ଫ୍ଲୋରୋସିସ ଯୋଗୁଁ ଯୁବକଯୁବତୀମାନେ ଦିଶୁଛନ୍ତି ଢେର ବୟସ୍କ ଓ ଭୋଗୁଛନ୍ତି ଭିନ୍ନକ୍ଷମତା। ଏହି ଭୟଙ୍କର ବେମାରୀରୁ ମୁକ୍ତି ପାଇଁ ଗ୍ରାମବାସୀମାନେ ନିଜର ଉଦ୍ୟମ ଆରମ୍ଭ କରି ସରକାରଙ୍କ ପାଖରେ ରଖିଲେଣି ଦାବୀର ପସରା।

ମୁଖ୍ୟତ ଶବର ଜାତିର ଲୋକ ରହୁଥିବା ଏହି ଗରିବ ଗାଁ ଠାରୁ ଗ୍ରାମ ପଞ୍ଚାୟତ ନୂଆଗାଁର ଦୂରତା ୫ କି.ମି.। ବ୍ଲକ୍ ୨୫କି.ମି. ଏବଂ ନୂଆପଡ଼ା ଜିଲ୍ଲା ସଦର ମହକୁମା ୪୦କି.ମି.। ୧୯୭୫ ମସିହାରେ ଗାଁରେ ଖୋଳା ଯାଇଥିଲା ପ୍ରଥମ ନଳକୂପ, ୧୯୮୪ରେ କୈଳାସ ଶବରଙ୍କ ଘର ସାମନାରେ ଖୋଳାଗଲା ଆଉ ଗୋଟିଏ। ୧୯୯୯ ରେ ତୃତୀୟ ନଳକୂପଟି ଖୋଳାଯିବା ବେଳକୁ ପ୍ରଥମ ନଳକୂପଟି ଅଚଳ ସ୍ଥିତିକୁ ଚାଲି ଆସିଥିଲା। ଗାଁର ପାଖାପାଖି ୬୦୦ ଲୋକ ପିଇବା ପାଣି ପାଇଁ ଏହି ଦୁଇଟି ନଳକୂପ ଉପରେ ନିର୍ଭରଶୀଳ। ନଳକୂପ ନଥିବାବେଳେ ଗ୍ରାମବାସୀମାନେ ଗାଁର ପଶ୍ଚିମ ପଟେ ଥିବା ମେଶଣା ଯୋର(ନଦୀ)ରୁ ପାଣି ପିଉଥିଲେ। ବର୍ଷା ଦିନେ ନଦୀ ପାଣି ଗୋଳିଆ ହୋଇ ପ୍ରଦୂଷିତ ହେଲେ ଝାଡାବାନ୍ତିରେ ବି ପଡୁଥିଲେ। ନଳକୂପ ହେବା ପରେ ଲୋକେ ଭାବିଲେ ଯେ ଏଥର ପାଣିକୁ ନେଇ ଆଉ ଚିନ୍ତା ରହିବନି। ହେଲେ ୫/୬ ବର୍ଷ ନଳକୂପ ପାଣି ପିଇବା ପରେ ଲୋକଙ୍କ ଧାରଣା ଭୁଲ୍ ପ୍ରମାଣିତ ହୋଇଥିଲା ବୋଲି ମତ ଦିନ୍ତି ୱାର୍ଡ ମେମ୍ୱର ବ୍ରଜ ଶବର।
କାହାର ଦାନ୍ତ କଷରା ପଡିଯାଇଛି ତ କାହାର ପିଠି ଧନୁ ଭଳି ବଙ୍କା ହୋଇଛି। କିଏ ଚାଲିପାରୁନି ତ କାହାର ଗୋଡ-ହାତ ଅଚଳ। ୧୪ ଲୋକଙ୍କର ଏ ଅବସ୍ଥା। ଭେଣ୍ଡଆ ବୟସରେ ବି ବାଡି ଧରି ଚାଲିବାକୁ ପଡୁଛି। ଗାଁର ୫୬ ଜଣଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା। ହେଲେ ଏ ଭିନ୍ନକ୍ଷମତାର କାରଣ କ'ଣ ଆଜି ପର୍ଯ୍ୟନ୍ତ ସେମାନେ ଜାଣିବାକୁ ପାଇନଥିଲେ। ଡାକ୍ତରଖାନା ଦୌଡିଡୌଡି ଟଙ୍କା ସବୁ ପାଣି ପରି ସରିଗଲା ସତ, ହେଲେ ସୁସ୍ଥ ହୋଇପାରିଲେ ନାହିଁ ଗନିଆପଡାର ଫ୍ଲୋରୋସିସ୍ ଆକ୍ରାନ୍ତ ଗ୍ରାମବାସୀ।

ଲୋକେ ନିଜ ଦାୟିତ୍ୱ ପାଳୁଛନ୍ତି। ଏବେ ଗାଁରେ ଜଳ ପରିମଳ କମିଟି ଗଢାଯାଇଛି। ଲୋକେ ବିଶୁଦ୍ଧ ଜଳ ଓ ସୁସ୍ଥ ପରିମଳ ବାବଦରେ ସଚେତନ ହେଲେଣି। ଏଥର ପାଳି ସରକାରଙ୍କର। ଫ୍ଲୋରାଇଡ ପ୍ରବଣ ନଳକୂପକୁ ସିଲ କରିଦେବା ସହ ଗ୍ରାମଟିକୁ ପାଇପ୍ ଜଳ ଯୋଗାଣ ପାଇଁ ଦାବି କରାଯାଉଛି ବୋଲି ଵାର୍ଡ ସଭ୍ୟ କହିଛନ୍ତି। ନିଜସ୍ୱ ପାଣ୍ଠି ନଥିବାରୁ ବୋରିଂ ଖୋଳିବା କିମ୍ୱା ଫ୍ଲୋରାଇଡ୍ ନଥିବା ଜଳ ଯୋଗାଡ କରିବା କଷ୍ଟକର ହୋଇପଡିଛି। ନିରାପଦ ପାନୀୟ ଜଳ ପାଇବା ପାଇଁ ଗ୍ରାମ୍ୟ ଜଳ ଓ ପରିମଳ କମିଟି ପଞ୍ଚାୟତ ଓ ଜଳ ପରିମଳ ବିଭାଗ ନିକଟରେ ଖାଲି ଦାବୀ ରଖିବାରେ ନିଜକି ସୀମିତ ରଖି ନାହାନ୍ତି, ନିଜେ ମଧ୍ୟା ଛୋଟଛୋଟ କର୍ତ୍ତବ୍ୟ କରିବା ଆରମ୍ଭ କରିଦେଲେଣି।
Posted by