ଆମ ପାଣି

Submitted by Hindi on Fri, 12/11/2015 - 14:19
Printer Friendly, PDF & Email
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ଗାଁରେ ଥିବା ଦୁଇଟା ନଳକୂଅର ପାଣି ପିଇ ସୁଧୁ ଗରିବ ଆଦିବାସୀ ବସତିର ସମସ ପରିବାରରେ ଏବେ ଫ୍ଲୋରୋସିସ ରୋଗୀ । ପାଣିର ମାନ ସଚେତନ ହୋଇଥିବା ଏହି ଗାଁର ଲୋକେ ସରକାରୀ ବିକଳ୍ପକୁ ଅପେକ୍ଷା ନ କରି ନିଜ ଅର୍ଥ ଓ ପରିଶ୍ରମରେ କୂଅ ଖୋଳି ନିଜ ପାଇଁ ଯୋଗାଡ଼ କରିପାରିଛନ୍ତି ସ୍ୱଚ୍ଛ ଓ ସୁରକ୍ଷିତ ଜଳ ।

ଚାଲିଛି କୂଅ ଖୋଳାରାଧା ମାଝୀ ଯୋଉଠି ରୋଷେଇ କରନ୍ତି, ସେଇଠୁ ମୋଟେ କେଇ ହାତ ଦୂରରେ ଅଛି ନଳକୂଅ । କିନ୍ତୁ ବର୍ଷେ ହେଲାଣି ରାଧା ସେଇଠୁ ପାଣି ଆଣିବା ଛାଡ଼ି ଦେଇଛନ୍ତି । ଏବେ କାଖରେ ଓ ମୁଣ୍ଡରେ ଗରା ବୋହି ସେ ପାଣି ଆଣୁଛନ୍ତି ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ଖୋଲା କୂଅରୁ। ସିଏ ପୁଣି ଗରିଏ କି ଦି ଗରିଆ ନୁହେଁ । ଅତି କମ୍ ରେ ତିନି ଥର ତାଙ୍କୁ ପାଣି ଆଣିବାକୁ ପଡ଼ିଥାଏ – ରୋଷଇ ପାଇଁ ଏବଂ ପିଲାଙ୍କ ଶୋଷକୁ ମେଣ୍ଟାଇବା ପାଇଁ । ରାଧା ନୂଆପଡ଼ା ଜିଲ୍ଲାର ସାଇପଲା ପଞ୍ଚାୟତର ପିପଲଛେଣ୍ଡି ଗ୍ରାମର ପଡ଼ାଗ୍ରାମ ଡୁଙ୍ଗୁରିପଡ଼ାର ପ୍ରବେଶ ମୁଣ୍ଡରେ ଥିବା ସରକାରୀ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରନ୍ତି। ରାଧାଙ୍କ କଷ୍ଟ ଖୁବ୍ ବଢ଼ିଛି । କିନ୍ତୁ ତାଙ୍କ ମୁହଁ ରେ ଟିକିଏ ବି ଫେରାଦି ଭାବ ନାହିଁ, ଓଲଟି ଅଛି ତୃପ୍ତି, ସନ୍ତୋଷର ଭାବ । ତାଙ୍କୁ ବିଦ୍ୟାଳୟର ହତା ଭିତରେ ଥିବା ନଳକୂଅର ପାଣି ମନା ହୋଇ ନାହିଁ। କିନ୍ତୁ ନଳକୂଅର ପାଣି ବିଷୟରେ ଜାଣିବା ପରେ ଏବଂ ଗାଁରେ ବିଭିନ୍ନ ଲୋକଙ୍କ ଯନ୍ତ୍ରଣା ର କାରଣ ବୁଝିବା ପରେ ନିଜ ଇଚ୍ଛାରେ ସେ ପାଣି ଆଣୁଛନ୍ତି ଗାଁର ଆର ମୁଣ୍ଡରୁ ୨୦୦ ମିଟର ଦୂରରେ ଥିବା କୂଅରୁ । ସେଇ କୂଅର କାହାଣୀ ବି କମ୍ ନୁହେଁ । ତାହାର ଆରମ୍ଭ ହୋଇଛି ଲୋକଙ୍କ ବିକଳାଙ୍ଗ ଜନିତ ଯନ୍ତ୍ରଣାରୁ ଓ ଯନ୍ତ୍ରଣାର କାରଣ ଅନୁଧ୍ୟାନରୁ । କୂଅଟିର ରୂପାୟନ ହୋଇଛି ସେହି ଡୁଙ୍ଗୁରି ପଡ଼ା ଗ୍ରାମବାସୀଙ୍କ ଶ୍ରମଦାନ, ଅର୍ଥଦାନ ଓ ଯନ୍ତ୍ରଣାକୁ ନିଜ ଉଦ୍ୟମରେ ଜିଣିବାର ପଣରୁ ।

ସେହି ପଣ କରିଥିଲେ ଗ୍ରାମର ପ୍ରତ୍ୟେକ ଜଣ । ପ୍ରଥମ ପଣ ଥିଲା ଗାଁରେ ଥିବା ନଳକୂଅକୁ ପରିତ୍ୟାଗ କରିବେ । ସେହିଭଳି ପଣ କରିବାରରେ ଅଗ୍ରଣୀ ଭୂମିକା ନେଇଥିଲେ ମାଳତି ମାଝୀଙ୍କ ଭଳି ମା । “ଆମ ଗାଁର ସମସ୍ତ ଘରେ ଏମିତି ରୋଗୀ ଅଛନ୍ତି ଯାହାଙ୍କର ଆଣ୍ଠୁ,ଅଣ୍ଟା ବଙ୍କା ହୋଇ ସାରିଛି । ଯୁବକଯୁବତୀମାନେ ବୃଦ୍ଧବୃଦ୍ଧା ଭଳି ଦିଶୁଛନ୍ତି । ଆମେ ଯାହାକୁ ଏଯାଏ ବାତ ବୋଲି ଭାବୁଥିଲୁ ତାହା ବାତ ନୁହେଁ ଫ୍ଲୋରୋସିସ ରୋଗ ଯାହା ଅତ୍ୟଧିକ ଫ୍ଲୋରାଇଡ୍ ପାଣି ବ୍ୟବହାରର ଫଳ ବୋଲି ଜାଣି ନଥିଲୁ '', କହନ୍ତି ମାଳତୀ ଦେବୀ । ମାଳତୀଙ୍କ ବେଦନାରେ ଟିକିଏ ବି ଅତିରିକ୍ତତା ନାହିଁ । ଛୋଟ ୧୩ ପରିବାର ବିଶିଷ୍ଟ ତାଙ୍କ ଆଦିବାସୀ ଗାଁର ଜନସଂଖ୍ୟା ୬୦। ତାଙ୍କ ମଧ୍ୟରୁ ୨୧ ଜଣଙ୍କ ଦେହରେ ରହିଛି ଅସ୍ଥିଗତ ଫ୍ଲୋରୋସିସ ରୋଗର ସମସ୍ତ ଲକ୍ଷଣ । କିଛି ବ୍ୟକ୍ତି ତ ସମ୍ଫୂର୍ଣ ବିକଳାଙ୍ଗ ହୋଇ ସାରିଲେଣି ।ଆଶ୍ଚର୍ଯ୍ୟର କଥା ଓଡ଼ିଶା ର ନୂଆପଡ଼ା ଜିଲ୍ଲାରେ ନଳକୂଅ ପାଣିରେ ଫ୍ଲୋରାଇଡ୍ ଅଧିକ ଅଛି ବୋଲି ସାରା ରାଜ୍ୟ, ସାରା ଦେଶ ଜାଣି ସାରିଥିଲେ ସୁଦ୍ଧା ଏହି ଗ୍ରାମବାସୀଙ୍କ ପାଇଁ ତାହା ଥିଲା ଅଜଣା । ଏବେ କିନ୍ତୁ ଗ୍ରାମର ମଧ୍ୟ ବୟସ୍କା ଆପାଠୁଆ ଗୃହଣୀ ଫାଲଗୁନି ମାଝୀ ବି ଫ୍ଲୋରୋସିସ୍ ରୋଗ ଓ ଫ୍ଲୋରାଇଡ୍ ଅଧିକ ଥିବା ପାଣି ବିଷୟରେ ପୂର୍ଣ ସଚେତନ । “୨୦୧୩ ମସିହାରେ ଆରସିଡିସର କର୍ମୀମାନେ ବାରମ୍ବାର ଆସି ଆମକୁ ଫଟୋ ଭିଡିଓ ଦେଖାଇଲେ । ଆମେ ସଭାମାନଙ୍କରେ ବି ଯୋଗଦେଲୁ । ସେଥିରୁ ଆମେ ଆମ ଭଳି ରୋଗୀଙ୍କୁ ଦେଖିଲୁ ଓ କାରଣ ଜାଣିଲୁ । ଗାଁର ଦୁଇଟି ଯାକ ନଳକୂଅ ପାଣିକୁ ନିଜେ ପରୀକ୍ଷା କଲୁ । ଗାଁର ମଝିରେ ଦୂଲାରସାଇ ମାଝୀଙ୍କ ଘର ଆଗରେ ଥିବା ନଳକୂଅ ପାଣିରେ ଲିଟର ପ୍ରତି ୫ ମିଲିଗ୍ରାମ୍ ଓ ସ୍କୁଲ ହତାରେ ଥିବା ନଳକୂଅ ପାଣିରେ ୨ ମିଲିଗ୍ରାମ୍ ଫ୍ଲୋରାଇଡ୍ ଥିବା ଜାଣିଲୁ । ଜାଣିବା ପରେ ନଳକୂଅ ପାଣିକୁ ବ୍ୟବହାର କରିବାର ପ୍ରଶ୍ନ ହିଁ ନଥିଲା'', ସୂଚନା ଦିଅନ୍ତି ଫାଲଗୁନୀ ଦେବୀ ।

ଜୀବନ ପାଇଁ  ଶୁଦ୍ଧ ପାଣି ...। ପାଣି ପାଇଁ କୂଅ ଖୋଳିବାର ପଣ ନେଇ ନିର୍ଘାତ ଖରାରେ ମୁଣ୍ଡିଆରୁ ପଥର ବୋହୁଛନ୍ତି ଗ୍ରାମବାସୀପାଣିରେ ଫ୍ଲୋରାଇଡ୍ ଓ ଶରୀରରେ ଫ୍ଲୋରୋସିସ ରୋଗ ବିଷୟରେ ଜାଣିବା ତଥା ନଳକୂଅ ପାଣି ବ୍ୟବହାର ନ କରିବାର ନିଷ୍ପତ୍ତି କେବଳଆରମ୍ଭ ଥିଲା । ଗ୍ରାମବାସୀଙ୍କ ଦ୍ୱିତୀୟ ନିଷ୍ପତ୍ତି ଥିଲା ଅଧିକ କଷ୍ଟପ୍ରଦ ଯହିଁରେ ଥିଲା ଫ୍ଲୋରୋସିସ୍ ରୋଗର କାରଣକୁ ଦୂର କରିବାର ଦୂର୍ବାର ପଣ । ଗାଁର ଲୋକେ ଅନେକ ସଭା କଲେ । ବିଭିନ୍ନ ବିକଳ୍ପର ଚର୍ଚ୍ଚା ହେଲା । ଅନ୍ୟ ଗାଁ ନଳକୂଅରୁ ପାଣି ଆଣିବେ, ପାଖରେ ବହୁଥିବା ନାଳ ପାଣି ବ୍ୟବହାର କରିବେ ଓ ସରକାରଙ୍କୁ ଗୁହାରୀ କରିବେ । ଗ୍ରାମବାସୀ ସବୁ କଲେ । ଯେଉଁ ଦୁଇଟି ନଳକୂଅ ପାଣିରେ ଖୁବ୍ ଅଧିକ ଫ୍ଲୋରାଇଡ୍ ଅଛି ବୋଲି ଜଣା ପଡ଼ିଲା ସେହି ଦୁଇଟି ନଳକୂପ ହିଁ ଥିଲା ଗାଁର ଜଳଉତ୍ସ । ଗାଁରୁ ପ୍ରାୟ କିଲୋମିଟର ଦୂରରେ ବହିଯାଇଛି ଭାଲୁବିନ୍ଧା ନାଳ । କିନ୍ତୁ ଖରା ଦିନେ ତାହା ଶୁଖି ଯାଇଥାଏ । ସବୁଠାରୁ ପାଖରେ ଥିବା ଅନ୍ୟ ସୁରକ୍ଷିତ ଜଳ ଉତ୍ସ ଥିଲା ଡଙ୍ଗରପଡ଼ା ବସତିର ମୂଳଗ୍ରାମ ପିପଲଛେଣ୍ଡିରେ ଯାହା ଡୁଙ୍ଗୁରିପଡ଼ାଠାରୁ ପ୍ରାୟ ଦୁଇ କିଲୋମିଟର ଦୂର । “ଦୂର ତ ଥିଲା ନିଶ୍ଚୟ । କିନ୍ତୁ ଆମ ପାଖରେ ଅନ୍ୟ ବିକଳ୍ପ ନଥିଲା । ଆମ ପରିବାର ପୁରୁଷମାନେ ସାଇକଲରେ ପିପଲଛେଣ୍ଡିରୁ ପାଣି ଆଣିବା ଆରମ୍ଭ କଲେ । ପୁରୁଷ ନଥିବା ପରିବାରର ମହିଳା ମୁଣ୍ଡରେ ବୋହି ସେତେ ଦୂରରୁ ପାଣି ଆଣିଲେ'', କହନ୍ତି ଫାଲଗୁନୀ ଦେବୀ । ଗ୍ରାମବାସୀ ନିଜର ପିଇବା ଓ ଖାଇବା ପାଣି ଅନ୍ୟ ଗାଁରୁ ଆଣିଲେ । ବିକଳ୍ପ ପାଇଁ ପଞ୍ଚାୟତ ପାଖରେ ନେହୁରା ବି ହେଲେ । କିନ୍ତୁ ସ୍ଥାୟୀ ସମାଧାନର ପନ୍ଥା ନିଜେ ହିଁ ଖୋଜିଲେ । ଗାଁର ଫ୍ଲୋରାଇଡ୍ ସମସ୍ୟାକୁ ମୁକାବିଲା କରିବାରେ ନେତୃସ୍ଥାନୀୟ ଭୂମିକା ନେଇଥିବା ମହିଳା କମଳା ମାଝୀ କହନ୍ତି “ଆମେ ସରପଞ୍ଚଙ୍କୁ କହିଲୁ, ଲେଖିକି ଦେଲୁ କିନ୍ତୁ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି କୌଣସି ସଙ୍କେତ ପାଇଲୁ ନାହିଁ । ଏହା ପରେ ଗାଁ ବୈଠକରେ ଗ୍ରାମବାସୀ ମିଳିତ ହୋଇ ନିଜ ଶ୍ରମ ଓ ଅର୍ଥରେ ଏକ କୂଅ ଖୋଳିବାର ନିଷ୍ପତ୍ତି ନେଲୁ'' ।

ତେବେ ଗ୍ରାମବାସୀ ନିଷ୍ପତ୍ତି ନେଇଗଲେ ସିନା , ତାହାକୁ କାର୍ଯ୍ୟକାରୀ କରିବା ଆଦୌ ସହଜ ନଥିଲା । ଗ୍ରାମର ସମସ୍ତ ପରିବାର ଆଦିବାସୀ । ଖୁବ୍ ଗରିବ । କୂଅ ଖୋଳିବାରେ ନିଜେ ଲାଗିବା ତାଙ୍କ ପାଇଁ ଥିଲା ନିଜର ମଜୁରୀ ହରେଇବା, ପଇସା ଦେଇ ସିମେଣ୍ଟ ପଥର କିଣିବା ଅର୍ଥ ଥିଲା ନିଜର ସଞ୍ଚିତ ଆୟକୁ ଖାଇବାରେ ନୁହଁ ଅନ୍ୟ କିଛିରେ ଲଗାଇବା । ତହିଁରେ ସମସ୍ତ ପରିବାରରେ ଅଳ୍ପ ବହୁତେ ବିକଳାଙ୍ଗ । ଏତେ ସବୁରେ ମଧ୍ୟ ଗ୍ରାମବାସୀ ନିଷ୍ପତ୍ତିରେ କଠୋର ରହିଲେ । ଚୈତ୍ରମାସର ଏକ ସଭାରେ ୭୦ ବର୍ଷ ବୟସ୍କା ମହିଳା ମନ୍ଦାର ମାଝୀ କୂଅ ଖୋଳିବା ପାଇଁ ଏକ ସ୍ଥାନର ପ୍ରସ୍ତାବ ଦେଲେ । ସେଇଠି ପୂର୍ବରୁ ଏକ କୂଅ ଥିଲା ଯାହାର ପାଣି ଖୁବ୍ ମିଠା ଥିଲା । କିନ୍ତୁ କୂଅଟି କେବେଠୁ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲା । ମନ୍ଦାର ଦେବୀ ଯେଉଁ ସ୍ଥାନର ସୂଚନା ଦେଲେ ତାହା ଥିଲା ଫୁଲେଇ ମାଝୀଙ୍କ ଜମି । ସଭାରେ ଫୁଲେଇ ମାଝୀ ମଧ୍ୟ ଥିଲେ । ସଙ୍ଗେସଙ୍ଗେ ଫୁଲେଇ ମାଝୀ କହିଲେ ସେ ଉକ୍ତ ଜମିକୁ ଗ୍ରାମବାସୀଙ୍କୁ ଦାନ କରିଦେବେ । କୂଅର ସ୍ଥାନ ଚୂଡ଼ାନ୍ତ ହୋଇଗଲା । ଗ୍ରାମବାସୀ ଏଥର ପରବର୍ତୀ ନିଷ୍ପତ୍ତି ନେଲେ । କୂଅ ଖୋଳା ଯୋଜନା ଚୂଡ଼ାନ୍ତ ହେଲା ଓ ଏକ ଅନୁମାନିକ ଅଟକଳ ପ୍ରସ୍ତୁତ ହେଲା । ଅଟକଳ ଅନୁସାରେ କୂଅ ପାଇଁ ପ୍ରତ୍ୟେକ ପରିବାର ୮୦୦ ଟଙ୍କା ଓ ଅନ୍ୟୁନ ପାଞ୍ଚଦିନର ଶ୍ରମ ଦେବା ପାଇଁ ନିଷ୍ପତ୍ତି ନେଲେ ।

ଗ୍ରାମବାସୀ ଖାଲି ନିଷ୍ପତ୍ତି ନେଲେ ନାହିଁ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେ । ସମସ୍ତ ପରିବାର କରନ୍ତି ଅଳ୍ପ ଡାଳୁଅ ଧନ ଚାଷ । ଅମଳ ପରେପରେ ଲାଗିଗଲେ କାମରେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସ୍ତ୍ରୀ ପୁରୁଷ ସମସ୍ତେ ଲାଗିଲେ । ବୈଶାଖର ଟାଇଁଟାଇଁ ଖରା ଦୋପହରରେ ବି ୧୮ ଫୁଟ ଗଭୀରର କୂଅ ଖୋଳିଲେ, ଭାଲୁବିନ୍ଧାର ନାଳରେ ପଥର ତାଡ଼ିଲେ ଓ ଭାଙ୍ଗିଲେ, ଟ୍ରାକ୍ଟର ଓ ଶଗଡ଼ରେ ବୋହିଲେ, କୂଅ ବାନ୍ଧିଲେ । ଯାହା ଟଙ୍କା ଠୁଳାଇଥିଲେ ତହିଁରେ ସିମେଣ୍ଟ ଆଦି କିଣିଲେ, ପଥର ବାଲି କଢାଇବା ପାଇଁ ଟ୍ରାକ୍ଚର ଭଡ଼ା ଦେଲେ, ମିସ୍ତ୍ରୀ ମଜୁରୀ ଦେଲେ ଓ ପାଣି କାଢିବା ଏକ ଲୁହା ଚକି ଲଗାଇଲେ । ଆହୁରି ପଥର ଦରକାର ହେବାରୁ କିଲୋମିଟର ଦୂରରୁ ମୁଣ୍ଡରେ ବି ବୋହିକି ଆଣିଲେ । ଠୁଳାଇବଥିବା ଟଙ୍କା କମ୍ ହେବାରୁ ପରିବାର ପ୍ରତି ପୂର୍ବର ୮୦୦ ଟଙ୍କା ସହିତ ଆହୁରି ୨୦୦ ଟଙ୍କା ଅତିରିକ୍ତ ଠୁଳାଇଲେ । ସପ୍ତାହ ଦୁଇଟାରେ ଗାଁ ଲୋକଙ୍କ କୂଅ ପ୍ରସ୍ତୁତ ହୋଇଗଲା । ଯୋଉଦିନ କୂଅର ପାଣି ପ୍ରଥମ କରି ବ୍ୟବହାର ସେଦିନ ତାଙ୍କର ଖୁସି ଅନୁଭବ କରି ହେଉଥିଲା । ଗ୍ରାମବାସୀଙ୍କ ପ୍ରୟାସ ଦେଖି ସାଇପଲା ସରପଞ୍ଚ ମହୋଦୟା ବି ଚକିତ । “ଲୋକେ ସବୁ ଦାୟିତ୍ୱ ପାଇଁ ସରକାରଙ୍କୁ ନିର୍ଭର କରୁଥିବା ବେଳେ ଗରିବ ମାତ୍ର ଦୃଢ଼ମନା ଡୁଙ୍ଗୁରିପଡ଼ା ଗ୍ରାମବାସୀଙ୍କ ଆଖି ଖୋଲିଦେବା ଭଳି ଉଦ୍ୟମ ମୁଁ ନିଜେ ଦେଖିଛି । ଏହି କୂଅ ସରକାରୀ ଭାବରେ ହୋଇଥିଲେ ଚାଳିଶ ପଚାଶ ହଜାରରୁ କମ୍ ରେ ହୋଇନଥାନ୍ତା । ଏହି କାମ ଆମ ଭଳି ପଞ୍ଚାୟତ ପ୍ରତିନିଧିଙ୍କୁ ଯେତିକି ଖୁସି କରୁଛି ସେତିକି ଅଧିକି ଦାୟିତ୍ୱସମ୍ପନ୍ନ ହେବା ପାଇଁ ପ୍ରେରଣା ଦେଇଛି '', କହନ୍ତି ସାଇପଲା ସରପଞ୍ଚ ଶ୍ରୀମତୀ ବୃନ୍ଦାବତୀ ମାଝୀ ।

ସାମୁହିକ ଉଦ୍ୟମରେ ନିର୍ମିତ କୂଅର ପ୍ରଥମ ଜଳ ଦେଖି ଖୁସି ହେଉଛନ୍ତି ଶ୍ରମଦାନକାରୀ ମହିଳାମାନେନୂଆପଡ଼ା ଜିଲ୍ଲାର ଡୁଙ୍ଗୁରିପଡ଼ାରେ ରହୁଥିବା ପ୍ରାୟତଃ ଅଶିକ୍ଷିତ ଓ ସମ୍ପୂର୍ଣ୍ଣତଃ ଗରିବ ଲୋକଙ୍କ ପାଇଁ ଏଯାଏ ପିଚୁ ତ ଦୁରର କଥା ନାଲିଗୋଡ଼ି ରାସ୍ତାଟିଏ ବି ହୋଇନାହିଁ । କିନ୍ତୁ ଗ୍ରାମବାସୀଙ୍କ କାରନାମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ଭବିଷ୍ୟତରେ ଏକ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଡୁଙ୍ଗୁରିପଡ଼ା ଭଳି ଫ୍ଲୋରାଇଡ ଆକ୍ରାନ୍ତ ବସତିମାନଙ୍କୁ ସୁରକ୍ଷିତ ଜଳ ଯୋଗାଣର ସରକାରି ଯୋଜନା ହୋଇଛି ସତ କିନ୍ତୁ ତାହାର ରୂପାୟନର କିଛି ସୂଚନା ମିଳୁ ନାହିଁ । କିନ୍ତୁ ଡୁଙ୍ଗୁରିପଡ଼ା ଗ୍ରାମବାସୀ ଏବେ ନିଜ ଉଦ୍ୟମରେ ଏତେ ବଡ଼ ସମସ୍ୟାର ନିଜେ ସମାଧାନ ଖୋଜି ପାରିଛନ୍ତି । କୂଅର ପାଣି ଏବେ ଗାଁର ସମସ୍ତେ ବ୍ୟବହାର କରୁଛନ୍ତି । ସ୍କୁଲରେ ବି ତାହା ବ୍ୟବହାର ହେଉଛି, ଭୋଜିକାଜିରେ ବି। “ଆମେ ଏବେ ଖୁସି । କିନ୍ତୁ ଆମର ଦୁଃଖ ଯେ ଫ୍ଲୋରୋସିସ୍ ରୋଗ ଅର୍ଜି ସାରିଥିବା ଲୋକଙ୍କ କଷ୍ଟକୁ ଆଉ ଏଡ଼ାଇ ହେବ ନାହିଁ,” କହନ୍ତି ରାଇସିଂ ମାଝୀ । “ଯଦି ଆମେ ଫ୍ଲୋରାଇଡ୍ ବିଷୟରେ ଆଗରୁ ଜାଣିପାରିଥାନ୍ତୁ ସ୍ଥିତି ଅଲଗା ଥାଆନ୍ତା'', କହି ଶୁନ୍ୟ କୁ ଅନାନ୍ତି ରାଇସିଂ । ସେ ନିଜେ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ । ରାଧା ମାଝୀ କାଖରେ ଗରା ଧରି ଦୂର କୂଅକୁ ପାଣି ପାଇଁ ଯିବା ବେଳେ କାହିଁକି ଏତେ ପରିଶ୍ରମ କରୁଛ ବୋଲି ଆପଣ ଯଦି ତାଙ୍କୁ ପ୍ରଶ୍ନ କରିବେ,ତାହାର ସିଧା ଓ ସରଳ ଉତ୍ତରଟେ ପାଇବେ, “ ମୋର ପରିଶ୍ରମ ବଡ଼ ନା ଏଇ ପିଲାଙ୍କର ଜୀବନ ବଡ଼ ? '' ତାଙ୍କ ହାତରେ ବିଦ୍ୟାଳୟରେ ପଢୁଥିବା , ଖାଉଥିବା ଓ ପିଉଥିବା କୁନିକୁନି ପିଲାଙ୍କ ଭବିଷ୍ୟତ ବେଶ ସୁରକ୍ଷିତ । ଗ୍ରାମବାସୀ ଅତୀତରେ ଅର୍ଜିସାରିଥିବା ଯନ୍ତ୍ରଣାକୁ ଛାଡ଼ି ତ ପାରିବେନି କିନ୍ତୁ ଭବିଷ୍ୟତକୁ ସୁରକ୍ଷିତ କରିପାରିଥିବା ଜାଣି ଖୁବ୍ ଆଶ୍ୱସ୍ତ ଓ ନିଜର ପରିଶ୍ରମକୁ ନେଇ ଗର୍ବିତ ।

Add new comment

This question is for testing whether or not you are a human visitor and to prevent automated spam submissions.

2 + 15 =
Solve this simple math problem and enter the result. E.g. for 1+3, enter 4.

More From Author

Related Articles (Topic wise)

Related Articles (District wise)

About the author

Latest