ସ୍ୱଚ୍ଛ ନୂଆପଡ଼ା ଅଭିଯାନ


ସ୍ୱଚ୍ଛ ଭାରତର ଆହ୍ୱାନରେ ମତୁଆଲା ନୂଆପଡ଼ା ଜିଲ୍ଲାର ଗାଁ ।
ଆରମ୍ଭ କରିଛନ୍ତି ଶ୍ରମଦାନର ପରମ୍ପରା, ପିଲାଠୁ ବୁଢ଼ା ସଭିଏଁ ସାମିଲ ହୋଇ ଗାଁକୁ ସ୍ୱଚ୍ଛ ପାଇଁ ନେଉଛନ୍ତି ବଜ୍ର ଶପଥ।


ଦିନେ ନୁହେଁ କି ଓଳିଏ ନୁହେଁ ସର୍ବଦା ଗାଁକୁ ସ୍ୱଚ୍ଛ ପାଇଁ ଶପଥ ନେଉଛନ୍ତି ଗ୍ରାମବାସୀସଫା ରହିବାର ବାଟ ବାଛି ନେଇଛନ୍ତି ଗ୍ରାମବାସୀ । ଗୋଟିଏ ଦିନ କି ମାସେ ପାଇଁ ନୁହଁ, ବରଂ ନିୟମିତ ସଫା ସୁତୁରା ପାଇଁ ସାମୁହିକ ଶପଥ ନେଇଛନ୍ତି । ଆରସିଡିସିର କର୍ମୀମାନଙ୍କ ପ୍ରବର୍ତ୍ତନାରେ ୱାଟରଏଡ୍ ପ୍ରକଳ୍ପାଞ୍ଚଳର ସବୁ ଗାଁରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଗାଁର ପିଲାଙ୍କ ଠାରୁ ବୁଢ଼ାବୁଢ଼ୀ ଯାଏଁ, ଛାତ୍ରଛାତ୍ରୀ, ଯୁବକ, ଶ୍ରମିକ, ଶିକ୍ଷକ, କୃଷକଙ୍କ ଯାଏଁ ସମସ୍ତେ ହାତରେ ଝାଡ଼ୁ କୋଦାଳ ଧରି ଗାଁ ଦାଣ୍ଡ, ବିଦ୍ୟାଳୟ, କୂଅମୂଳ, ନଳକୂପ ଚାରିପାଖ, କାର୍ଯ୍ୟାଳୟ ଆଖପାଖରୁ ମଇଳା ଉଠାଇଛନ୍ତି । ନାଳରେ ଜମିଥିବା ବର୍ଷ ବର୍ଷର ପଙ୍କ କାଦୁଅ ବାହାର କରିଛନ୍ତି । ସମସ୍ତ ଗାଁରେ ମିଳିଛି ଅଭୁତପୂର୍ବ ସମର୍ଥନ । ଆରମ୍ଭ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ ।

ନୂଆଗାଆଁ ପଞ୍ଚାୟତର ଥୁଟିବର, କାମକେଡ଼ା, କାଲିମାଟି ଗାଁରେ ଯଥାକ୍ରମେ ୩୮, ୨୧୮ ଓ ୬୩ ଜଣ ମହିଳା ପୁରୁଷ ୧୨, ୧୩ ଓ ୧୫ ଅକ୍ଟୋବର ୨୦୧୪ରେ ସାମୁହିକ ଶ୍ରମଦାନ ଜରିଆରେ ଗାଁ ପରିବେଶ ନିର୍ମଳ କରିଥିବା ବେଳେ ଭାଲେଶ୍ୱର ପଞ୍ଚାୟତର ଭାଲେଶ୍ୱର, ଆମୋଦି, କୁରୁମୁଣ୍ଡା ଟାମକିଦାଦର, ବାରକୋଠି, କନ୍ଦାତାପ ଆଦି ଗ୍ରାମର ଚତୁଃପାର୍ଶ୍ୱ , ଜଳଉତ୍ସ ଓ ବାରକୋଠି ବିଦ୍ୟାଳୟ ପରିସରରେ ସଫେଇ କରାଯାଇଥିଲା। ସାଇପଲା ପଞ୍ଚାୟତର ସାଇପଲା , ସାଲେପଡ଼ା, ଖଇରାନୀ ପିପଲଛଣ୍ଡି, ଡୁଙ୍ଗୁରିପଡ଼ା ଗ୍ରାମ ସଫେଇରେ ପୁରୁଷମାନଙ୍କ ଠାରୁ ଦ୍ୱିଗୁଣା ସଂଖ୍ୟକ ମହିଳା ଭାଗ ନେଇଥିଲେ । ମୋଟ ୬୯ଜଣ ପୁରୁଷ ଗାଁ ସଫେଇରେ ଭାଗ ନେଇଥିବା ବେଳେ ୧୬୪ମହିଳାଙ୍କ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା । ବେଲଟୁକୁରୀ ପଞ୍ଚାୟତର ସିଅପୁର, କାଦୋମେରୀ, ଦେଓଗାଁ, ଗୁଡ଼ପଦର,ବଖରମାଲ ସମେତ କୁରେଶ୍ୱର, ଉଦ୍ୟାନବନ୍ଧ, ଚହକୋପଡ଼ା, ଦୋହଲପଡ଼ା ଆଦି ଗ୍ରାମ ଓ ରେଙ୍ଗ ତଥା ଖଇରବାଡ଼ିର ବିଦ୍ୟାଳୟ ପରିସରକୁ ସଫା କରିଥିଲେ ଗ୍ରାମବାସୀ ।

ଯେତେବେଳେ ସାରା ରାଜ୍ୟ ହୁଡ୍ ହୁଡ୍ ର ସମ୍ଭାବ୍ୟ ବିପଦ ଓ କ୍ଷୟକ୍ଷତିର ଆଶଙ୍କାକୁ ନେଇ ପ୍ରାକ୍ ପ୍ରସ୍ତୁତ କରୁଥିଲେ ସେହି ସମୟରେ ନୂଆପଡ଼ା ଜିଲ୍ଲା ସାଇପଲା ପଞ୍ଚାୟତର ଡୁଙ୍ଗୁରିପଡ଼ା ଗ୍ରାମବାସୀ ଗ୍ରାମ ସଫେଇ ପାଇଁ ତାରିଖ ଧାର୍ଯ୍ୟ କରି ଏକାଠି ହୋଇଥିଲେ । ହୁଡ୍ ହୁଡ୍ ର ଆଶଙ୍କା ନୂଆପଡ଼ା ପାଇଁ ନଥିଲା । ଆରସିଡିସିର କର୍ମକର୍ତ୍ତାମାନେ ସମ୍ଭାବ୍ୟ ବର୍ଷା ପାଇଁ ସଫେଇ କାର୍ଯ୍ୟକ୍ରମ କରାଯିବ କି ନାହିଁ ଲୋକଙ୍କୁ ପଚାରିବା ପରେ ଗ୍ରାମବାସୀମାନେ ଗ୍ରାମ ସଫେଇ କରାଯିବ ବୋଲି ସମ୍ମତ୍ତି ପ୍ରଦାନ କରିଥିଲେ ଓ ୧୨.୩୦ମିନିଟ୍ ରେ ଝାଡୁ କୋଦାଳ ମାନ ଧରି ଗାଁ ଦାଣ୍ଡରେ ଏକାଠି ହୋଇଥିଲେ। ଆକାଶ ମେଘମୁକ୍ତ ଓ ନିର୍ମଳ ଥିଲା ।

ସ୍ୱଚ୍ଛ ରହିବାର ପଣ – ଚାଲିଛି ସାମୁହିକ ସଫେଇ କାର୍ଯ୍ୟଗାଁ ସୀମାରେ ଥିବା ମାଟି ଠାକୁରାଣୀଙ୍କ ନିକଟରେ ସମବେତ ହୋଇ ସାମୁହିକ ଶପଥ ପାଠ କରାଯିବା ପରେ ଗାଁ ସଫେଇ ଆରମ୍ଭ ହୋଇଥିଲା । ସ୍ୱଚ୍ଛ ଅଭିଯାନ ଗୋଟିଏ ଦିନ ନୁହଁ ଏହାକୁ ନିତିଦିନିଆ ଅନୁସୃତ ପାଇଁ ଲୋକେ ଶପଥ ନେଲେ । ଗାଁ ଦାଣ୍ଡ, ନାଳ, ସାମୁହିକ ଚଳପ୍ରଚଳ ସ୍ଥାନଗୁଡ଼ିକ ସଫେଇ କରାଯାଇଥିଲା ।

୧୨ ଅକ୍ଟୋବର ୨୦୧୪ରେ କାମକେଡ଼ା ଗ୍ରାମ୍ୟଜଳ ପରିମଳ କମିଟି ଆନୁକୂଲ୍ୟରେ ଆରମ୍ଭ ହୋଇଥିଲା ଗ୍ରାମ ସଫେଇ କାର୍ଯ୍ୟକ୍ରମ । କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭକ୍ତରାମ ଶବର ଆନୁଷ୍ଠାନିକ ପୂଜାପାଠ ଓ ଶପଥବାର୍ତ୍ତା ପାଠ କରିବା ପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମ୍ୟଜଳ ପରିମଳ କମିଟିର ସଭାପତି ମହେନ୍ଦ୍ର ଶବର, ସମ୍ଫାଦିକା ସତ୍ୟଭାମା ଶବରଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଅଭିଯାନରେ ସାମିଲ ଥିଲେ । ଲକ୍ଷ୍ମୀପୂଜା ମଣ୍ଡପ ଠାରୁ ବରପଦାପଡ଼ା, ଗୌନ୍ତିଆପଡ଼ା, ବସ୍ତି, ତାଳଗଛପଡ଼ା ଓ ହରିଜନପଡା ସଫେଇ କରାଯାଇଥିଲା ।

ଏତେ ସଂଖ୍ୟକ ନରନାରୀ ଏକାଠି ହୋଇ ଗାଁ ସଫେଇରେ ଅଂଶଗ୍ରହଣ କରିବାର ଇଏ ଥିଲା ପ୍ରଥମ ଘଟଣା । ୨୧୮ ଜଣ ପୁରୁଷ ମହିଳା ଏକାଠି ହୋଇ ୧୪ଟି ନଳକୂପ ଚାରିପାଖ ସଫା କରିବା ସହ ବିଭିନ୍ନ ବସ୍ତିର ଗାଁ ଦାଣ୍ଡ ଓ ସ୍କୁଲ ପରିସର ସଫା କରିଥିଲେ ।

ବିଦ୍ୟାଳୟ ସଫେଇ


୧୧ ଅକ୍ଟୋବର ୨୦୧୪, ରେଙ୍ଗ ବିଦ୍ୟାଳୟ ପାଇଁ ସେଦିନ ଥିଲା ନିଆରା ଘଟଣା । ପ୍ରାର୍ଥନା ପରେ ସବୁଦିନ ପରି ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷକୁ ଫେରିନଥିଲେ । ସ୍ୱାଧିନତା ଦିବସ ଓ ଗଣତନ୍ତ୍ର ଦିବସ ପାଳନ ପରି ସେଦିନର ପରିବେଶ ଥିଲା । ବିଭିନ୍ନ ଶ୍ରେଣୀର ୧୧୮ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ଉପସ୍ଥିତ ଥିଲେ ୫ଜଣ ଶିକ୍ଷକ, ୩ଜଣ ଶିକ୍ଷୟତ୍ରୀ, ୫ଜଣ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଦୁଇଜଣ ଆରସିଡିସିର କର୍ମୀ । ମୋଟ ୧୨୩ ଜଣଙ୍କ ଉପସ୍ଥିତିରେ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ଆଲୋଚନା କରାଗଲା । ସଫା ସୁତୁରା ରହିଲେ ରୋଗ ହେବନି ବୋଲି ଅତିଥିମାନେ ପିଲାଙ୍କୁ ବୁଝାଇଥିଲେ ।

टेबलବ୍ୟକ୍ତିଗତ ପରିଚ୍ଛନ୍ନତା, ଗାଁ ପରିମଳ, ହାତଧୁଆ ଅଭ୍ୟାସ ସଂପର୍କରେ ବୁଝାଗଲା । ପିଲାମାନେ ନିଜ ଘରେ ବାପା ମା ଭାଇ ଭଉଣୀଙ୍କୁ ବୁଝାଇବେ କହିଲେ । ସଭା ଶେଷରେ ବିଦ୍ୟାଳୟ ଓ ଗାଁ ସଫେଇ କରିବା ନିଷ୍ପତ୍ତି ନିଆଗଲା । ପିଲାମାନେ ଝୁଡ଼ି କୋଦାଳ ଧରି ଆସିବା ବେଳକୁ ଗାଁର ବଡ଼ମାନେ ଏ କାମ ପିଲାମାନଙ୍କ ନୁହଁ ଆମ ସମସ୍ତଙ୍କର ବୋଲି କହି ଶ୍ରମଦାନରେ ସାମିଲ ହେଲେ । ଉପରପଡ଼ା, ହରିଜନ ପଡ଼ାରେ ଲୋକେ ତୁରନ୍ତ ଝାଡ଼ୁଧରି ସଫା କରିବା ଆରମ୍ଭ କରିଦେଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଗ୍ରାମର ଉତ୍ତର ଠାରୁ ଦକ୍ଷିଣ ପାର୍ଶ୍ୱ ଚକାଚକ୍ ହୋଇଯାଇଥିଲା । ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଗ୍ରାମବାସୀଙ୍କ ସାମର୍ଥ୍ୟରେ ପରିଣତ ହୋଇଯାଇଥିଲା ।

ନୂଆପଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗଠିତ ଜଳବନ୍ଧୁ ମଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମାଳ କମିଟିଗୁଡ଼ିକ ସ୍ୱଚ୍ଛ ଭାରତ ଅଭିଯାନ ଜନ ଆନ୍ଦୋଳନ ଭାବେ ଗ୍ରହଣ କରିଛନ୍ତି । ଏବେ ନୁହଁ ତ କେବେ ନୁହଁ ର ନାରା ଦେଇ ଗାଁ ଗାଁରେ ଆରମ୍ଭ ହୋଇଛି ପରିମଳ ଅଭିଯାନ ।ସମସ୍ତ ବର୍ଗର ଜନସାଧାରଣ ଏଥିରେ ଭାଗ ନେଉଛନ୍ତି । ସଭା, ଶୋଭାଯାତ୍ରା, ସାମୁହିକ ଶପଥପାଠ ଓ ଗାଁ ସଫେଇର ଦୃଶ୍ୟ ଏବେ ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି ।

Posted by
Get the latest news on water, straight to your inbox
Subscribe Now
Continue reading