ଖୋଲାରେ ହଗିବା ଲୋକକୁ ଜଗିବା ଚିନ୍ତା

Submitted by Hindi on Thu, 05/03/2018 - 08:29


ସରକାରୀ ଲକ୍ଷ୍ୟ ଅନୁସାରେ ଆଉ ୧୭ ମାସ ବେଳକୁ ଭାରତର ଆଉ ଖୋଲାରେ ମଳତ୍ୟାଗ କରୁ ନଥିବେ। ସମସ୍ତଙ୍କ ପାଇଖାନାର ବ୍ୟବସ୍ଥା ହୋଇଯାଇଥିବ। ତେବେ ସମସ୍ତଙ୍କ ପାଇଁ ପାଇଖାନାର ବ୍ୟବସ୍ଥା ହୋଇଯିବା ଓ ପାଇଖାନାକୁ ବ୍ୟବହାର କରିବା ଦୁଇଟା ସମ୍ପୂର୍ଣ୍ଣ ଅଲଗା ସ୍ଥିତି ବୋଲି କହନ୍ତି ଅନେକ ବିଶେଷଜ୍ଞ। ଯଦିଓ ପାଇଖାନା ତିଆରି ହେବା ପରେ ବାହାରେ ମଳତ୍ୟାଗ କରୁଥିବା ଘଟଣାକୁ ଅନେକ କମ୍ କରିଛି କିନ୍ତୁ କେବଳ ପାଇଖାନା ହୋଇଯିବା ଖୋଲାରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ବିଲୋପ କରିବାରେ ସକ୍ଷମ ହେବନାହିଁ ବୋଲି ଚିନ୍ତା ବଢିବାରେ ଲାଗିଛି। ଏଭଳି ବାସ୍ତବତାର ସମାଧାନ ପାଇଁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ନିକଟରେ ଆରମ୍ଭ ହୋଇଛି ଏକ ମଳମୁକ୍ତ ମହାନଦୀ ଓ ସବୁଜ ସମ୍ବଲପୁର ଅଭିଯାନ। ଏହାକୁ ମିଳୁଛି ଭରପୁର ସମର୍ଥନ। ତେବେ ଖୋଲାରେ ମଳ ତ୍ୟାଗ ବନ୍ଦ କରିବା ପାଇଁ ପ୍ରଶାସନ ଡରାଉଛି ବୋଲି ଥୋକେ ଲୋକ ଅଭିଯୋଗ କରୁଛନ୍ତି।

Huge Sambalpur Mini-Marathon for clean Mahanadi and Green Sambalpurଓଡ଼ିଶାର ସମ୍ବଲପୁର ସହରରେ ମହାନଦୀ କୂଳେକୂଳେ ଗଡ଼ିଯାଇଛି ପ୍ରାୟ ଚାରି କିଲୋମିଟର ଲମ୍ବର ସୁଢୋଳ ରିଙ୍ଗ ରୋଡ଼୍। ରାସ୍ତାର କୂଳେକୁଳେ ସହରର ନିଘଞ୍ଚ ବସତି। ମଝିରେ ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର। ସେଦିନ ବଡ଼ି ସକାଳୁସକାଳୁ ଜିଲ୍ଲାପାଳ ମହୋଦୟ ସାଥୀରେ ଅଫିସର ତଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ବନ୍ଧୁକ ତଥା ହ୍ୱିସିଲଧାରୀ ସିପାହୀମାନଙ୍କୁ ଧରି ପହଞ୍ଚିଗଲେ ସେଠି ଆଉ ପାଦରେ ଚାଲିଲେ ସେହି ନଦୀକୂଳ ରାସ୍ତାରେ। ସୁନ୍ଦରିଆ ରିଙ୍ଗରୋଡ଼ରେ ଗଲାବେଳେ ନାକ ଖୋଲା ରଖିଲେ ଅବସ୍ଥା ବେହାଲ ହୋଇଯାଏ। ନାକ ଫାଟି ଯାଏ ଆଉ ଖୋଲାରେ ମଳତ୍ୟାଗର ଚିତ୍ର ଦେଖି ଆଖି ବନ୍ଦ ହୋଇଯାଏ। ଏହି ରିଙ୍ଗରୋଡ୍ ଓ ନଦୀ ପଠା ଅନେକ ଲୋକଙ୍କର ମଳତ୍ୟାଗର ସ୍ଥାନ। ସେଠାରେ ମଳତ୍ୟାଗ କରୁଥିବା ପ୍ରାୟ ଅଧିକାଂଶ ଲୋକଙ୍କର ମୋଟର ଗାଡ଼ି ଓ ବାଇକ ଅଛି, ଅନେକେ ମହଙ୍ଗିଆ ଫୋନ ଧରି ବୁଲନ୍ତି। କିଛି ଲୋକଙ୍କର କୋଠା ବି ଅଛି। କିନ୍ତୁ ସେମାନେ ମଳତ୍ୟାଗ କରନ୍ତି ରାସ୍ତା କଡ଼ରେ, ଫୁଟପାଥ ଉପରେ ବା ନଦୀର କୂଳରେ।

ସେହି ସକାଳେ ସେମିତି ଲୋକଙ୍କୁ ହାବୁଡ଼ିଲେ ଜିଲ୍ଲାପାଳ ଓ ତାଙ୍କ ସଙ୍ଗରେ ଥିବା ସମ୍ବଲପୁର ନଗର ନିଗମର ଅଧିକାରୀ ବୃନ୍ଦ। ସାଙ୍ଗରେ ଆହୁରି ବି ଥିଲେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଅନେକ ଜବାନ। ସେମାନେ ଭେଟିବା ଲୋକଙ୍କୁ ପଦାରେ ମଳତ୍ୟାଗ ନ କରିବା ପାଇଁ ବୁଝାଇଲେ। କହିଲେ ଘରେ ପାଇଖାନା କର, ନ ଥିଲେ ସରକାର ନୂଆକରି ତିଆରିଥିବା ୧୧ଟି ସାମୁହିକ ଶୌଚାଳୟକୁ ବ୍ୟବହାର କର। କିଛି ଲୋକ ବୁଝି ଫେରିଲେ। କହିଲେ, ହଁ, ଆମେ ଏଥର ପାଇଖାନା ହିଁ ବ୍ୟବହାର କରିବୁ। କିଛି ଅମାନିଆଙ୍କୁ ରିଜର୍ଭ ପୋଲିସର ବଳୁଆ ସିପାହୀମାନେ ହ୍ୱିସିଲ ମାରି ଗୋଡ଼ାଇଲେ ଆଉ ଆକଟ କଲେ। ଏହିଭଳି ପ୍ରୟାସ ସପ୍ତାହେ ଧରି ଚାଲିବା ପରେ ଜିଲ୍ଲା ପ୍ରଶାସନ ଏହାର ପରିସରକୁ ଆହୁରି ବ୍ୟାପକ କରି ଲୋକଙ୍କୁ ସଚେତନ କରିବା ପାଇଁ ମିନି ମାରାଥନ ଭଳି ସଫଳ ଆୟୋଜନ କରିଛନ୍ତି।

ଜିଲ୍ଲା ପ୍ରଶାସନ, ପୋଲିସ ଓ ନଗର ନିଗମର ଏହି ପ୍ରୟାସକୁ ଅନେକ ଲୋକ ସମର୍ଥନ କରିଥିବା ବେଳେ ଥୋକେ ଲୋକ କାହିଁକି ପୋଲିସ ନାଲି ଆଖି ଦେଖି ଡରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପ୍ରଶ୍ନକରୁଛନ୍ତି ଯେ ଅନେକ ଗରିବ ଲୋକଙ୍କର ପାଇଖାନା ନାହିଁ, ସେମାନେ ଯିବେ କୁଆଡ଼େ? କିଛି ଲୋକ ଏହା କହି ଯୁକ୍ତି କରୁଛନ୍ତି ଯେ ତୁମେ ସାଧାରଣ ଲୋକଙ୍କୁ ପୋଲିସ ଦେଖାଇ ଯେମିତି ଡରାଉଛ, ନଦୀନାଳ ଜମିବାଡ଼ି ଓ ଆମ ବାୟୁମଣ୍ଡଳକୁ ମଳିଆ କରୁଥିବା ଶିଳ୍ପପତିଙ୍କୁ ସେମିତି ନାଲି ଆଖି ଦେଖାଉନ କାହିଁକି? ସେମାନେ ବି ତ ଆମ ପରିବେଶକୁ ଦୁଃସହ କରିଦେଉଛନ୍ତି! ବିରୋଧ କରୁଥିବା ଲୋକଙ୍କ ସେହିଭଳି ଯୁକ୍ତିରେ ଅବଶ୍ୟ କିଛି ତର୍କ ଥାଇପାରେ। ସେହିଭଳି ତର୍କ କିନ୍ତୁ ତାହା ଖୋଲାରେ ଏବଂ ରାସ୍ତା ଓ ନଦୀଘାଟ ଭଳି ସର୍ବସାଧାରଣ ସ୍ଥାନମାନଙ୍କରେ ମଳତ୍ୟାଗ ବନ୍ଦ କରିବା ପାଇଁ ବଳର ଆବଶ୍ୟକତା ବା ଯୁକ୍ତିଯୁକ୍ତତା ଉପରେ ତର୍କ କରିବା ପାଇଁ ଅବଶ୍ୟ ଖୋରାକ ଯୋଗାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ନଗର ନିଗମର ଏହି ଅଭିଯାନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ସ୍ୱତଃ ସାମିଲ ହୋଇଥିବାର ପ୍ରଶାସନ କହିଛନ୍ତି। ସେମାନେ ବଳ ପ୍ରୟୋଗ କରିନାହାନ୍ତି, ଲୋକଙ୍କୁ ବୁଝାଇଛନ୍ତି ଓ ଚେତାଇଛନ୍ତି।

ସମ୍ବଲପୁରରେ ପୋଲିସ ବଳ କେବଳ ହ୍ୱିସିଲ ମାରିଛି, ଲୋକଙ୍କୁ ତାଗିଦ୍ କରିଛି। କିନ୍ତୁ ଭାରତର ଅନେକ ସ୍ଥାନରେ ଖୋଲାରେ ମଳତ୍ୟାଗକୁ ବନ୍ଦ କରିବା ପାଇଁ ବଳପ୍ରୟୋଗ ଆରମ୍ଭ ହୋଇଗଲାଣି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବେ ଯେମିତି ଏକ ଅଭିଯାନ ଆରମ୍ଭ କରିଛନ୍ତି ସେମିତି ଏକ ଅଭିଯାନ ତେଲେଙ୍ଗାନା ରାଜ୍ୟର କରିମନଗର ପ୍ରଶାସନ ଓ ପୋଲିସ ଚଲାଇଥିଲେ ୨୦୧୭ ନଭେମ୍ବରରେ। ଲୋକଙ୍କୁ ବୁଝାଇବା ପରେ ମଧ୍ୟ ନ ବୁଝିବାରୁ ପୋଲିସ ଦ୍ରୋନ ବା ଚାଳକ ବିହୀନ ବିମାନ ଉଡ଼ାଇଥିଲା ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଉପରେ। ତାଙ୍କ ଫଟୋ ଉଠାଇଲା ଓ ସେଭଳି ଲୋକଙ୍କୁ ସର୍ବସାଧାରଣରେ ଲଜ୍ଜିତ କଲା। କିଛି ଦିନର ଅଭିଯାନ ପରେ ଖୋଲାରେ ମଳତ୍ୟାଗ ପ୍ରାୟ ବନ୍ଦ ହୋଇଗଲା କରିମନଗର ସହରରେ। ମହାରାଷ୍ଟ୍ରର ବିଡ଼୍ ଜିଲ୍ଲାରେ ମଧ୍ୟ ସେମିତି ଏକ ଅଭିଯାନରେ ସକାଳୁ ସକାଳୁ ସରକାରୀ ଅଧିକାରୀ ତଥା ଲୋକଙ୍କ ମଧ୍ୟରୁ କିଛି ମୁଖିଆ ବାହାରି ବୁଲିଲେ। ଯିଏ ପଦାରେ ମଳତ୍ୟାଗ କଲା ତାହାକୁ ଲଜ୍ଜିତ କଲେ, ଜୋରିମାନା ଠୁଙ୍କିଲେ। ଅଭିଯାନ ଅନେକ ସଫଳ ହେଲା। ଲୋକେ ତିଆରି କରି ବେକାର ପକାଇ ରଖୁଥିବା ପାଇଖାନା ବ୍ୟବହାର କରିବା ଆରମ୍ଭ କଲେ। ଗତ ବର୍ଷ ଜାନୁୟାରୀରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ଓ ପୋଲିସ ପ୍ରଶାସନ ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ମହାରାଷ୍ଟ୍ରର ଏକ ରାଜ୍ୟ ଆଇନ ବଳରେ ଗିରଫ କରିବା ଆରମ୍ଭ କରିଦେଲେ। କୋର୍ଟ ସେହିଭଳି ‘ଅପରାଧୀ’ଙ୍କୁ ଦୟା ଦେଖାଇ ୪୦୦ ଟଙ୍କାର ଜୋରିମାନାରେ ଛାଡ଼ ଅବଶ୍ୟ କଲେ କିନ୍ତୁ ପୁଣି ଧରା ହେଲେ ଦୟାକରିବେ ନାହିଁ ବୋଲି ଶୁଣାଇଦେଲେ।

୨୦୧୭ ଅଗଷ୍ଟରେ ରାଜସ୍ଥାନର ଭିଲୱାରା ଜିଲ୍ଲାରେ ଖୋଲାରେ ମଳତ୍ୟାଗ କରିବା ‘ଅପରାଧ’ରେ ଅନେକଙ୍କୁ ପୋଲିସ ଗିରଫ କରିନେଲା। ରାଜସ୍ଥାନ କୋର୍ଟ ତାଙ୍କୁ ଜାମିନ ଦେଲା କିନ୍ତୁ ସହଜରେ ନୁହେଁ, ଦଶହଜାର ଟଙ୍କାର ଜମାନତରେ ତଥା ୧୫ ଦିନ ଭିତରେ ପାଇଖାନା ତିଆରି କରି ତାହା ବ୍ୟବହାର କରିବାର ହୁକୁମ ଦେଇ। ଅନେକ ସ୍ଥାନରେ ପ୍ରଶାସନ ଡରାଇଲାଣି ଯେ ପାଇଖାନା ବ୍ୟବହାର କରୁ ନଥିବା ଲୋକଙ୍କୁ ମିଳୁଥିବା ସରକାରୀ ସହାୟତାମାନ ବନ୍ଦ କରି ଦିଆଯିବ। ପାଇଖାନା ନଥିଲେ ପଞ୍ଚାୟତ ନିର୍ବାଚନ ଲଢ଼ିବା ମନା ହୋଇଛି ଅନେକ ରାଜ୍ୟରେ। ଛତିଶଗଡ଼ ସରକାର ପାଇଖାନା ନାହିଁ ତ ଚାକିରି ନାହିଁ ବୋଲି ହୁକୁମ ଜାରି କରିଥିଲେ ୨୦୧୬ରେ। ବିଭିନ୍ନ ସମୟରେ ଅଦାଲତ ଆଦି ମଧ୍ୟ ଏଥିରେ ମୁଣ୍ଡ ପୁରାଇଛନ୍ତି। ୨୦୧୭ ମେ ମାସରେ ଜାତୀୟ ଗ୍ରୀନ ଟ୍ରିବୁନାଲ ଏକ ଆଦେଶରେ କହିଲେ ଯେ ଦିଲ୍ଲୀର ଯମୁନା ନଦୀ ତଥା ପାଶ୍ୱର୍ବର୍ତ୍ତୀ କ୍ଷେତ୍ରରେ କେହି ଖୋଲାରେ ମଳତ୍ୟାଗ କରିପାରିବେ ନାହିଁ, ଯଦି କରିବେ ତାଙ୍କୁ ସିଧା ୫,୦୦୦ ଟଙ୍କା ଜୋରିମାନା ହେବ। ପାଇଖାନା ଥାଇ ମଧ୍ୟ ତାହା ବ୍ୟବହାର ହେଉ ନଥିବାର ଉପଲବ୍ଧି କରି ଏବେ ଏମିତି ଫିକର ଚାଲିଥିବା ବେଳେ ଏମିତି କିଛି କରିବା ପାଇଁ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗ ସମସ୍ତ ରାଜ୍ୟ ସରକାରମାନଙ୍କୁ ଏକ ପତ୍ର ଲେଖିଥିଲା ୨୦୧୬ ମସିହା ଏପ୍ରିଲ ମାସରେ। ସେଥିରେ କେନ୍ଦ୍ରସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ ଯେ ରାଜ୍ୟମାନେ ତାଙ୍କର ନଗର ପରିଷଦ/ନିଗମ ଆଇନମାନଙ୍କରେ ସଂଶୋଧନ ଅଣି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଦଣ୍ଡିତ କରନ୍ତୁ ତଥା ଜୋରିମାନା ଓ କ୍ଷତିପୂରଣ ଆଦାୟ କରନ୍ତୁ।

ଦୁର୍ଗନ୍ଧିଆ ପରିବେଶ, ଅପରିସ୍କାର ନଦୀକୁ କେହି ଭଲ ପାଆନ୍ତି ନାହିଁ। କିନ୍ତୁ ବିଭିନ୍ନ ବାହାନା ବା କାରଣରୁ ଖୋଲାରେ ମଳତ୍ୟାଗ ଭାରତୀୟ ସମାଜରେ ଏବେ ମଧ୍ୟ ଅଗ୍ରହଣୀୟ ହୋଇନାହିଁ। କେହି ପାଇଖାନାକୁ ଅପବିତ୍ର ମନେ କରନ୍ତି, କୌଣସି ପରିବାରରେ କେବଳ ମହିଳାମାନେ ବ୍ୟବହାର କରନ୍ତି ବା ବୋହୁ ଥିଲେ ଶଶୁର ବ୍ୟବହାର କରନ୍ତି ନି, କେଉଁଠି ପାଣିର ଅଭାବରୁ ବ୍ୟବହାର ହୁଏ ନି ଏବଂ ଅନେକ ସ୍ଥାନରେ ପାଇଖାନାର ସ୍ଥିତି ହୁଏତ ବ୍ୟବହାର ଯୋଗ୍ୟ ନଥାଏ। କିଛି ପରିବାରର ପାଇଖାନା ହିଁ ନଥାଏ। ଅନେକ ସ୍ଥାନରେ ଥିବା ସର୍ବସାଧାରଣ ପାଇଖାନା ଅତି ଖରାପ ଅବସ୍ଥାରେ ଥାଏ। ତେେ. ଆଉ କିଛି ଲୋକ ଖୋଲାରେ ମଳତ୍ୟାଗ ତାଙ୍କର ଅଧିକାର ବୋଲି ବିଚାର କରନ୍ତି ବା ତାଙ୍କ ସାମାଜିକ ଯୋଗାଯୋଗର ଏକ ମାଧ୍ୟମ ବୋଲି ଧରନ୍ତି। ସେଭଳି ଲୋକଙ୍କୁ ପ୍ରୋତ୍ସାହନ ପରେ ତାଗିଦାର ଆବଶ୍ୟକତା ରହିଛି। କାରଣ, ଖୋଲାର ମଳତ୍ୟାଗ କାରଣରୁ ତାଙ୍କର ନିଜର କ୍ଷତି ହେବା ସହିତ ଅନ୍ୟ ଲୋକଙ୍କର ଅନେକ କ୍ଷତିହେଉଛି। ସୁପ୍ରିମ କୋର୍ଟ କହିସାରିଛନ୍ତି ଯେ ମଣିଷର ବଞ୍ଚିବାର ଅଧିକାର ରହିଛି ଓ ବଞ୍ଚି ରହିବା ପାଇଁ ଆବଶ୍ୟକୀୟ ଉପଯୁକ୍ତ ପରିବେଶ ପାଇବା ପାଇଁ ତାହାର ଅଧିକାର ଅଛି। ଖୋଲାରେ ମଳତ୍ୟାଗ କରୁଥିବା ଲୋକେ ଅନ୍ୟର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି।

ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଧରି ଜେଲରେ ଠୁଙ୍କିବା କେତେ ଠିକ୍ ତାହାର ଚର୍ଚ୍ଚା ହେବ ନିଶ୍ଚୟ କିନ୍ତୁ ଅନ୍ୟ ଲୋକେ କାହିଁକି ତାଙ୍କ ପାଇଁ ଯାତନା ଭୋଗିବେ ତାହା ମଧ୍ୟ ଅଧିକ ଚର୍ଚ୍ଚା ହେବା ସ୍ୱାଭାବିକ। ସମ୍ବଲପୁର ଜିଲ୍ଲା ଓ ନଗର ନିଗମର ଏହି ଅଭିଯାନକୁ ଫଳବତୀ ହେବାର ସୂଚନା ଦେଲାଣି ବୋଲି ଅନେକ ସ୍ଥାନୀୟ ଲୋକ ଆଶା ପ୍ରକାଶ କଲେଣି। ପାଇଖାନା ବଢ଼ିବା ସହିତ ଖୋଲାରେ ମଳତ୍ୟାଗରେ ହ୍ରାସ ନ ହେଲେ ସରକାରଙ୍କୁ ଅଧିକ ଶକ୍ତ ହେବାକୁ ପଡ଼ିବ ଓ ଲୋକଙ୍କୁ ନିଜର ଅଧିକାର ପ୍ରତି ଅଧିକ ସଚେତନ ହେବାକୁ ପଡ଼ିବ।

The article discusses the challenges of stopping open defecation, in urban setting. It has taken the cue from some recent initiatives in Odisha, and discussed some other initiatives elsewhere in India to stop people from open defecation.
 

Disqus Comment

More From Author

Related Articles (Topic wise)

Related Articles (District wise)

About the author

नया ताजा