ କରୁଛନ୍ତି

ବାଳସିଂହ ଓ ସିଂହପୁର ଗ୍ରାମ ଗତ ୧୯୮୭-୮୮ ମସିହା ବେଳକୁ ଏହି ଦୁଇ ଗ୍ରାମର ଅଧିକାଂଶ ଲୋକ ଏକ ରହସ୍ୟମୟ ତଥା ଅଜଣା ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ. ଆକ୍ରାନ୍ତ ଲୋକଙ୍କ କ୍ଷେତ୍ରରେ କେତେକ ବିଚିତ୍ର ଲକ୍ଷଣ ପ୍ରକାଶ ପଇଲା. ସେମାନଙ୍କ ମଧ୍ୟରୁ କେତେକ ଅକାଳରେ ମୃତ୍ୟୁବରଣ କଲେ. ଗ୍ରାମର ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାରର କୋକୁଆ ଭୟ ଖେଳିଗଲା. ରୋଗରେ ଆକ୍ରାନ୍ତ ଲୋକେ ନିକଟସ୍ଥ ବାଙ୍କୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଧାଡ଼ି ଲଗାଇଲେ. ସେଠାରେ ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକରି ଜାଣିପାରିଲେ ଯେ, ସେମାନଙ୍କୁ ଆକ୍ରାନ୍ତ କରିଥିବା ଏହି ଘାତକ ରୋଗଟି ହେଉଛି ଫ୍ଲୋରୋସିସ୍‌. ସେହି ଗ୍ରାମରେ ବିଭିନ୍ନ ଉତ୍ସରୁ ପାନୀୟ ଜଳ ନମୁନା ନେଇ ପରୀକ୍ଷଣ କରିବାପରେ ଜଣା ପଡ଼ିଲା ଯେ, ସେଥିରେ ଅନୁମୋଦିତ ମାତ୍ରାଠାରୁ ଯଥେଷ୍ଟ ଅଧିକ ପରିମାଣରେ ଫ୍ଲୋରାଇଡ୍‌ ରହିଥିଲା. ସେହି ପ୍ରଦୂଷିତ ଜଳକୁ ସେବନ କରି ଗ୍ରାମବାସୀ ଫ୍ଲୋରୋସିସ୍‌ ରୋଗର ଶିକାର ହୋଇଛନ୍ତି. ଏହାପରେ ପରେ ଏହି ଦୁଇ ଗ୍ରାମ ଦେଶର ପ୍ରଥମ ଫ୍ଲୋରାଇଡ୍‌ ପ୍ରଭାବିତ ଅଞ୍ଚଳ ରୂପେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା. ପାନୀୟ ଜଳରେ ଅତ୍ୟଧିକ ପରିମାଣର ଫ୍ଲୋରାଇଡ୍‌ ରହିଥିବାର ସ୍ପଷ୍ଟ ହେବାପରେ ସରକାରଙ୍କ ତରଫରୁ ଗ୍ରାମର ସମସ୍ତ କୂଅ ଓ ନଳକୂପରେ ଲାଲ ଚିହ୍ନ ମାରି ସେଗୁଡ଼ିକର ଜଳକୁ ବ୍ୟବହାର କରିବାକୁ ନିଷିଦ୍ଧ କରାଯାଇଥିଲା.

ବାଳସିଂହ ଓ ସିଂହପୁର ଗାଁର ଏକ ନିଷିଦ୍ଧ କୂଅ ବାଳସିଂହ ଓ ସିଂହପୁର ଗ୍ରାମ ସିଂହପୁର ମୌଜା ଅନ୍ତର୍ଗତ ଦୁଇଟି ପୃଥକ ରାଜସ୍ୱ ଗ୍ରାମ ଅଟେ. ମାତ୍ର ଏହି ଦୁଇ ଗ୍ରାମ ଏପରି ମିଶି ରହିଛି ଯେ, ଏହା ଗୋଟିଏ ଗ୍ରାମପରି ଦେଖାଯାଉଥାଏ. ବାଳସିଂହ ଗ୍ରାମରେ ୮୭ ପରିବାରର ୪୬୨ ଜଣ ଲୋକ ଓ ସିଂହପୁର ଗ୍ରାମରେ ୧୧୦ ପରିବାରରେ ୬୫୨ ଜଣ ଲୋକ ବାସ କରନ୍ତି. ଏହି ଦୁଇ ଗ୍ରାମର ଅଧିକାଂଶ ଲୋକଙ୍କର ମୁଖ୍ୟ ବୃତ୍ତି ହେଉଛି କୃଷି. କେତେକ ଲୋକ ଛୋଟ ବ୍ୟବସାୟ ମଧ୍ୟ କରୁଛନ୍ତି. ମୋଟାମୋଟି ଭାବରେ ଗ୍ରାମବାସୀଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ. ପ୍ରଥମେ ୧୯୮୭ ମସିହାରେ ଏହି ଦୁଇ ଗ୍ରାମରେ ପାନୀୟ ଜଳର ନମୂନା ପରୀକ୍ଷଣ ପରେ ସେଥିରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିବାର ସ୍ପଷ୍ଟ ହୋଇଥିଲା. ଏଥିରେ ଥିବା ନଳକୂଅ, କୂଅ କିମ୍ବା ପୋଖରୀ ଆଦି ଜଳଉତ୍ସ ଗୁଡ଼ିକରେ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ରହିଥିବାର ଜଣାପଡ଼ିଥିଲା. ମାନବ ସ୍ୱାସ୍ଥ୍ୟ ପାଇଁ ପାନୀୟ ଜଳରେ ଫ୍ଲୋରାଇଡ୍‌ର ମାତ୍ରା ୧.୦ ମି.ଗ୍ରା./ଲି ମଧ୍ୟରେ ସୀମିତ ରଖିବାକୁ ବୈଜ୍ଞାନିକମାନେ ମତ ଦେଉଥିବା ବେଳେ ଏହି ଗ୍ରାମର ବିଭିନ୍ନ ଜଳ ଉତ୍ସରେ ଫ୍ଲୋରାଇଡ୍‌ର ମାତ୍ରା ୧.୫୨ ମି.ଗ୍ରା./ଲି.ରୁ ଉର୍ଦ୍ଧ୍ୱ ରହିଥିଲା. ଏହି ଗ୍ରାମର ଏକ ନଳକୂପରେ ଫ୍ଲୋରାଇଡ୍‌ର ମାତ୍ରା ୩.୧୮ ମି.ଗ୍ରା./ଲି. ରହିଥିବାବେଳେ ଏକ କୂପ ଓ ପୋଖରୀରେ ଏହାର ମାତ୍ରା ଥିଲା ଯଥାକ୍ରମେ ୭.୧ ମି.ଗ୍ରା./ଲି ଓ ୧୦.୫୫ ମି.ଗ୍ରା./ଲି ରହିଥିଲା. ଏପରିକି ଏଠାକାର ଏକ କୂଅର ଜଳ ନମୂନାରେ ଫ୍ଲୋରାଇଡର ମାତ୍ରା ୧୩.୦ ମି.ଗ୍ରା./ଲି ରହିଥିବାର ଜଣାପଡ଼ିଥିଲା.

ବାଳସିଂହ ଓ ସିଂହପୁର ଗାଁର ପୋଖରୀ ଗତ ୨୦୦୨ ମସିହା ଅଗଷ୍ଟ ମାସ ୧୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଗସ୍ତ କରି ବାସ୍ତବସ୍ଥିତି ଅନୁଧ୍ୟାନ କରିଥିଲେ. ସେମାନେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ୫୪ ଜଣ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ. ଏହି ରିପୋର୍ଟ୍‌ରେ ଦର୍ଶାଯାଇଥିଲା ଯେ, ଗ୍ରାମର ୪୫ ଜଣଙ୍କର ଦାନ୍ତ ବିବର୍ଣ୍ଣ ହୋଇଯାଇଛି, ୧୭ ଜଣଙ୍କର ଆଣ୍ଠୁଗଣ୍ଠି ଫୁଲିଯାଇଛି, ୨୧ ଜଣଙ୍କର ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି ଓ ୧୦ ଜଣଙ୍କର ଆଣ୍ଠୁଗଣ୍ଠି ଫୁଲିଯିବା ସହିତ ଯନ୍ତ୍ରଣା ହେଉଛି.ଗ୍ରାମର ୮ ଜଣ ଲୋକଙ୍କର ଉଭୟ ଗୋଡ଼ ବଙ୍କା ହୋଇଥିବାବେଳେ ଓ ୩ ଜଣଙ୍କର ମେରୁଦଣ୍ଡ ବଙ୍କା ହୋଇଯାଇଥିଲା. ଡାକ୍ତରୀ ଦଳର ଅନୁରୋଧକ୍ରମେ ସେହି ବର୍ଷ ସେପ୍ଟେମ୍ବର ୧୧ ତାରିଖ ଦିନ ଏକ ଭୂତଳ ଜଳ ପରୀକ୍ଷଣ ଦଳ ଏହି ଗ୍ରାମର ନଳକୂପରୁ ଭୂତଳ ଜଳର ନମୂନା ପରୀକ୍ଷଣ କରିଥିଲେ. ଏହି ଜଳରେ ଫ୍ଲୋରାଇଡ୍‌ର ପରିମାଣ ୭.୧ ମି.ଗ୍ରା./ଲି ରହିଥିବାର ଜଣାପଡ଼ିଥିଲା. ଏହି ଗ୍ରାମରେ ଥିବା ସମସ୍ତ କୂପ, ନଳକୂପ, ବୋରୱେଲ୍‌ ସମେତ ପୋଖରୀରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିଲା. ଖୋର୍ଦ୍ଧା ଜିଲ୍ଲା ମୃତ୍ତିକା ଅଧିକାରୀଙ୍କ ମୃତ୍ତିକା ପରୀକ୍ଷଣରୁ ଜଣାପଡ଼ିଲା ଯେ, ଏଠାକାର ମୃତ୍ତିକାରେ ସ୍ୱାଭାବିକ ସ୍ତରଠାରୁ ଅଧିକ ମାତ୍ରାରେ ଫ୍ଲୋରାଇଡ୍‌ ରହିଛି. ସେହିପରି ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀଙ୍କ ତରଫରୁ ଏଠାକାର କୃଷିଜାତ ଦ୍ରବ୍ୟର ନମୂନା ପରୀକ୍ଷଣରୁ ଜଣାପଡ଼ିଲା ଯେ, ଏଠାରୁ ଉତ୍ପାଦିତ ଧାନ, ମୁଗ, ବିରି ଓ ଅନ୍ୟାନ୍ୟ ପନିପରିବାରେ ମାତ୍ରାଧିକ ଫ୍ଲୋରାଇଡ ରହିଛି. ସେହିପରି ଏଠାକାର ଗାଈ କ୍ଷୀରରେ ମଧ୍ୟ ଅଧିକ ମାତ୍ରାରେ ଫ୍ଲୋରାଇଡ୍‌ ରହିଥିବାର ଜଣାପଡ଼ିଲା. କେବଳ ଏହି ଦୁଇ ଗ୍ରାମ କାହିଁକି ଏହାର ୨ କି.ମି. ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଅବସ୍ଥିତ ଥିବା ସମସ୍ତ କୂଅ କିମ୍ବା ପୋଖରୀ ପାଣିରେ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ରହିଥିବାର ଜଣାପଡ଼ିଛି. ସାଗରଗୁଆଁ ଗ୍ରାମର ବାସିନ୍ଦା ତଥା ଶିକ୍ଷକ ଶ୍ରୀ ସୁଶାନ୍ତ ବେହେରା କହନ୍ତି, “ ଆମ ଗ୍ରାମର ଅନେକ ଲୋକଙ୍କର ଆଣ୍ଠୁ, ଗଣ୍ଠି ଓ ମେରୁଦଣ୍ଡରେ ସବୁବେଳେ ଯନ୍ତ୍ରଣା ହେଉଛି. ଆମ ଗ୍ରାମର ନଳକୂଅ ଓ କୂଅଗୁଡ଼ିକର ଜଳରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିବାରୁ ଏପରି ଘଟୁଛି. ତେବେ ଆମେ ଏହି ଜଳକୁ ବ୍ୟବହାର ନକରିବାକୁ ଉପାୟ ନାହିଁ.”

ସାଗରଗୁଆଁ ଗ୍ରାମର ଏକ ପରିତ୍ୟକ୍ତ ନଳକୂପ ଏହି ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି ତରାବାଲୋ ଗ୍ରାମ. ଏହି ଗ୍ରାମଠାରୁ ମାତ୍ର ୧ କି.ମି. ଦୂରରେ ଅବସ୍ଥିତ ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଉଷ୍ଣପସ୍ରବଣ . ଏଠାରେ ପ୍ରାୟ ୧୦୦ ବର୍ଗ ମିଟର ପରିମିତ ସ୍ଥାନରେ ରହିଛି ୯ ଗୋଟି ଉଷ୍ଣପସ୍ରବଣ . ଏହାର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଏକ ସନ୍ତସନ୍ତିଆ ଜମିରେ ପରିଣତ ହୋଇଛି. ଏହାର କୌଣସି ସ୍ଥାନରେ ପାଦ ପକାଇଲେ ଅଣ୍ଟା ପର୍ଯ୍ୟନ୍ତ ଗଭୀରକୁ ବୁଡ଼ିଯିବାର ଆଶଙ୍କା ଥାଏ. ଏହି ଉଷ୍ଣପସ୍ରବଣଗୂଡ଼ିକରୁ ନିରନ୍ତର ଉଷ୍ଣ ଜଳ ସ୍ରୋତ ପ୍ରବାହିତ ହେଉଥିବାରୁ ଏପରି ଘଟିଥାଏ ବୋଲି ମତ ପ୍ରକାଶ ପାଇଥାଏ. ଏହି ଉଷ୍ଣପସ୍ରବଣଗୂଡ଼ିକରୁ ପ୍ରତି ସେକେଣ୍ଡରେ ୧.୧୫ ଲିଟର ରୁ ୨.୧ ଲିଟର ହାରରେ ଜଳ ସ୍ରୋତ ନିର୍ଗତ ହେଉଛି. ଏହି ଉଷ୍ଣ ଜଳର ତାପମାତ୍ରା ହାରାହାରୀ ୪୭˚ ସେ. ରୁ ୬୬.୫˚ ସେ. ପର୍ଯ୍ୟନ୍ତ ରହୁଛି. ଏହାର ତାପମାତ୍ରା ବର୍ଷସାରା ପ୍ରାୟ ସମାନ ରହିଥାଏ. ଏହି ପସ୍ରବଣ ଜଳରେ ମଧ୍ୟ ବହୁ ଅଧିକ ମାତ୍ରାରେ ଫ୍ଲୋରାଇଡ୍ ରହିଠିବାର ଜଣାପଡ଼ିଛି. କେତେକଙ୍କ ମତରେ ଏହି ଉଷ୍ଣପସ୍ରବଣର ଜଳର ପ୍ରଭାବରେ ବାଳସିଂହ ଓ ସିଂହପୁର ଗ୍ରାମ ଏବଂ ସାଗରଗୁଆଁ ଗ୍ରାମର ଭୂତଳ ଜଳ ପ୍ରଦୂଷିତ ହେବା ସହିତ ସେଥିରେ ଅଧିକ ମାତ୍ରାରେ ଫ୍ଲୋରାଇଡ୍‌ ରହୁଛି. ମାତ୍ର ଏହି ତତ୍ତ୍ୱ ଗ୍ରହଣଯୋଗ୍ୟ ହୋଇପାରିନାହିଁ.

ତରାବାଲୋର ଦହଲ ଜମିରେ ଏକ ଉଷ୍ଣପସ୍ରବଣ ଫ୍ଲୋରାଇଡ୍‌ ମିଶ୍ରିତ ପ୍ରଦୂଷିତ ଜଳକୁ ପାନୀୟରୂପେ ନିୟମିତ ଭାବେ ଗ୍ରହଣ କରିବା ଫଳରେ ବାଳସିଂହ ଓ ସିଂହପୁର ଗାମବାସୀ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି. ସେମାନେ ଦାନ୍ତ ଫ୍ଲୋରୋସିସ୍‌, ଅସ୍ଥି ଫ୍ଲୋରୋସିସ୍‌ ଓ ଅନ୍ୟାନ୍ୟ ରୋଗରେ ଶିକାର ହେଉଛନ୍ତି. ଏହି ରୋଗ ହେଲେ ସେମାନଙ୍କ ଦାନ୍ତ ତେଜହୀନ ହୋଇ ହଳଦିଆ ପଡ଼ିଯାଉଛି ଓ ପରେ କଳା ହୋଇଯାଉଛି. ଏପରିକି ଅକାଳରେ ଦାନ୍ତଗୁଡ଼ିକ ଝଡିପଡ଼ୁଛି. କେତେକ ସ୍ଥଳରେ ରୋଗୀର ଆଣ୍ଠୁ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ହେଉଛି. ଗୋଡ଼, ହାତ ଓ ମେରୁଦଣ୍ଡ, ଅଣ୍ଟା ବଙ୍କା ହୋଇଯିବାର ଲକ୍ଷଣ ଦେଖିବାକୁ ମିଳୁଛି. ଏହା ବ୍ୟତୀତ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଦୃଷ୍ଟି ଶକ୍ତି ହ୍ରାସ, ଶ୍ରବଣ ଶକ୍ତି ହ୍ରାସ ପେଟ ଫୁଲିବା ଓ ସ୍ନାୟବିକ ଦୁର୍ବଳତା ପରି ଅନ୍ୟାନ୍ୟ କେତେକ ଲକ୍ଷଣ ମଧ୍ୟ ପ୍ରକାଶ ପାଉଛି. ଏପରିକି ୨୦ ରୁ ୪୦ ବର୍ଷ ବୟସର ଯୁବକ ଅକାଳ ବାର୍ଦ୍ଧକ୍ୟର ଶିକାର ହୋଇ ହାତରେ ଠେଙ୍ଗା ଧରି ଚାଲୁଥିବାର ଦୃଶ୍ୟ ଏହି ଗ୍ରାମରେ ଦେଖିବାକୁ ମିଳୁଛି . ଏହି ଗ୍ରାମର ଅଧିକାଂଶ ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ଘୋର ଦୁର୍ଦ୍ଦିନ ମଧ୍ୟରେ କାଳ କଟୁଛନ୍ତି. ଏହି ଗ୍ରାମର ଗୃହପାଳିତ ପଶୁଗୁଡ଼ିକ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇପଡ଼ୁଥିବାର ଦେଖିବାକୁ ମିଳୁଛି. ସେମାନଙ୍କର ଗଣ୍ଠି ଫୁଲିବା ସାଙ୍ଗକୁ ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଛି.

. ବାଳସିଂହ ଓ ସିଂହପୁର ଗ୍ରାମରେ ଗତ ୨୫ ବର୍ଷ ମଧ୍ୟରେ ୭୦୦ରୁ ଉର୍ଦ୍ଧ୍ୱ ଲୋକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି. ଏହି ଦୂରାରୋଗ୍ୟ ବ୍ୟାଧିରେ ଶିକାର ହୋଇ ଗ୍ରାମରୁ ଦୁଇଶହରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି. ଏହି ଗ୍ରାମରେ ଏବେ ପ୍ରାୟ ୧୫୦ ଲୋକ ମାରାତ୍ମକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବାର ଜଣାପଡ଼ିଛି. ସେଥି ମଧ୍ୟରୁ ୧୫ ଜଣ ସମ୍ପୁର୍ଣ୍ଣ ରୂପେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି. ଗ୍ରାମର ପ୍ରାୟ ୬୦-୭୦ ଜଣ ଲୋକଙ୍କର ହାତ, ଗୋଡ଼ କିମ୍ବା ମେରୁଦଣ୍ଡ ବଙ୍କା ହୋଇଯାଇଛି. ଏହି ଗ୍ରାମର ପ୍ରାୟ ସମସ୍ତ ଲୋକଙ୍କର ଦାନ୍ତର ରଙ୍ଗ କଷରା କିମ୍ବା କଳା ପଡ଼ିଯାଇଛି. ସରକାରଙ୍କ ତରଫରୁ ଏହି ଗ୍ରାମର ୨୬୦ ଜଣ ଲୋକଙ୍କୁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି. ଏହି ରୋଗ ଯୋଗୁଁ ଏବେ ବାଳସିଂହ ଓ ସିଂହପୁର ଗ୍ରାମବାସୀ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି. ଅନ୍ୟ ଗ୍ରାମର ଲୋକେ ଏହି ଗ୍ରାମକୁ ବିଦ୍ରୁପ କରି ଅଷ୍ଟବକ୍ର ଋଷିଙ୍କ ଗ୍ରାମ ବୋଲି ଉଲ୍ଲେଖ କରୁଛନ୍ତି. ଅନ୍ୟ ଯେ କୌଣସି ଗ୍ରାମର ଲୋକେ ଏହି ଗ୍ରାମବାସୀଙ୍କ ସହିତ ବନ୍ଧୁ ସମ୍ପର୍କ ଯୋଡ଼ିବାକୁ ଇଚ୍ଛା କରୁନାହାନ୍ତି. ଅନ୍ୟ ଗ୍ରାମର ଲୋକେ ଏହି ଗ୍ରାମରେ ଝିଅ ବାହା ଦେବାକୁ ଚାହୁଁ ନାହାନ୍ତି କି ଏହି ଗ୍ରାମରୁ ଝିଅଙ୍କୁ ବୋହୁ କରି ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି. ଫଳରେ ଗ୍ରାମବାସୀ ମାନେ ନିଜର ପୁଅ କିମ୍ବା ଝିଅର ବିବାହ କରିବାରେ ବହୁ ସମସ୍ୟା ଭୋଗ କରୁଛନ୍ତି. ବନ୍ଧୁବାନ୍ଧବମାନେ ସେମାନଙ୍କ ଘରକୁ ଆସୁନାହାନ୍ତି କି ତାଙ୍କ ଘରୁ ପାଣି ଟୋପାଏ ପିଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି. ଏପରିକି ଏହି ଗ୍ରାମରୁ କେହି ହେଲେ ଗାଈ କ୍ଷୀର କିଣୁନାହାନ୍ତି. ସବୁ ପିଲାଙ୍କ ପରି ଏହି ଗ୍ରାମର ପିଲାମାନଙ୍କ ମନରେ ଅସୁମାରି ସ୍ୱପ୍ନ ଉଙ୍କି ମାରେ. ସେମାନେ ପାଠ ପଢ଼ି ବଡ଼ ମଣିଷ ହେବେ, ବିବାହ କରି ଘର ସଂସାର ଗଢ଼ିବେ ଓ ନିଜ ଗାଁ ମାଟି ପାଇଁ କିଛି କରି ଦେଖାଇବେ. ଏହିପରି ଅନେକ ସ୍ୱପ୍ନ ଦେଖନ୍ତି ସେମାନେ. ଅଥଚ ସେମାନେ ନିଜ ଆଖିରେ ଦୁନିଆକୁ ଦେଖିବା ପୂର୍ବରୁ ଘାତକ ଫ୍ଲୋରୋସିସ୍‌ ରୋଗ ସବୁ କିଛି ଉଜାଡ଼ିଦିଏ. ସେମାନଙ୍କ ସ୍ୱପ୍ନସବୁକୁ ଭାଙ୍ଗି ଚୂନା କରିଦିଏ. ସେମାନେ ଅକାଳରେ ଅକ୍ରମଣ୍ୟ ହୋଇ ଅନ୍ୟର ସାହାରାରେ ବାଟ ଚାଲନ୍ତି. ଶେଷରେ ସେମାନେ ହୋଇଯାଆନ୍ତି ମୃତ୍ୟୁ ପଥର ଯାତ୍ରୀ. ଗତ ୨୫ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ଗ୍ରାମଟିରେ ଏହିପରି ସାମାଜିକ ସମସ୍ୟା ଲାଗିରହିଛି

ଦାନ୍ତ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ବାଳକ
ଦାନ୍ତ ଫ୍ଲୋରୋସିସ୍‌ ରୋଗ ପ୍ରାୟ ସମସ୍ତ ଗ୍ରାମବାସୀ ଊଣା ଅଧିକେ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ. କେହି ଦନ୍ତକ୍ଷୟର ଶିକାର ତ କାହାରି ହାତଗୋଡ଼, ଗଣ୍ଠିରେ ଭୀଷଣ ଫୁଲା ଓ ଦରଜ. କାହାର ଗୋଡ଼ ବଙ୍କା ତ କାହାର ମେରୁଦଣ୍ଡ ବଙ୍କା ହୋଇଯାଇଛି. ଆଉ କେହି ରୋଗଶଯ୍ୟାରେ ପଡ଼ି ମୃତ୍ୟୁକୁ ଅପେକ୍ଷାକରି ରହିଛନ୍ତି. ଫ୍ଲୋରାଇଡ୍‌ ମିଶ୍ରିତ ବିଷାକ୍ତ ଜଳ ପାଇଁ ଏହି ଦୁଇ ଗ୍ରାମବାସୀ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି. ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ୨୦୦୮ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା. ପୁରୀ ଜିଲ୍ଲାର ଗ୍ଲୋବାଲ୍‌ ହ୍ୟୁମାନ୍‌ ରାଇଟ୍‌ସ କମ୍ୟୁନିକେସନ୍‌ ନାମକ ଏକ ସ୍ୱେଚ୍ଛାସ୍ୱେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ମାମଲାକୁ ଲଢ଼ିଥିଲେ ଆଇନଜୀବୀ ଆଶିଷ କୁମାର ମହାପାତ୍ର. ଏଥିରେ ପକ୍ଷଭୁକ୍ତ ହୋଇଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଏବଂ ବୋଲଗଡ଼ ବ୍ଲକ ଉନ୍ନୟନ ଅଧିକାରୀ. ଏଥିରେ ଆବେଦନକାରୀ ଦର୍ଶାଇଥିଲେ ଯେ, ଗ୍ରାମରେ ସରକାର ଏକ ଗଭୀର କୂପରୁ ଜଳ ଯୋଗାଣ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନାନାଦି କାରଣରୁ ବାଧାପ୍ରାପ୍ତ ହେଉଛି. ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (RWS & S) ତରଫରୁ ଏହି ଗ୍ରାମକୁ ଯୋଗାଇ ଦିଆଯାଉଥିବା ଜଳ ପାନୀୟ ଉପଯୋଗୀ କି ନୁହେଁ ତାହାର ପରୀକ୍ଷଣ କରାଯାଉନାହିଁ. ତେଣୁ ଗ୍ରାମବାସୀମାନେ ବାଧ୍ୟ ହୋଇ ନିଷିଦ୍ଧ ନଳକୂପରୁ ଜଳ ବ୍ୟବହାର କରୁଛନ୍ତି. ଏହି ଗାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ସେହି ନିଷିଦ୍ଧ ନଳକୂପର ଜଳକୁ ବ୍ୟବହାର କରାଯାଉଛି. ଏହା ଫଳରେ ଗ୍ରାମବାସୀମାନେ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ବହୁ ଦୁର୍ଦ୍ଦଶା ଭୋଗ କରୁଛନ୍ତି. ମାନ୍ୟବର ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଫ୍ଲୋରୋସିସ୍‌ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଓ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପାର୍ଥନା କରିଥିଲେ

. ଏହି ଗ୍ରାମର ବିଭିନ୍ନ ଜଳ ଉତ୍ସରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିବାର ଜଣାପଡ଼ିବାପରେ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ଫ୍ଲୋରାଇଡ୍‌ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା. ୧୯୮୯ ମସିହାରେ ୧୦ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା. ତେବେ ସେହି ଜଳରେ ମଧ୍ୟ ଫ୍ଲୋରାଇଡ୍‌ର ମାତ୍ରା ଯଥେଷ୍ଟ ଅଧିକ ପରିମାଣରେ ରହିଥିବାର ଜଣାପଡ଼ିଥିଲା. ଏହାପରେ ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏକ ଗଭୀର ବୋରୱେଲ୍‌ରୁ ପାନୀୟ ଜଳ ଯୋଗାଣ କରାଯାଇଥିଲା. ମାତ୍ର ବାରମ୍ବାର ବିଦ୍ୟୁତ ତାର ଚୋରୀ, ଜେନେରେଟର ଖରାପ ହେବା କାରଣରୁ ଏଥିରୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା.ତେବେ ପରେ ଏଥିରେ ମଧ୍ୟ ମାତ୍ରାଧିକ ପରିମାଣରେ ଫ୍ଲୋରାଇଡ୍‌ ରହିଥିବାର ସ୍ପଷ୍ଟ ହୋଇଥିଲା. ଏହି ଗ୍ରାମର ଅଦୂରରେ ପ୍ରବାହିତ ଏକ ନାଳର ଜଳରେ ଫ୍ଲୋରାଇଡର ମାତ୍ରା ଅନୁମୋଦିତ ସ୍ତର ମଧ୍ୟରେ ରହିଥିବା ଜଣାପଡ଼ିବାପରେ ରାଜ୍ୟ ସରକାର ୨୦୦୪ ମସିହାରେ ସେଠାରୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ. ତେବେ ସେହି ଜଳରେ ମଧ୍ୟ ମାତ୍ରାଧିକ ଫ୍ଲୋରାଇଡ୍‌ ରହିଥିବାନେଇ ଅନେକ ମତ ଦିଅନ୍ତି.

ବାଳସିଂହ ଓ ସିଂହପୁର ଗ୍ରାମବାସୀଙ୍କୁ ସରକାର ଫ୍ଲୋରାଇଡ୍‌ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହେବାପରେ ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣକରି ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ. ୨୦୦୨ ମସିହା ଅକ୍ଟୋବର ୪ ତାରିଖ ଦିନ ଖୋର୍ଦ୍ଧାର ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ପାଢ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ଫ୍ଲୋରାଇଡ୍‌ ପ୍ରଭାବିତ ଗ୍ରାମର ଅନ୍ୟତ୍ର ସ୍ଥାନାନ୍ତର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା. ଏଥିରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ନନ୍ଦ ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ. ଏଥିରେ ଦୁଇ ଗ୍ରାମର ସମସ୍ତ ବାସିନ୍ଦାଙ୍କୁ କାଳିଗିରି ନଦୀ ନିକଟସ୍ଥ ସିଂହପୁର ମୌଜା ଅନ୍ତର୍ଗତ ଯୋଗୀମୁଣ୍ଡିଆର ୧୫୭ ନମ୍ବର ପ୍ଲଟ ରେ ପ୍ରାୟ ୧୦ ଏକର ଜମିରେ ଥଇଥାନ କରାଯିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା. ଉକ୍ତ ଦୁଇ ଗ୍ରାମବାସୀଙ୍କ ପାଇଁ ସେଠାରେ ଏକ ମଡେଲ ଗ୍ରାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା. ଏହି ନୂତନ ଜମିର କିସମ ଗୋଚର ହୋଇଥିବାରୁ ତାହାକୁ ପ୍ରଥମେ ତାହାକୁ ଘରବାଡ଼ି ପ୍ଲଟରେ ପରିବର୍ତ୍ତନ କରାଯାଇଥିଲା. ସେଠାରେ ଥିବା କାଜୁବଗିଚାକୁ କାଟି ଜମିକୁ ବାସଗୃହ ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଇଥିଲା. ସେହି ସ୍ଥାନରେ ଗୋଟିଏ ପୋଖରୀ ଓ ଗୋଟିଏ ବୋରୱେଲ୍‌ ଖୋଳି ତାହାର ଜଳ ନମୂନା ପରୀକ୍ଷଣ କରାଯାଇଥିଲା. ସେହି ଜଳରେ ଫ୍ଲୋରାଇଡ୍‌ର ମାତ୍ରା ଅନୁମୋଦିତ ୧.୦ ମି.ଗ୍ରା./ଲି. ମଧ୍ୟରେ ରହିଥିବାର ଜଣାପଡ଼ିଥିଲା. ଗ୍ରାମବାସୀମାନେ ନିଜର ସମସ୍ତ ଘରବାଡ଼ି ଓ ଜମିକୁ ସରକାରଙ୍କୁ ହସ୍ତାନ୍ତର କରି ଏହି ନୂତନ ସ୍ଥାନରେ ବସବାସ କରିବାକୁ ସମ୍ମତି ପ୍ରକାଶ କରିଥିଲେ. ତଦନୁଯାୟୀ ସେଠାରେ ବାସଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ଗ୍ରାମବାସୀଙ୍କୁ ୨୦ ଡିସିମିଲ୍‌ ଜମି ପ୍ରଦାନ କରାଯାଇଥିଲା. ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାରଗୁଡ଼ିକୁ ଇନ୍ଦିରା ଆବାସ ଯୋଜନାରେ ବାସଗୃହ ନିର୍ମାଣ ପାଇଁ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା. .

୨୦୦୩ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ସରକାର ସମସ୍ତ ଗ୍ରାମବାସୀଙ୍କୁ ଯୋଗୀମୁଣ୍ଡିଆସ୍ଥିତ ନୂତନ ଜମିର ପଟ୍ଟା ବଣ୍ଟନ କରିଥିଲେ . ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ୫୬ ଜଣ ଗ୍ରାମବାସୀଙ୍କୁ ନୂତନ ଜମିର ପଟ୍ଟା ବଣ୍ଟନ କରିଥିଲେ. ତେବେ ଏଠାରେ ଥିବା କାଜୁ ବଗିଚାର ମାଲିକାନା ପାଇଥିବା ବ୍ୟକ୍ତିମାନେ ଜିଲ୍ଲା ପ୍ରଶାସନ ବିପକ୍ଷରେ ଅଦାଲତରେ ମୋକଦ୍ଦମା ଦାୟାର କରି ଏହା ଉପରେ ରହିତାଦେଶ ଜାରି କରିଥିଲେ. ଏହା ଫଳରେ ଏହି ସ୍ଥାନରେ ଜମି ପଟ୍ଟା ପାଇଥିବା ବ୍ୟକ୍ତିମାନେ ଜମିକୁ ଅଧିଗ୍ରହଣ କରିବାରେ ଅସୁବିଧା ଭୋଗିଥିଲେ. ପୁନଶ୍ଚ ଗ୍ରାମର କେତେକ ବିତ୍ତଶାଳୀ ବ୍ୟକ୍ତି ଏହି ସ୍ଥାନନ୍ତରଣକୁ ବିରୋଧ କରିଥିଲେ. ଫଳରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା. ଏହାକୁ ନେଇ ଏହି ଶାନ୍ତ ସରଳ ଗ୍ରାମଟିରେ ଅଶାନ୍ତିର ବାତାବରଣ ଦେଖାଦେଇଥିଲା. ଏହି ପରି ଅନେକ ବିବାଦୀୟ ପରିସ୍ଥିତି ହେତୁ ଯୋଗୀମୁଣ୍ଡିଆରେ ଜମି ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କ ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବିତ ହେଲା. ଏହା ଫଳରେ ନୂତନ ସ୍ଥାନକୁ ଯିବା ପୂର୍ବରୁ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ କେତେକ ଲୋକ ମୃତ୍ୟୁମୁଖରେ ପଡ଼ିଲେ. ସେହି ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଥିଲେ ଅଧିକାରୀ ପରିଡ଼ା, ଭ୍ରମର ବଳିୟାରସିଂହ, ରତ୍ନାକର ବଳିୟାରସିଂହ, ମିଞ୍ଜା ନାୟକ, ମାରି ମହାପାତ୍ର, ଫକୀର ନାୟକ, କୁମୁଦ ଦେଈ, ଶୁକ ବେୱା, ଗୋପୀ ନାୟକ, ଜଗନ୍ନାଥ ରାଉତ, ଜମ୍ମୁ ଦଳେଇ ଇତ୍ୟାଦି..

ଫ୍ଲୋରାଇଡ୍‌ ପ୍ରଭାବିତ ବାଳସିଂହ ଓ ସିଂହପୁର ଗ୍ରାମବାସୀଙ୍କ ନିମନ୍ତେ ଯୋଗୀମୁଣ୍ଡିଆଠାରେ ପ୍ରସ୍ତାବିତ ନୂତନ ବସତିରେ ଏକ ମଡେଲ ଭିଲେଜ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା. ଏହି ରିପୋର୍ଟରେ ଗୋଷ୍ଠୀ ଗୃହ ବା କମ୍ୟୁନିଟି ସେଣ୍ଟର ପାଇଁ ୧୬ ଲକ୍ଷ, ଟ୍ୟାଙ୍କ ଖନନ ପାଇଁ ୪ ଲକ୍ଷ, ରାସ୍ତା ନିର୍ମାଣ ପାଇଁ ୨୭ ଲକ୍ଷ, ଖେଳପଡ଼ିଆ ପାଇଁ ୩ ଲକ୍ଷ, ନୂତନ ବାସ ଗୃହ ନିର୍ମାଣ ପାଇଁ ୪୫ ଲକ୍ଷ ଓ ପନୀୟ ଜଳ ଯୋଗାଣ ପଇଁ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା. ଏହା ମଧ୍ୟରେ ବ୍ଲକ ପ୍ରଶାସନ ତରଫରୁ ଯୋଗୀମୁଣ୍ଡିଆରେ ଏକ ପୋଖରୀ ଖନନ କାର୍ଯ୍ୟ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଚାଲିଛି. ସେଠାରେ ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଇଛି. ଉଭୟ ଗ୍ରାମର ୧୦୯ଟି ପରିବାରକୁ ଇନ୍ଦିରା ଆବାସ ଯୋଜନାରେ ବାସଗୃହ ନିର୍ମାଣପାଇଁ ଆର୍ଥିକ ଯୋଗାଇ ଦିଆଯାଇଛି. ଏଠାରେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି..

ବର୍ତ୍ତମାନ ସୁଦ୍ଧା ଉଭୟ ଗ୍ରାମର ମାତ୍ର ୨୦ଟି ପରିବାର ନୂତନ ଗ୍ରାମକୁ ସ୍ଥାନାନ୍ତରିତ ହୋଇ ସେଠାରେ ବସବାସ କରିଛନ୍ତି. ମାତ୍ର ବିଭିନ୍ନ କାରଣରୁ ଗ୍ରାମର ଅନ୍ୟ ସମସ୍ତ ପରିବାର ନୂତନ ଗ୍ରାମକୁ ଯାଇନାହାନ୍ତି. ତେବେ ଗ୍ରାମର ଆଉ ପ୍ରାୟ ୨୦ଟି ପରିବାର ସେଠାକୁ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି. ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମବାସୀମାନଙ୍କୁ ନୂତନ ସ୍ଥାନକୁ ଯିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି. ତେବେ କେତେକ ଗ୍ରାମବାସୀ ନିଜ ଭିଟାମାଟିର ମୋହ ତୁଟାଇ ସେଠାକୁ ଯିବାକୁ ଇଚ୍ଛା କରୁନାହାନ୍ତି. ଗ୍ରାମର କେତେକ ବିତ୍ତଶାଳୀ ବ୍ୟକ୍ତି ନିଜର ସୁଶୋଭିତ ବାସଗୃହକୁ ପରିତ୍ୟାଗକରି ନୂତନ ସ୍ଥାନକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି. ଏଥିପାଇଁ ସେମାନେ ସରକାରଙ୍କଠାରୁ କ୍ଷତିପୂରଣ ଅର୍ଥ ଦାବୀ କରୁଛନ୍ତି. ଗ୍ରାମର ମୁଖ୍ୟ ସାମାଜସେବୀ ତଥା ଫ୍ଲୋରୋସିସ୍‌ ରୋଗୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ଶ୍ରୀ ବରୁଣ ରାଉତ ଗତ ୨୦୦୬ ମସିହା ଜୁନ୍‌ ମାସରୁ ନିଜର ବାସଗୃହକୁ ପରିତ୍ୟାଗ କରି ଏହି ନୂତନ ଗ୍ରାମରେ ବସବାସ କରୁଛନ୍ତି. ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, “ଏହି ନୂତନ ସ୍ଥାନକୁ ଗ୍ରାମବାସୀ ନ ଆସିବା ପାଇଁ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟୀ. ସରକାରଙ୍କ ଅବହେଳା ପାଇଁ ଫ୍ଲୋରାଇଡ୍‌ ପ୍ରଭାବିତ ଉଭୟ ଗ୍ରାମର ବିସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନାହିଁ. ଫଳରେ ଗ୍ରାମବାସୀମାନେ ଦୂଷିତ ଜଳ ପାନ କରି ସହଜରେ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି. ସରକାର ପ୍ରସ୍ତାବିତ ମଡେଲ ଗ୍ରାମ ଅନୁସାରେ ବିସ୍ଥାପିତ ଗ୍ରାମବାସୀମାନଙ୍କ ପାଇଁ ଏଠାରେ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରିବା ଉଚିତ. ସରକାରଙ୍କ ବିସ୍ଥାପନ ନୀତି ଅନୁସାରେ ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ଉଚିତ. ଏହାହେଲେ ଗ୍ରାମବାସୀ ବିସ୍ଥାପିତ ସ୍ଥାନରେ ନିଶ୍ଚିତରୂପେ ବାସ କରିବେ.” .

ସମାଜସେବୀ ବରୁଣ ରାଉତ

ଫ୍ଲୋରାଇଡ୍‌ ପ୍ରଭାବିତ ନୂଆପଡ଼ା ଜିଲ୍ଲା


ଓଡ଼ିଶାରେ ସର୍ବାଧିକ ଫ୍ଲୋରାଇଡ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା ଜିଲ୍ଲା ଅନ୍ୟତମ. ଏହି ବଣ ପାହାଡ଼ ଘେରା ଜିଲ୍ଲାର ପ୍ରାୟ ଅର୍ଦ୍ଧାଧିକ ଜନବସତିର ଲୋକେ ଫ୍ଲୋରାଇଡ୍‌ଯୁକ୍ତ ପ୍ରଦୂଷିତ ଜଳ ସେବନ କରି ଫ୍ଲୋରୋସିସ୍ ରୋଗ ସହିତ ସଂଗ୍ରାମ କରୁଛନ୍ତି. ଆଞ୍ଚଳିକ ବିକାଶ ଓ ସହଯୋଗ କେନ୍ଦ୍ର (RCDC) ତରଫରୁ ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ଯେ, ନୂଆପଡ଼ା ଜିଲ୍ଲାର ନୂଆପଡ଼ା, ଖରିଆର, ସିନାପାଲି, କୋମନା ଓ ବୋଡ଼େନ୍‌ ବ୍ଲକର ଭୂତଳ ଜଳରେ ଅନୁମୋଦିତ ମାତ୍ରାଠାରୁ ଅଧିକ ଫ୍ଲୋରାଇଡ୍‌ ରହିଛି. ଏହି ୫ ଟି ବ୍ଲକ ଅନ୍ତର୍ଗତ ୭୩ଟି ଗ୍ରାମ ପଞ୍ଚାୟତର ୨୪୭ଟି ଗ୍ରାମ ଓ ୩୯୮ଟି ଜନବସତି ଫ୍ଲୋରାଇଡ୍‌ଦ୍ୱାରା ପ୍ରଭାବିତ. ଏକ ସର୍ଭେରୁ ଜଣାଯାଏ ଯେ, ଏହି ଜିଲ୍ଲାର ୮୯୨ଟି ଜଳ ଉତ୍ସରେ ଫ୍ଲୋରାଇଡ୍‌ର ମାତ୍ରା ୧.୦ ମି.ଗ୍ରା./ଲି.ରୁ ଅଧିକ ରହିଛି. ଏହା ମଧ୍ୟରୁ ୬୩୧ଟି ଜଳ ଉତ୍ସରେ ଫ୍ଲୋରାଇଡ୍‌ର ମାତ୍ରା ୧.୫ ମି.ଗ୍ରା./ଲି.ରୁ ଅଧିକ ରହିଛି . ସେହିପରି ଜିଲ୍ଲାରେ ଥିବା ମୋଟ ୯୫୦୦ଟି ନଳକୂପ ମଧ୍ୟରୁ ୧୪୦୦ଟି ନଳକୂପର ଜଳରେ ଫ୍ଲୋରାଇଡ୍‌ ଅନୁମୋଦିତ ମାତ୍ରା ଠାରୁ ଅଧିକ ରହିଥିବାର ଜଣାପଡ଼ିଛି. ଏହି ସବୁ ନଳକୂପଗୁଡ଼ିକୁ ନାଲି ଛକି ମାରି ଏହାର ଜଳକୁ ପାନୀୟ ରୂପେ ବ୍ୟବହାର କରିବାକୁ ନିଷିଦ୍ଧ କରାଯାଇଛି. ସିନାପାଲି ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ ୧୭ଟି ପଞ୍ଚାୟତର ଲୋକେ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି. ନୂଆପଡ଼ା ଫ୍ଲୋରାଇଡ ପ୍ରଭାବିତ ଜାମପାଣି, କଲରାକୋଟ, ପଳସିପାଣି, ଧୁମାଭଟା, ବିଶେରା ଆଦି ଗ୍ରାମରେ ଏବେ ଶତାଧିକ ଲୋକ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି. ତେଣୁ ସେହି ଗ୍ରାମର ସମସ୍ତ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି.

ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅଧୀନସ୍ଥ କେନ୍ଦୁମୁଣ୍ଡା ପଞ୍ଚାୟତର ଏକ ଗ୍ରାମ ହେଉଛି ଜାମପାଣି .ସିନାପାଲି ସଦର ମହକୁମାଠାରୁ ୧୫ କି.ମି. ଦୂର ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଏହି ବଣପାହାଡ଼ ଘେରା ଗ୍ରାମକୁ ଏବେ ଫ୍ଲୋରୋସିସ୍‌ ରୋଗ କବଳିତ କରି ରଖିଛି . ଏହା ଏବେ ଏଠାକାର ସରଳ ନିରୀହ ଅଧିବାସୀଙ୍କ ମଧ୍ୟରେ ଆତଙ୍କର କାରଣ ସାଜିଛି. ପ୍ରାୟ ୧୦୦୨ ବିଶିଷ୍ଟ ଏଠାରେ ବସବାସ କରୁଥିବା ଏହି ଗ୍ରାମର ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ. ଏଠାକାର ଅଧିକାଂଶଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି.ଦୁଇଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ଏହି ଗ୍ରାମରେ ୧୨ଟି ନଳକୂଅ ଓ ୫୪ ଟି କୂଅ ଖୋଳାଯାଇଥିଲେ ବି ପ୍ରତ୍ୟେକ ପାଣିରେ ମାତ୍ରାଧିକ ଫ୍ଲୋରାଇଡ ରହିଥିବାର ଜଣାପଡ଼ିଛି. ଏହି ଗ୍ରାମରେ ଥିବା ସମସ୍ତ ପାନୀୟ ଜଳ ଉତ୍ସରେ ମାତ୍ରାଧିକ ପରିମାଣରେ ଫ୍ଲୋରାଇଡ୍‌ ରହିଥିବାରୁ ଲୋକେ ତାହାକୁ ବ୍ୟବହାର କରି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି. କେବଳ ଏହି ଗ୍ରାମ ନୁହେଁ, ଏହାର ଆଖପାଖ ଗ୍ରାମର ପାନୀୟ ଜଳରେ ବହୁ ଅଧିକ ପରିମାଣର ଫ୍ଲୋରାଇଡ ରହୁଥିବାର ଜଣାପଡ଼ିଛି.

ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ଗୋରୁ ଜାମପାଣି ଗ୍ରାମର ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍‌ ରହୁଥିବାରୁ ଏହାର ପ୍ରଭାବରେ ଏଠାରେ ଅଧିକାଂଶ ଲୋକଙ୍କର ଦାନ୍ତ ମାଟିଆ ଓ କଳାପଡ଼ିଯାଉଛି. ଅନେକଙ୍କର ହାତ, ଗୋଡ଼ ଓ ମେରୁଦଣ୍ଡ ବଙ୍କା ହୋଇଯାଉଛି. ଫଳରେ ସେମାନେ ବିକଳାଙ୍ଗ ହୋଇଯାଉଛନ୍ତି. ଏହି ବିଷାକ୍ତ ପଦାର୍ଥ ପ୍ରଭାବରେ ରୋଗୀଙ୍କଠାରେ ସ୍ନାୟବିକ ଦୁର୍ବଳତା, ସ୍ମରଣ ଶକ୍ତି ହ୍ରାସ, ପେଟ ରୋଗ, ଆଣ୍ଠୁଗଣ୍ଠି ଫୁଲା ସହିତ ଅକାଳ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ପରିଦୃଷ୍ଟ ହେଉଛି. ଏପରିକି ଏହି କାରଣରୁ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଭିନ୍ନକ୍ଷମ ଶିଶୁ ଜନ୍ମ ନେଉଥିବାର ଦେଖିବାକୁ ମିଳୁଛି. ଏହି ଗ୍ରାମର ଅନେକ ନାବାଳକ ଝିଅ ପୁଅ ଏବେ ବିକଳାଙ୍ଗ ହୋଇପଡ଼ିଛନ୍ତି. କେତେକ ଶିଶୁଙ୍କଠାରେ ମାନସିକ ବିକୃତି ଲକ୍ଷଣ ପ୍ରକାଶ ପାଇଛି. ସେମାନଙ୍କର ଗରିବ ବାପା ମା’ ଅର୍ଥାଭାବରୁ ସେମାନଙ୍କର ଚିକିତ୍ସା କରିପାରୁନାହାନ୍ତି. ଏହି ଗ୍ରାମର ପ୍ରାୟ ୪୦ ଜଣ ଦମ୍ପତି ନିସନ୍ତାନ ରହିଥିବାର ଜଣାପଡ଼ିଛି. ଏହି ଗ୍ରାମରେ ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଗତ ବର୍ଷକ ମଧ୍ୟରେ ୮ ଜଣରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି. ବର୍ତ୍ତମାନ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଛନ୍ତି. ସେମନଙ୍କ ମଧ୍ୟରୁ ୫ରୁ ଉର୍ଦ୍ଧ୍ୱ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି. ଲୋକେ ଅର୍ଥାଭାବରୁ ଏହି ରୋଗର ଉପଯୁକ୍ତ ଚିକିତ୍ସା କରିପାରୁନାହାନ୍ତି. ଏହି ଦୂରାରୋଗ୍ୟ ବ୍ୟାଧି ଯୋଗୁଁ ଜାମପାଣି ଗ୍ରାମବାସୀ ଏକରକମ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି. ଏହି ପ୍ରାକୃତିକ କାରଣ ଲାଗି ଅନ୍ୟ ଅଞ୍ଚଳର ଲୋକେ ଏହି ଗ୍ରାମରେ ଝିଅ ବାହା ଦେବାକୁ ଚାହୁଁ ନାହାନ୍ତି କି ଏହି ଗ୍ରାମରୁ ଝିଅଙ୍କୁ ବୋହୁ କରି ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି. ଅନ୍ୟମାନେ ଏହି ଗ୍ରାମରୁ ପାଣି ଟୋପାଏ ଛୁଇଁବାକୁ ଘୃଣା କରୁଛନ୍ତି. ସ୍ଥାନୀୟ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଅଭାବରୁ ଏହି ଗ୍ରାମବାସୀ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି.

ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରେ ନଳକୂଅ ଓ କୂଅ ଜଳରେ ମାତ୍ରାଧିକ ପରିମାଣର ଫ୍ଲୋରାଇଡ ରହିଥିବାର ସ୍ପଷ୍ଟ ହେବାପରେ ପ୍ରଶାସନ ତରଫରୁ ଫ୍ଲୋରାଇଡ୍‌ ପ୍ରଭାବିତ ଗ୍ରାମଗୁଡ଼ିକର ଚିହ୍ନୋଟ କରାଯାଇଛି. ଫ୍ଲୋରାଇଡ ପ୍ରଭାବିତ ଗ୍ରାମ ଗୁଡ଼ିକ ମଧ୍ୟରୁ ୩୫୧ଟି ଗ୍ରାମରେ ପାଇପ୍‌ ଜଳ ଯୋଗାଇ ଦିଆଯାଉଥିବାବେଳେ ଅବଶିଷ୍ଟ ୫୫୪ଟି ଗ୍ରାମରେ ଅସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୁପ ଡି-ଫ୍ଲୋରାଇଡ ପ୍ଲାଣ୍ଟର ବ୍ୟବସ୍ଥା କରାଯାଇଛି. ଜିଲ୍ଲାର ୬ ଟି ଗ୍ରାମରେ ମିଶନ ମୋଡ଼ରେ ଫ୍ଲୋରାଇଡ ମୁକ୍ତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି. ଗତ ୨୦୧୫-୧୬ ମସିହାରେ ଖଡ଼ିଆଳ ବ୍ଲକର ଅରେଡ଼ା ଗ୍ରାମରେ ୯୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଭୋଜପୁର ଗ୍ରାମରେ ୯୫ ଲକ୍ଷ, ଡୋଙ୍ଗରାପାଲି ଗ୍ରାମରେ ୯୪ ଲକ୍ଷ, ଜନ୍ଦ୍ରାମୁଣ୍ଡା ଗ୍ରାମରେ ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି. ସେହିପରି ଫ୍ଲୋରାଇଡ୍‌ ମୁକ୍ତ ପାନୀୟ ଜଳ ଯୋଗାଣ ପାଇଁ ସିନାପାଲି ବ୍ଲକର ମୁଖାପଦର ଗ୍ରାମରେ ୧ କୋଟି ୨୦ ଲକ୍ଷ, ନୂଆପଡ଼ା ବ୍ଲକର ବୁଢ଼ାପାଲି ଗ୍ରାମରେ ୧ କୋଟି ୭୬ ଲକ୍ଷ ଟଙ୍କାର ବ୍ୟୟରେ ଅଟକଳ କରାଯାଇଛି. ଏହି ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ବୃହତ ଜଳ ଯୋଗାଣ କାର୍ଯ୍ୟକ୍ରମ ଅଧୀନରେ ୭୫୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି. ଖରାଦିନେ ଏହି ଅଞ୍ଚଳର ଜଳକ୍ଲିଷ୍ଟ ଗ୍ରାମ ଗୁଡ଼ିକୁ ଟ୍ୟାଙ୍କରଯୋଗେ ଜଳ ଯୋଗାଇ ଦିଆଯାଉଛି. ନୂଆପଡ଼ା ଜିଲ୍ଲାରେ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ଗ୍ରାମଗୁଡ଼ିକରେ ଡିଫ୍ଲୋରାଇଡେସନ ପ୍ଲାଣ୍ଟ ମାଧ୍ୟମରେ ନଳକୂପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି. କୁଖ୍ୟାତ ଜାମପାଣି ଗ୍ରାମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଫ୍ଲୋରାଇଡ୍‌ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି.

ସମାପ୍ତ

Summary: Fluoride Contamination in Odisha


Fluoride is the compound form of fluorine. Fluorine is a highly toxic and corrosive gas, light yellow–green in colour and with a pungent smell. Fluorides occur on the earth in several minerals, particularly fluorite. In some of the regions, the crust is loaded with fluoride bearing rocks. This fluoride leaches out and contaminates the adjacent water and soil resources. Generally ground water possesses a huge concentration of fluoride due to geological reasons. The permissible upper limit for fluoride in drinking water should be 1.5 mg/l (1.5 ppm or parts per million) as per the guidelines of WHO published in 1984. In India the desirable limit of fluoride is 1 mg/l as per Bureau of Indian standards (BIS).

High level of fluoride in drinking water is injurious to health. Fluorosis is a public health problem caused by taking fluoride contaminated drinking water over long period of time. Fluorosis is a result of abnormal deposition of fluoride in hard tissues. It results in major health disorders like dental fluorosis, skeletal fluorosis, and non-skeletal fluorosis.

Fluoride contamination of ground water is global phenomenon. In India, 230 districts of 20 states have fluoride contamination of their drinking water. As on 1st April, 2014 the population at risk with high level of fluoride in drinking water is over 11.7 million. In order to address the problem of fluorosis in the country Govt of India has initiated National Programme for Prevention and Control of Fluorosis (NPPCF) in 2008-09. In Odisha most of the districts are highly affected with Fluoride. During the Q & A sessions of in the Odisha Assembly held in the 25th March, 2016, Mr Badri Narayan Patra, Minister of Rural Development answered, the ground water in 101 villages of the state is not suitable for drinking due to presence of excess fluoride.

One of the most affected and publicized area in the state of Odisha which has drawn worldwide attention for fluorosis menace is the area comprising parts of Begunia and Bolagarh blocks of Khurda District and Bhapur Block of Nayagarh District. The twin village Balsingh and Singhpur in this area is a highly affected area.The area came into lime light when the people of were affected by a mysterious disease way back in 1987-88 and some even died of the disease. Later on it was established that that disease is nothing but fluorosis . Analysis of the ground water by some State Government Agencies then revealed that fluoride level in the water in the village tube wells was 3.18 mg/l. surprisingly the fluoride level in the water in the open wells and ponds was as high as 7.10 mg/l and 10.55 mg/l. Hundreds of people have died of fluorosis since then. Several people of the village are affected by the menace of fluorosis, which is characterized by deformed body with swelling of the joints, bending of legs, mottling of teeth along with premature ageing problems. The cattle, agricultural fields have also not been spared by the menace.

The high level of fluoride in drinking water in the village made the district administration to seal seal all water sources. In 1989, the district administration started supplying piped water to the two villages which was also said to have high level of fluoride. The people first started using the water from a deep bore well at a distance of 1.5 km from the village. But even this water was later found to be high on fluoride content.At a meeting presided over by the then Khurda Collector, Madhusudan Padhi on June 27, 2002 , it was decided to relocate the two villages at nearby Jogimundia. As per the decision taken at the meeting, those with land in the two villages were to be given compensatory land at the new place and 47 houses constructed under the Indira Awas Yojana for the landless. On June 13, 2003, the then Revenue minister Biswa Bhusan Harichandan distributed land pattas to 88 of the 197 families in the two villages. The relocation of the two villages was delayed due to some litigation as well as the protest of some affluent families of the village. Now a model village has been planned by the district administration in the place earmarked for relocation of the two villages. Safe drinking water supply, electricity supply and other basic amenities are being arranged in this ne village. At present 20 families have been shifted to the new village and rest of the families are in the pipe line.

Another region in the state of Odisha which has drawn worldwide attention for fluorosis menace is the Nuapada district. 247 villages belong to 5 blocks of this district are highly affected with fluoride. Out of the 9500 tube wells in the district 1400 tube wells said to have the higher fluoride level than the permissible limit. The Nuapada district has been added under the NPPCF in 2010-11.

Post new comment

The content of this field is kept private and will not be shown publicly.
  • Web page addresses and e-mail addresses turn into links automatically.
  • Allowed HTML tags: <a> <em> <strong> <cite> <code> <ul> <ol> <li> <dl> <dt> <dd>
  • Lines and paragraphs break automatically.

More information about formatting options

CAPTCHA
यह सवाल इस परीक्षण के लिए है कि क्या आप एक इंसान हैं या मशीनी स्वचालित स्पैम प्रस्तुतियाँ डालने वाली चीज
इस सरल गणितीय समस्या का समाधान करें. जैसे- उदाहरण 1+ 3= 4 और अपना पोस्ट करें
2 + 15 =
Solve this simple math problem and enter the result. E.g. for 1+3, enter 4.