ଚହକୋପଡ଼ାର ଉଲ୍ଲାସ

Submitted by Hindi on Fri, 12/11/2015 - 14:49
Printer Friendly, PDF & Email
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ନଳକୂଅରୁ ମୋହ ଭଙ୍ଗ ହେବା ଗୋଟିଏ ସ୍ଥିତି ଥିଲା, ତହିଁରୁ କୂଅ ପାଣିକୁ ମୁହାଁଇବା ଆଉ ସେହି କୂଅ ପାଣିକୁ
ପିଇବା ଯୋଗ୍ୟ କରିବା ପାଇଁ ଉଲ୍ଲାସଙ୍କ ଭଳି ଗ୍ତାମବାସୀ ବି ଲାଗିପଡ଼ିବା ସୃଷ୍ଟି କଲା ନୂତନ ଏକ ଆଧ୍ୟାୟ ।


ଚହକୋପଡ଼ାର ଜଳ ସମସ୍ୟା ଓ ସମାଧାନ ବିଷୟରେ ଜଣେ ମହିଳାଙ୍କ ମତ ପଚାରି ବୁଝୁଛନ୍ତି ଆରସିଡିସିର ବରିଷ୍ଠ ପ୍ରବନ୍ଧକ ବିମଳ ପ୍ରସାଦ ପାଣ୍ଡିଆଏବେ ମଧ୍ୟବୟସ୍କା ସ୍ୱାମୀହରା ଅତି ଗରିବ ଆଦିବାସୀ ଉଲ୍ଲାସ ବେମାଲଙ୍କ ଘର ଦୁଆର ମୁହଁରେ ଥିବା କୂଅରେ ଗାଁ ଲୋକଙ୍କ ଲମ୍ବା ଧାଡ଼ି ତାଙ୍କୁ ବିରକ୍ତ କରୁନାହିଁ, ଉଲ୍ଲାସରେ ଭରିଦେଉଛି । ଗୋଟିଏ ବର୍ଷ ପୂର୍ବରୁ କିନ୍ତୁ ସ୍ଥିତି ଭିନ୍ନ ଥିଲା । ଏମିତିରେ ତ ସେହି କୂଅଟି ବ୍ୟବହାର ହେଉନଥିଲା , ଅପନ୍ତରା ହୋଇ ପଡ଼ିରହିଥିଲା । ତହିଁରେ ଉଲ୍ଲାସଙ୍କ ବିରକ୍ତିଆ ଭାବ ଦେଖି ବ୍ୟବହାର କରିବା ପାଇଁ ଚାହୁଁଥିବା ଲୋକେ ବି କୂଅରୁ ମୁହଁ ଫେରାଇ ନେଉଥିଲେ । ଏବେ ସେହି କୂଅଟି ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଦୋହଲପଡ଼ା ଗ୍ରାମର ପଡ଼ାଗ୍ରାମ ଚହୋକପଡ଼ାର ସମସ୍ତ ପରିବାର ପାଇଁ ପିଇବା ପାଣିର ଉତ୍ସ । ଗାଁରେ ତିନିଟି ନଳକୂଅ । କିନ୍ତୁ ଗାଁ ଲୋକେ ନଳକୂଅରୁ ମୁହଁ ଫେରାଇ ଏବେ ନେଇଛନ୍ତି ସେହି କୂଅର ସାହାରା ।

ପ୍ରାୟ ୩୫୦ ତଫସିଲଭୁକ୍ତ ଜାତିର ଲୋକ ରହୁଥିବା ଚହୋକପଡ଼ାରେ ଅନ୍ୟୁନ ୫୦ ଜଣ ବ୍ୟକ୍ତିଙ୍କର ଲକ୍ଷଣ ଦେଖି ଫ୍ଲୋରୋସିସ୍ ରୋଗ ବୋଲି ଫରଛା ବାରି ହେଉଛି । ଯୁବକ ବୟସରେ ବି ଇନ୍ଦ୍ର ପ୍ରଧାନୀ ଉଠିବସି ପାରୁ ନାହାଁନ୍ତି । ଗାଁ ଲୋକେ ଇନ୍ଦ୍ର ପ୍ରଧାନୀ ଓ ତାଙ୍କ ଭଳି ଲୋକେ ଭୋଗୁଥିବା ରୋଗର କାରଣକୁ ଯେବେ ଠଉରାଇ ପାରିଲେ ସେବେଠୁ ନଳକୂଅ ଉପରେ ତାଙ୍କର ମୋହ ଭଙ୍ଗ ହେବା ଆରମ୍ଭ ହୋଇଗଲା । ଗାଁର ତିନିଟି ନଳକୂଅକରୁ ଦୁଇଟି ଅଛି ବସ୍ତିରେ , ଅନ୍ୟଟି ରହିଛି ବିଦ୍ୟାଳୟରେ ଯାହା ବସ୍ତିରୁ ସାମାନ୍ୟ ଦୂରରେ ରହିଛି । ଏଠାରେ ପ୍ରଥମେ ବସତି ସ୍ଥାପନ କରିଥିବା ଗୋପାଳ ମାଝୀ ୧୯୫୬ ମସିହାରେ ନିଜର ବାହଲ ଜମିରେ ଏକ କୂପ ଖୋଳି ସେଥିରୁ ଜଳ ବ୍ୟବହାର କଲେ । ''୧୯୯୩ରେ ସରକାର ପ୍ରଥମ କରି ନଳକୂପଟିଏ ଖୋଳିଲେ । ନଳକୂପ ଖୋଳାଗଲା ପରେ ସମସ୍ତେ ଖୋଲା କୂଅ ଛାଡ଼ି ନଲକୂଅ ପାଣି ବ୍ୟବହାର କରିବା ଆରମ୍ଭ କଲେ'', ସୂଚାନ୍ତି ୬୫ ବର୍ଷ ବୟସ୍କ ସୁଧୁରାମ ମାଝୀ ।ସୁଧୁରାମ ବି ଜଣେ ଫ୍ଲୋରୋସିସ୍ ରୋଗୀ । ନଳକୂଅ ଚାଲୁଥିଲେ ମଧ୍ୟ ସରକାର ଗାଁରେ ଏକ ପରିମଳ କୂଅ ଖୋଳିଲେ ୨୦୦୭ ମସିହାରେ । ''ସେ କୂଅରେ ୨୦ ଫୁଟରେ ପଥର ପଡ଼ିଲା, ସେତିକିରେ ବନ୍ଧେଇ ଦେଲେ । କିଛି ପାଣି ରହେ ନାହିଁ'' , କହନ୍ତି ଦୈତାରୀ ମାଝୀ । ପ୍ରଥମ କୂଅଟି ପ୍ରାୟ ବିଫଳ ହେବା ପରେ ସରକାର ୨୦୦୯ ମସିହାରେ ଆଉ ଏକ ପରିମଳ କୂଅ ଖୋଳିଲେ । ଏଥର ତାହା ଗାଁର ତଳ ମୁଣ୍ଡରେ ଉଲ୍ଲାସଙ୍କ ଘର ସାମନାରେ ଥିବା ଜମିରେ ଖୋଳିଲେ । କୂଅରେ ପାଣି ଭଲ ବାହାରିଲା । କାମ ବି ସରିଗଲା । କିନ୍ତୁ କେହି ତାକୁ ବ୍ୟବହାର କଲେନି । ପଡ଼ିପଡ଼ି ଆବର୍ଜନାମୟ ହୋଇଗଲା । ''ନଳକୂଅର ପାଣି ଭଲ ବୋଲି ଭାବି ଆମେ ନଳକୂଅର ପାଣି ହିଁ ବ୍ୟବହାର କରୁଥିଲୁ । କୂଅ ଖୋଳାହେବା ଆଗରୁ ବା ପରେ କେହି ଆମକୁ ନଳକୂଅ ପାଣି ନ ପିଇ କୂଅ ପାଣି ପିଇବା ପାଇଁ ବି କହି ନ ଥିଲେ'', କହନ୍ତି ସୁଦେଷ୍ଣା ନାଏକ । ଏବେ ସୁଦେଷ୍ଣା ତାଙ୍କ ଗାଁର ଜଳପରିମଳ କମିଟୀର ସଭାନେତ୍ରୀ । ଗାଁର ଲୋକଙ୍କୁ କୂଅ କାହିଁକି ହେଲା ତାହା କୁହାଗଲା ନାହିଁ କି ଲୋକେ ବି କାହିଁକି ଆବଶ୍ୟକ ପଡ଼ିଲା ତାହାର କାରଣ ଖୋଜି ନଥିଲେ । କୂଅ ହେଲା ପରେ ବି ନଳକୂଅର ପାଣିକୁ ହିଁ ବ୍ୟବହାର କରି ଆସୁଥିଲେ ଗ୍ରାମବାସୀ ।

ସରକାର କାହିଁକି କୂଅ କରିଥିବେ ତାହାର ପ୍ରଥମ ଆଭାସ ଗ୍ରାମବାସୀ ପାଇଲେ ୨୦୧୩ ମସିହାରେ । ''ଆରସିଡିସିର ଭାଇମାନେ ଆସି ଆମ ଗାଁ ଲୋକଙ୍କ ବୈଠକ କରାଇଲେ । ସମସ୍ତେ ମିଶି ଗାଁର ବିଭିନ୍ନ ବେମାରୀର ଆକଳନ କଲୁ । ଗାଁର ଅନେକ ବାତ ରୋଗୀ । ବିଭିନ୍ନ ଫଟୋ, ବହି, ଭିଡିଓ ଦେଖି ଆମେ ଜାଣିଲୁ ଯେ ଅଧିକ ଫ୍ଲୋରାଇଡ୍ ଥିବା ପାଣି ପିଇଲେ ଫ୍ଲୋରୋସିସ୍ ବୋଲି ଏକ ରୋଗ ହୁଏ ଯାହା ପ୍ରଥମେ ଦାନ୍ତକୁ କଷରା କରିଦିଏ ଓ ପରେ ହାଡ଼କୁ ଆକ୍ରାନ୍ତ କରି ମଣିଷକୁ ଅକର୍ମଣ୍ୟ କରିଦିଏ'', କହନ୍ତି ବିଶେଷ ପାଠ ପଢି ନ ଥିବା କିନ୍ତୁ ଏବେ ପାଣିର ମାନ ନେଇ ସମସ୍ତଙ୍କୁ ପାଠ ପଢାଇ ପାରୁଥିବା ଧନମତୀ ନାଏକ । ଗାଁ ଲୋକେ ଫ୍ଲୋରାଇଡ଼୍ ଓ ଫ୍ଲୋରୋସିସ୍ ଆଦି ବିଷୟରେ ଜାଣିବା ପରେ ଆରସିଡିସି ପକ୍ଷରୁ ତାଙ୍କୁ ଜଳର ମାନ ପରୀକ୍ଷଣ ଉପକରଣ ଦିଆଗଲା । ଜଳରେ କେଉଁ ରସାୟନର ପରିମାଣ କେତେ ରହିବା ଉଚିତ ଓ ଜଳ ପରୀକ୍ଷଣ ଉପକରଣରୁ ଜଳର ମାନ କେମିତି ନିର୍ଣ୍ଣୟ କରିବେ ତାହା ବିଷୟରେ ଗ୍ରାମର କିଛି ଶିକ୍ଷିତ ଲୋକ ଅତି ଆଗ୍ରହର ସହିତ ପ୍ରଶିକ୍ଷଣ ନେଲେ । ଗାଁ ଲୋକେ ମିଶି ସମସ୍ତ ଜଳ ଉତ୍ସର ମାନ ପରୀକ୍ଷା କଲେ । ସେଥିରୁ ଜାଣିଲେ ଯେ ଗାଁର ତିନିଟାଯାକ ନଳକୂଅ ପାଣିରେ ଫ୍ଲୋରାଇଡ଼୍ ର ପ୍ରାବଲ୍ୟ । ''ପାଣିର ପରୀକ୍ଷା ପରେ ଗାଁରେ ବ୍ୟାପୁଥିବା ବାତ ରୋଗର କାରଣ ସମସ୍ତେ ଜାଣିପାରିଲୁ'', କହନ୍ତି ଆଶା ପୋଢ଼ ।

ଏହାପରର ଗାଁ ବୈଠକ ପୂର୍ବର ବୈଠକମାନଙ୍କ ଠାରୁ ଅନେକ ଭିନ୍ନ ଥିଲା । ୧୬.୯.୨୦୧୪ ତାରିଖରେ ଦୋହଲପଡ଼ାର ଯଜ୍ଞ ମଣ୍ଡପରେ ହୋଇଥିବା ଏକ ବୈଠକରେ ଦୋହଲପଡ଼ା, ଚହକୋପଡ଼ା ଓ ମହୁଲପଡ଼ାର ଗ୍ରାମବାସୀମାନେ ଏକାଠି ହେଲେ । ଗାଁ ଲୋକେ ଜାଣି ସାରିଥିଲେ ଯେ ନଳକୂଅ ପାଣି ତାଙ୍କ ଶାରୀରିକ ଦୂରାବସ୍ଥାର କାରଣ । ଏଥର ବୈଠକରେ ବିଚାର କଲେ-ତାହା ହେଲେ କରିବା କଣ । ପ୍ରଥମ ଉତ୍ତରଟି ଖୁବ୍ ସହଜ ଥିଲା ।ସବୁ ଲୋକ କହିଲେ ସରକାରଙ୍କୁ ଲେଖି ଜଣାଇବା, ଦାବି କରିବା । ତେବେ ଭାନୁମତୀ ନାଏକ ଯାହା କହିଲେ ତାହା ଶୁଣି ଗାଁ ବୈଠକ କିଛି ସମୟ ସ୍ତବ୍ଧ ହୋଇଗଲା । ଭାନୁମତୀ ଦେବୀ ପଚାରିଲେ, ''ତାହା ହେଲେ ସରକାର କିଛି ନ କରିବା ପର୍ଯ୍ୟନ୍ତ ଆମେ କଣ ଚୁପ୍ ରହିଥିବା ଆଉ ନଳକୂଅର ପାଣି ପିଇ ଚାଲିଥିବା ?'' ଭାନୁମତୀ ଦେବୀଙ୍କ ପ୍ରଶ୍ନ ପରେ ଖେଳି ଯାଇଥିବା ନିରବତାକୁ ଭାଙ୍ଗି ସେତେବେଳେ ଆରସିଡିସିର କର୍ମୀ ଦେବରାଜ ଏକ ପ୍ରସ୍ତାବ ଦେଲେ ''ଆମେ ଗାଁରୁ ଦୁରରେ ଥିବା ଝରଣାରୁ ପାଣି ଆଣି ପାରିବା ନହେଲେ ଗାଁରେ ଥିବା କୂଅକୁ ସଫା, ସୁତୁରା ଓ ମରାମତି କରି ତାହାର ପାଣିକୁ ବ୍ୟବହାର ଉପଯୋଗି କରିପାରିବା ।'' ଭାନୁମତି ଦେବୀଙ୍କ ପ୍ରଶ୍ନ ପରେ ଦେବରାଜଙ୍କ ପ୍ରସ୍ତାବ ଅନେକ ଲୋକଙ୍କୁ ଅଡ଼ୁଆରେ ପକାଇଦେଲା । ସଭାରେ ଥିବା କିଛି ଯୁବକ କହିଲେ ''ଆମକୁ ପାଣି ଦେବା ସରକାରର କାମ ଆମେ କାହିଁକି କୂଅକୂ ସଫାସୁତରା ଓ ମରାମତି କରିବା । ତାହା ସରକାରୀ କୂଅ, ସରକାରି ମରାମତି କରିବେ ।'' ଯୁବକଙ୍କ ସେହିଭଳି ଯୁକ୍ତିକୁ ଅଧିକାଂସ ଗ୍ରାମବାସୀ ମୁଣ୍ଡଟୁଙ୍ଗାରି ହଁ ଭାବିବାକୁ ଯାଉଥିବା ବେଳେ ଭାନୁମତୀ ଦେବୀଙ୍କର ପରବର୍ତ୍ତୀ ପ୍ରଶ୍ନ ଗ୍ରାମବାସୀଙ୍କୁ ଭିନ୍ନ ଏକ ସ୍ଥିତିକୁ ନେଇ ଆସିଲା । ''ଏହା ନ କଲେ ମରିବା ଆମେ, ଭୋଗିବା ଆମେ ।

ସରକାରଙ୍କ ଦାୟିତ୍ୱ ଅଛି କିନ୍ତୁ ଆମର ମଧ୍ୟ କିଛି କର୍ତ୍ତବ୍ୟ ବି ରହିଛି । ନିଜ ପାଇଁ ଆମେ ନିଜେ ଯଦି କିଛି ନ କରିବା ତାହା ହେଲେ ଅନ୍ୟ କାହାକୁ ଦୋଷ ଦେବାର ଅଧିକାର ଆମର ନାହିଁ, ଏମିତି ଭୋଗି ଚାଲୁଥିବା,'' କହିଲେ ଭାନୁମତୀ ଦେବୀ । ଭାନୁମତୀ ଦେବୀ ଜଣେ ଶିକ୍ଷୟତ୍ରୀ । ସମସ୍ତେ ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି । ସୁଦେଷ୍ଣା ନାଏକ ଭାନୁମତୀ ଦେବୀଙ୍କର କଥାକୁ ସମ୍ପୂର୍ଣ୍ଣ ସମର୍ଥନ କଲେ । କହିଲେ , ''କୂଅଟିକୁ ଆମେ ଅଳ୍ପ ପରିଶ୍ରମ ଓ ଅଳ୍ପ ଅର୍ଥରେ ବ୍ୟବହାର ଉପଯୋଗୀ କରି ପାରିବା ।'' ଗାଁର ମେମ୍ବର ମଧ୍ୟ କହିଲେ , ''ହଁ , କୂଅକୁ ପ୍ରଥମେ ସଫା କରି ବ୍ୟବହାର ଉପଯୋଗୀ କରି ନିଜକୁ ସୁରକ୍ଷିତ କରିବା, ପରେ ସରକାର ପାଖରେ ସୁରକ୍ଷିତ ଜଳ ଯୋଗାଣ ପାଇଁ ଆମର ଦାବୀ ଅନୁରୋଧ ରଖିବା ।'' ଅନ୍ୟ କେହି କିଛି କହିବା ପୂର୍ବରୁ ମେମ୍ବର ମହୋଦୟ କହିଲେ ଯେ ଆମେ ମିଳିମିଶି ଗାଁ କୂଅକୁ ସଫା ଓ ମରାମତି କରିବା । ନିଜେ ଶ୍ରମ ଦେବା ଓ ସିମେଣ୍ଟ ବାଲି ଆଦି ପାଇଁ ସବୁ ପରିବାରଙ୍କ ଠାରୁ କିଛି ଚାନ୍ଦାଭେଦା କରିବା । ଭାନୁମତୀ ଦେବୀ ଏଥର ନିଜଆଡୁ କହିଲେ ମୁଁ ମୋ ତରଫରୁ ୫୦୦ ଟଙ୍କା ଦେଉଛି । ମେମ୍ବର ବି ୫୦୦ ଟଙ୍କା ଦେବାର ଘୋଷଣା କରିଦେଲେ । ସଭାରେ ନିଷ୍ପତି ହୋଇଗଲା ଯେ ଗାଁର ତଳମୁଣ୍ଡରେ ଥିବା କୂଅ ମରାମତି ହେବ । ନିର୍ଦ୍ଦିଷ୍ଟ ଦିନ ସ୍ଥିର ହୋଇ ଏକ ଛୋଟ ଅଟକଳ ବି ପ୍ରସ୍ତୁତ ହୋଇଗଲା ଓ ଦାୟିତ୍ୱ ବଣ୍ଟନ ହୋଇଗଲା । ଗ୍ରାମର ସମସ୍ତ ପରିବାର ୨୦ ଟଙ୍କା ଚାନ୍ଦା ଓ ଦିନକର ଶ୍ରମ ଦାନ କରିବେ ବୋଲି ନିଷ୍ପତି ହେଲା । ଚାନ୍ଦା ଅର୍ଥରେ ସିମେଣ୍ଟ ବାଲି ଇତ୍ୟାଦି କିଣିବାର ଯୋଜନା ହେଲା ।

ଗାଁର ସମସ୍ତ ଲୋକ ଚାନ୍ଦା ଦେଲେ କିନ୍ତୁ ଜଣେ ଦେବା ପାଇଁ ସମ୍ପୂର୍ଣ ନାରାଜ ଥିଲେ । ସେ ଥିଲେ ଉଲ୍ଲାସ ଦେବୀ । ତାଙ୍କର ଆର୍ଥିକ ସ୍ଥିତି ଖୁବ ଦୁର୍ବଳ । ୨୦ ଟଙ୍କା ବି ତାଙ୍କ ପାଇଁ ଖୁବ୍ ବେଶୀ । ଦ୍ୱିତୀୟରେ ସେ କୂଅଟି ଭଲ ହେଲେ ସାରା ଗାଁ ଲୋକ କୂଅକୁ ବ୍ୟବହାର କରିବେ ଓ ତାଙ୍କ ଘର ଅଗଣା କାଦୁଅ ହୋଇଯିବ ଭାବି କୂଅ ମରାମତି ପ୍ରସ୍ତାବରେ ଆଦୌ ଆଗ୍ରହୀ ନ ଥିଲେ । କିନ୍ତୁ ଯୋଉ ଦିନ ସାରା ଗାଁ ଲୋକ ଆସି କୂଅ ସଫା ଓ ମରାମତି କରିବା କାମ ଆରମ୍ଭ କଲେ ସେ ବି ସେଥିରେ ପୁରା ସାମିଲ ହୋଇଗଲେ । ଗୋଟିଏ ଦିନରେ କୂଅ ସଫା, ଭିତରର ଭଙ୍ଗା ଅଂଶ ମରାମତି , ବାହାରେ ଚାନ୍ଦିନୀ ତିଆରି ଏବଂ କୂଅର ପରିପାର୍ଶ୍ୱ ସମ୍ପୂର୍ଣ ପରିଷ୍କାର ହୋଇ ପାଣି ଯେମିତି ଦୂରରେ ନିଷ୍କାସିତ ହେବ ତାହାର ବ୍ୟବସ୍ଥା ହୋଇଗଲା । ସନ୍ଧ୍ୟାରେ କାର୍ଯ୍ୟ ସରିବା ବେଳକୁ ଉଲ୍ଲାସ ୨୦ ଟଙ୍କାର ଚାନ୍ଦା ବି ଦେଇଦେଲେ ।

ଏବେ ଚହକୋପଡା ଗାଁ ଲୋକେ ନିଜ ପାଇଁ ସୁରକ୍ଷିତ ଜଳର ବ୍ୟବସ୍ଥା କରିପାରିଛନ୍ତି । ତେବେ କୂଅଟି ଗ୍ରାମବାସୀଙ୍କର ଆବଶ୍ୟକତାକୁ ସମ୍ଫୂର୍ଣ୍ଣ ମେଣ୍ଟାଇ ପାରୁନାହିଁ । ଗାଁର କିଛି ଲୋକ ଏବେ ବି ନଳକୂଅର ପାଣିକୁ ଅଗତ୍ୟାରେ ପଡ଼ି ବ୍ୟବହାର କରୁଛନ୍ତି । ବର୍ତ୍ତମାନର ସମସ୍ୟାରୁ ସଚେତ ହୋଇ ଗ୍ରାମବାସୀ ଏବେ ଭବିଷ୍ୟତରେ ନିଘା ଜମାଇ ସାରିଲେଣି । ତାଙ୍କ ଗାଁକୁ ଏକ ବିଶାଳ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ପାଣି ମିଳିବ ବୋଲି ସରକାରୀ ଯୋଜନା ହୋଇଛି । ତାହାକୁ ଠିକ୍ ଭାବେରେ କାର୍ଯ୍ୟକାରୀ କରାଇବା ପାଇଁ ଗାଁ ଲୋକେ ଏକ ଜଳ ପରିମଳ କମିଟି ଗଠନ କରି ପ୍ରସ୍ତୁତ ହୋଇସାରିଛନ୍ତି । ଗାଁ ଲୋକେ ଅନ୍ୟ ଏକ ବିକଳ୍ପ ବି ବାଛି ସାରିଛନ୍ତି । ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଝରଣାରୁ ପାଣି ଆଣିବାର ଯୋଜନା ମଧ୍ୟ ରଖିଛନ୍ତି । ଆଦିବାସୀ ବହୁଳ ଚହକୋପଡ଼ା ଗ୍ରାମବାସୀ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ଏବଂ ଭବିଷ୍ୟତ ଦାବୀ ପାଇଁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ଏବେ ଉଲ୍ଲାସଙ୍କ ଭଳି ନିରକ୍ଷର ଗରିବ ମହିଳା ବି ଜଳ ସଚେତନ ।

Add new comment

This question is for testing whether or not you are a human visitor and to prevent automated spam submissions.

4 + 10 =
Solve this simple math problem and enter the result. E.g. for 1+3, enter 4.

More From Author

Related Articles (Topic wise)

Related Articles (District wise)

About the author

Latest