ରେଙ୍ଗର ରଙ୍ଗ ବଦଳିଲା

Submitted by Hindi on Fri, 12/11/2015 - 15:39
Printer Friendly, PDF & Email
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ଚାରି ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ଅଭାବରୁ ଅଚଳ ହୋଇ ପଡ଼ିରହିଥିଲା ରେଙ୍ଗ ଗାଁର ପାଇପ ଜଳ ପ୍ରକଳ୍ପ । ଯୁବକମାନଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସକ୍ରିୟ ଯୋଗଦାନରେ ଏବେ କିନ୍ତୁ ଗାଁ ଲୋକେ ପାଉଛନ୍ତି ପାଇପ ମାଧ୍ୟମରେ ସୁରକ୍ଷିତ ପାଣି ।

ଗ୍ରାମବାସୀଙ୍କ ଉଦ୍ୟମରେ ସଜଡା ହେଲା ଜଳ ପ୍ରକଳ୍ପଘଣ୍ଟାଏ ସରିବା ପରେ ବି ରେଙ୍ଗ ଗାଁର ଯୁବକଙ୍କ ବୈଠକରେ କିଛି ଠୋସ ନିଷ୍ପତି ହୋଇପାରୁ ନଥାଏ । ଗାଁରେ ଥିବା ଅଚଳ ପାଇପ ପାଣି ପ୍ରକଳ୍ପ କେମିତି ଚାଲିବ ତାହାରି ହେଉଥାଏ ଚର୍ଚ୍ଚା । ପ୍ରତି ପ୍ରସ୍ତାବର ସମର୍ଥନରେ କେହିକେହି ବାହାରୁଥିବା ବେଳେ ବିରୋଧରେ ବି ବାହାରୁଥିଲେ ଅନେକ । ଏଥର ଆସିଲା ତେଜରାଜ ମେହେରଙ୍କ ଏକ ପ୍ରସ୍ତାବ । 'ସବୁ କଥାରେ ବାହାର ଲୋକଙ୍କ ଉପରେ ଆଶ୍ରା କାହିଁକି କରିବା । ସମାଧାନର ଆରମ୍ଭ ତ ଆମ ହାତରେ ଅଛି'', କହିଲେ ତେଜରାଜ । ସେତେବେଳ ଯାଏ ବୈଠକରେ ଉପସ୍ଥିତ ଥିବା ଯୁବକମାନେ ତାଙ୍କ ଗାଁର ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଚଳ ସ୍ଥିତି ପାଇଁ ଅନ୍ୟକୁ ହିଁ ଦୋଷ ଦେଉଥିଲେ ଓ ଅନ୍ୟଠି ହିଁ ତାହାର ସମାଧାନ ଦେଖୁଥିଲେ । କିନ୍ତୁ ତେଜରାଜଙ୍କ ପ୍ରସ୍ତାବ ଆଲୋଚନାର ମୋଡ଼ ବଦଳାଇ ଦେଲା ।

ବୈଠକରେ ଉପସ୍ଥିତ ଥିବା ଯୁବକ ମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ 'ବୋଲବମ୍ କମିଟୀ' ର ସଦସ୍ୟ ।''ଆମ ବୋଲବମ୍ କମିଟୀର ପାଣ୍ଠିରେ ଟଙ୍କା ରହିଛି ।ସେହି ଟଙ୍କାରୁ ଆମେ ପାଇପ ପ୍ରକଳ୍ପର ବକେୟା ବିଦ୍ୟୁତ୍ ବିଲ୍ ପ୍ରଦାନ କରି ନୂଆ ଟ୍ରାନ୍ସଫର୍ମର ପାଇଁ ଦାବୀ କରିବା'', କହିଲେ ତେଜରାଜ । ଅନ୍ୟ ସବୁ ପ୍ରସ୍ତାବ ଭଳି ଏହି ପ୍ରସ୍ତାବ ଉପରେ ମଧ୍ୟ ଚର୍ଚ୍ଚା ହେଲା । ଅନେକ କହିଲେ, ବୋଲ ବମ୍ ପାଣ୍ଠିରୁ କାହିଁକି ଟଙ୍କା ଦେବା..... ଯଦି ବି ଦେବେ ଗାଁ ଲୋକେ ଦେବେ..... ଗାଁ ଲୋକେ ବା କାହିଁକି ଦେବେ, ପାଇପ ପ୍ରକଳ୍ପ ତ ଚଲାଇବା ସରକାରଙ୍କ କାମ....; ଏମିତି ଅନେକ ପ୍ରଶ୍ନ ଆସିଲା । ତେଜରାଜ ଏଥର କହିଲେ , ''ବୋଲବମ୍ କମିଟୀ ପାଣ୍ଠିରୁ ଟଙ୍କାକୁ ଋଣ ହିସାବରେ ଦେବା । ପ୍ରକଳ୍ପଟି ଚାଲିଲେ ଏଥର ଗାଁ ଲୋକେ ଚାନ୍ଦା ଦେବା ଆରମ୍ଭ କରିବେ ଏବଂ ତହିଁରୁ ବୋଲବମ୍ କମିଟୀ ପ୍ରଦାନ କରିଥିବା ଋଣ ଧୀରେ ଧୀରେ ପରିଶୋଧ ହୋଇଯିବ'', ବୁଝାଇଲେ ତେଜରାଜ । ପ୍ରସ୍ତାବଟି ବୋଲବମ୍ କମିଟୀର ସଭାପତି ତୁଳସୀ ରଣାଙ୍କ ମନକୁ ପାଇଲା । ପରେ ଉପସ୍ଥିତ ଥିବା ସମସ୍ତ ଯୁବକ ଏହା ସବୁଠାରୁ ଭଲ ସମାଧାନ ପନ୍ଥା ବୋଲି ବିଚାର କଲେ ।ନିଷ୍ପତି ହେଲା ଯେ କମିଟୀର ସଦସ୍ୟମାନେ ଘର ଘର ବୁଲି ଯୋଜନା ବିଷୟରେ ବୁଝାଇବେ । ଆହୁରି ନିଷ୍ପତ୍ତି ହେଲା ଯେ କମିଟୀର ଏକ ଦଳ ବିଦ୍ୟୁତ୍ ବିଭାଗ ଅଫିସକୁ ଯାଇ ବକେୟା ବିଦ୍ୟୁତ୍ ଦେୟ ବିଷୟରେ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଉଭୟ ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଗଲା । ରେଙ୍ଗ ଗାଁର ଅଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପୁଣି ସଚଳ ହେବାର ପଥ ଉନ୍ମୁକ୍ତ ହୋଇଗଲା ।

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତର ଏକ ବଡ଼ ଗାଁ ହେଉଛି ରେଙ୍ଗ । ମେହେର , ଗଣ୍ଡ, ଶବର, ଗଉଡ଼, କୁମ୍ଭାର, କେଉଟ ଆଦି ଜାତିର ୩୧୬ଟି ପରିବାରର ଏକ ବସତି । ଗାଁ ଲୋକଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ । ତେବେ କିଛି ମେହେର ପରିବାରର ଆର୍ଥିକ ସ୍ଥିତି ଗାଁର ହାରାହାରି ଠାରୁ ଭଲ । ୨୦୦୮ ମସିହାରେ ସରକାରଙ୍କ ସ୍ୱଜଳଧାରା ଯୋଜନାରେ ପ୍ରାୟ ସାଢେ ସାତ ଲକ୍ଷ ଟଙ୍କା ବ୍ୟୟରେ ଗାଁରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲା । ଗାଁର କିଛି ଲୋକ ଅବଶ୍ୟ ଚାନ୍ଦା ଦେଇଥିଲେ ପ୍ରକଳ୍ପରେ ଧାର୍ଯ୍ୟଥିବା ଅଂଶଧନ ବାବଦରେ କିନ୍ତୁ ଗାଁର ଅଧିକାଂଶ ଲୋକ ପ୍ରକଳ୍ପ ବିଷୟରେ ବିଶେଷ କିଛି ଜାଣି ନଥିଲେ । ପ୍ରକଳ୍ପଟି କାର୍ଯ୍ୟ ଆରମ୍ଭ କଲା ।୧୫୦୦ ମିଟର ଲମ୍ଭର ପାଇପ ପଡ଼ିଲା, ୩୨ଟି ପରିବାର ଘରୋଇ ସଂଯୋଗ ନେଲେ ଓ ଗାଁ ଦାଣ୍ଡରେ ୧୬ଟି ଷ୍ଟାଣ୍ଡପୋଷ୍ଟ୍ ବସିଲା । ପ୍ରକଳ୍ପଟି ପ୍ରାୟ ଦେଢବର୍ଷ ଭଲରେ ଚାଲିଲା । କିନ୍ତୁ ତାହାର ଦୂରାବସ୍ଥା ଆରମ୍ଭ ହୋଇଗଲା୨୦୦୮ ମସିହା ଅଗଷ୍ଟ ମାସରୁ । ଚାଷ ସମୟରେ ଲଙ୍ଗଳ ମୁନ ଲାଗି ପାଇପ ଫାଟିଗଲା । ପାଇପ ଫାଟିବା ଫଳରେ ଉପରପଡ଼ାକୁ ଆଉ ପାଣି ଗଲା ନାହିଁ । ତାହାର କିଛି ମାସ ପରେ ପମ୍ଫ୍ ଟି ପୋଡ଼ିଗଲା । ଏଥର ପ୍ରକଳ୍ପଟି ପୁରା ବନ୍ଦ ପଡ଼ିଲା । ଗାଁ ଲୋକ ଜଳ ପରିମଳ ବିଭାଗ ଓ ପଞ୍ଚାୟତ ନିକଟରେ ଦାବୀ ଉପସ୍ଥାପନ କଲେ ଅବଶ୍ୟ କିନ୍ତୁ କିଛି ହେଲା ନାହିଁ ।

ଗାଁର ଯୁବକଙ୍କ ନେତୃତ୍ୱ ସେତେବେଳଠୁ ଆରମ୍ଭ ହୋଇଯାଇଥିଲା । ଗାଁ ଯୁବକ ସଂଘର ଏକ ପ୍ରତିନିଧି ଦଳ ବିଧାୟକଙ୍କୁ ଭେଟି ପାନୀୟ ପ୍ରକଳ୍ପକୁ ସଚଳ କରିବା ପାଇଁ ଦାବୀ ରଖିଲା । ନୂଆପଡ଼ାର ତତ୍କାଳୀନ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଧାୟକଙ୍କ ହାତ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ମଞ୍ଜୁର କଲେ । ସେହି ଟଙ୍କାରେ ଜଳ ପରିମଳ ବିଭାଗ ତରଫରୁ ପମ୍ପ ମରାମତି ହେଲା, ଫଟା ପାଇପ ବଦଳରେ ନୂଆ ପାଇପ ଲାଗିଲା , ନୂଆକରି ୧୦୦ ଫୁଟ ପାଇପ୍ ବଢିଲା, ଓଭରହେଡ଼ ଟାଙ୍କିରେ ଢାଙ୍କୁଣି ଲାଗିଲା ଓ ଟାଙ୍କି ଉପରକୁ ସିଡି ତିଆରି ହେଲା । ପ୍ରକଳ୍ପଟି ପୁଣି କାର୍ଯ୍ୟକ୍ଷମ ହେଲା । କିନ୍ତୁ ଚାଲିଲା ମୋଟେ ତିନି ମାସ । ୨୦୦୯ର ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ପୋଡ଼ିଗଲା ବିଦ୍ୟୁତ ଟ୍ରାନ୍ସଫର୍ମର । ବକେୟା ବିଦ୍ୟୁତ ପାଉଣା ନ ମିଳିଲେ ନୂଆ ଟ୍ରାନ୍ସଫର୍ମର ବସିବନି ବୋଲି ରୋକଠୋକ କହିଦେଲେ ବିଦ୍ୟୁତ ବିଭାଗର ଅଧିକାରୀ । ଏଥର ସବୁ ଠପ୍ ପଡ଼ିଗଲା ।

ତାହାର ଦୀର୍ଘ ଚାରି ବର୍ଷଯାଏ କେହି ବି ମୁଣ୍ଡ ଖେଳେଇଲେନି । ମଝିରେ ମଝିରେ ଗାଁ ଲୋକେ ଜଳ ପରିମଳ ବିଭାଗ ନିକଟରେ ଦାବୀ ସିନା କରୁଥାନ୍ତି କିନ୍ତୁ ଅନ୍ୟ କିଛି ହେଉ ନଥାଏ । ୨୦୧୩ ମସିହାରେ ଦୁଇଟି ଘଟଣା ପରିସ୍ଥିତିରେ ମୋଡ଼ ଆଣିଲା । ଆରସିଡିସିର ଏକ ପ୍ରକଳ୍ପ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା । ରେଙ୍ଗ ବି ସେହି ପ୍ରକଳ୍ପ ଅଧିନରେ ଥିବା ଏକ ଗାଁ । ଆରସିଡିସିର କର୍ମୀମାନେ ବାରମ୍ବାର ଆସି ସ୍ୱଛ ଓ ସୁରକ୍ଷିତ ଜଳ ପରିମଳ କଥା କହିଲେ । କିଛି ବୈଠକରେ ଆରସିଡିସିର କର୍ମୀଙ୍କ ସହ ଜଳ ପରିମଳ ବିଭାଗର ଅଧିକାରୀ ମଧ୍ୟ ଯୋଗଦେଲେ । ''ଗାଁରେ ଜଳ ପରିମଳ ସ୍ଥିତି ବିଷୟରେ ଆଲୋଚନା ହେଲା , ମାନଚିତ୍ର ପ୍ରସ୍ତୁତ ହେଲା । ଦାୟିତ୍ୱ, କର୍ତ୍ତବ୍ୟ, ସୁଯୋଗ, ସମ୍ଭାବନାର ତର୍ଜମା ହେଲା । ସେହିଭଳି ଏକ ବୈଠକରେ ଗାଁର ଅଚଳ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ କଥା ବି ପଡ଼ିଲା ।

ଗାଁର ବୈଠକରେ ପାଇପ୍ ପ୍ରକଳ୍ପ କାହିଁକି ଚାଲୁନାହିଁ ତାହାର ତର୍ଜମା କଲୁ ଏବଂ ଜାଣିଲୁ ଯେ କେବଳ ବିଦ୍ୟୁତ ଦେୟ ପ୍ରଦାନ କରିଦେଲେପାଣି ମିଳିବା ପୁଣି ଆରମ୍ଭ ହୋଇଯିବ'', ମନେପକାଇ କହନ୍ତି ରେଙ୍ଗର ଓ୍ୱାର୍ଡ଼ମେମ୍ବର ହୃଷି ଶବର । ଠିକ୍ ସେତିକି ବେଳେ ପଡ଼ୋଶୀ ଗ୍ରାମ ଚହୋକପଡ଼ାରେ ବ୍ୟାପିଥାଏ ଝାଡ଼ାବାନ୍ତି ରୋଗ । ସେହି ବିପଦର ଆଶଙ୍କା ଲୋକଙ୍କୁ ଆହୁରି ସଚେତନ କରିଦେଲେ । ରେଙ୍ଗର ସମସ୍ତ ନଳକୂଅରେ ଅତ୍ୟଧିକ ଫ୍ଲୋରାଇଡ଼୍ ଥିବା ଚିହ୍ନଟ ହୋଇ ସାରିଥିଲା । ତେଣୁ ଗାଁ ଲୋକେ କୂଅ ପାଣି ପିଉଥିଲେ । ସେମିତି କୂଅ ପାଣି ପିଇ ଚହୋକପଡ଼ାର ଲୋକେ ଭୋଗୁଥିଲେ ଝାଡ଼ାବାନ୍ତି ରୋଗ । ଗାଁର ସଭାମାନଙ୍କରେ ଯୁବକମାନେବି ଉପସ୍ଥିତ ରହୁଥାନ୍ତି । ଗାଁର ଯୁବକ ସଂଘ ଓ ବୋଲବମ୍ ସଂଘରେ ଏକତା ଅତି ପ୍ରବଳ । ଗାଁରେ ହୋଇଥିବା ଏକ ସଭାର ପାଇପ ପ୍ରକଳ୍ପ ଆଲୋଚନା ଶୁଣିବା ପରେ ବୋଲବମ୍ କମିଟୀରେ ସ୍ୱତନ୍ତ୍ର ଭାବରେ ତାହାକୁ ନେଇ ଆଲୋଚନା ହେଇଥିଲା ଯେଉଁଠି ତେଜରାଜଙ୍କ ପ୍ରସ୍ତାବରେ ମୋହର ବସିଥିଲା । ବୋଲବମ୍ କମିଟୀର ପ୍ରସ୍ତାବ ଅନୁସାରେ ଯୁବକମାନେ ଗାଁର ପ୍ରତ୍ୟେକ ଘରକୁ ଗଲେ ଏବଂ ଯୋଜନା ବିଷୟରେ କହିଲେ ।

ପାଣି ପାଇଁ ଅପେକ୍ଷାରତ ରେଙ୍ଗ ଗ୍ରାମର ମହିଳା ପ୍ରଭାବଶାଳୀ ବୋଲବମ୍ କମିଟୀର ପ୍ରସ୍ତାବକୁ ଗାଁର ପ୍ରାୟ ସମସ୍ତ ପରିବାର ଗ୍ରହଣ କଲେ । ଅନ୍ୟ ଏକ ଦଳ ବିଦ୍ୟୁତ ବିଭାଗ ଅଫିସକୁ ଯାଇ ବିଲ୍ ଆଦି ବିଷୟରେ ତଥା ଟ୍ରାନ୍ସଫର୍ମର ବିଷୟରେ କଥା ହେଲେ । ବିଦ୍ୟୁତ ବିଭାଗ ମୋଟ ୩୬,୦୦୦ ଟଙ୍କାର ପାଉଣା ବକେୟା ଥିବାର କହିଲେ । ତେବେ ହିସାବ ପରେ ୨୭,୦୦୦ ଟଙ୍କା ପୈଠ କଲେ ବିଦ୍ୟୁତ ସଂଯୋଗ ପୁନ ସ୍ଥାପିତ ହୋଇପାରିବ ବୋଲି ଧାର୍ଯ୍ୟ ହେଲା । ଉଭୟ କାମ ହୋଇଗଲା । ବୋଲବମ୍ କମିଟୀର ପାଣ୍ଠିରୁ ୨୭,୦୦୦ ଟଙ୍କା କାଢି ତୁରନ୍ତ ବିଦ୍ୟୁତ ବକେୟା ପ୍ରଦାନ ହୋଇଗଲା । କିଛି ଦିନ ପରେ ନୂଆ ଟ୍ରାନ୍ସଫର୍ମର ବସିଲା ଓ ଚାରି ବର୍ଷ ଧରି ଅଚଳ ଥିବା ପ୍ରକଳ୍ପ ପୁଣି ପାଣି ଯୋଗାଇବା ଆରମ୍ଭ କରିଦେଲା । ତେବେ ଏଥର ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ବ୍ୟବସ୍ଥା ପୂର୍ବଠାରୁ ସମ୍ଫୂର୍ଣ୍ଣ ଭିନ୍ନ ଥିଲା । ଏଥର ସମୁଦାୟ ପ୍ରକଳ୍ପର ପରିଚାଳନା ଭାର ନିଜ ମୁଣ୍ଡକୁ ନେଇ ସାରିଥିଲେ ଗ୍ରାମବାସୀ, ବିଶେଷକରି ଗାଁର ଯୁବକ ସଂଘ ଓ ବୋଲବମ୍ ସଂଘ । ହଜାରେ ଟଙ୍କା ଦରମାରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପମ୍ଫ୍ ଚାଳକ ଭାବରେ ନିଯୁକ୍ତି ଦିଆଗଲା । ସେ ଦିନକୁ ଦୁଇଥର ପମ୍ଫ ଚଲାଇବା ସହିତ ଗାଁର ସମସ୍ତ ପରିବାର ଠାରୁ ମାସିକିଆ ଚାନ୍ଦା ଆଦାୟ କରିବାର ଦାୟିତ୍ୱ ତାଙ୍କୁ ପ୍ରଦାନ କରାଗଲା । ନିଜ ଘରକୁ ପାଇପ୍ ସଂଯୋଗ ନେଇଥିବା ୨୬ଟି ପରିବାର ଠାରୁ ପ୍ରତି ମାସରେ ୫୦ ଟଙ୍କା ଲେଖାଏଁ ଏବଂ ଷ୍ଟାଣ୍ଡପୋଷ୍ଟ୍ ରୁ ପାଣି ନେଉଥିବା ବଳକା ୧୫୪ ପରିବାର ମାସକୁ ୧୦ ଟଙ୍କା ହିସାବରେ ଚାନ୍ଦା ଦେବା ନିୟମିତ ଅଭ୍ୟାସରେ ପରିଣତ ହୋଇଗଲା ।

ପ୍ରତି ମାସ ଚାନ୍ଦା ହିସାବରେ ଆଦାୟ ହୋଇଚାଲିଲା ୨୮୦୦ ଟଙ୍କା । ସେହି ଚାନ୍ଦାରୁ ଦିଆ ହେଉଛି ପମ୍ଫ୍ ଚାଳକଙ୍କ ଦରମା ଏବଂ ବିଦ୍ୟୁତ୍ ବିଲ୍ । ତାହା ସହିତ ସେହି ଚାନ୍ଦାରୁ ବୋଲବମ୍ କମିଟୀ ପ୍ରଦାନ କରିଥିବା ୨୭୦୦୦ ଟଙ୍କା ମଧ୍ୟ ପରିଶୋଧ ହୋଇସାରି ଏବେ ପାଣ୍ଠି ବଢିଚାଲିଛି । ଗାଁରେ ଏବେ ଏକ ଜଳ ପରିମଳ କମିଟୀ ଗଠିତ ହୋଇସାରିଛି । ସେହି କମିଟୀ ଚାନ୍ଦାର ହିସାବ ରଖିବା ସହିତ ପାନୀୟ ଜଳ ପ୍ରକଳ୍ପର ଦେଖରେଖ ଦାୟିତ୍ୱ ନେଇ ସାରିଲାଣି । ରେଙ୍ଗ ଗାଁର ସବୁ ଅଞ୍ଚଳକୁ ଏବେ ସୁଦ୍ଧା ପାଇପ ଜଳ ପହଞ୍ଚିପାରି ନାହିଁ । ଗ୍ରୀଷ୍ମ ଋତୁରେ ପାଣିର ଅଭାବ ମଧ୍ୟ ପଡ଼େ । କିନ୍ତୁ ଗାଁ ଲୋକେ ତଥାପି ବି ଅନ୍ୟ ଗାଁ ତୁଳନାରେ ଢେର ଭଲରେ ପାଣି ପାଉଛନ୍ତି ।''ଅଳ୍ପ କିଛି ଟଙ୍କାର ବିଦ୍ୟୁତ୍ ବିଲ ବକେୟା ପାଇଁ ଚାରି ବର୍ଷ ଧରି ଆମେ ପାଇପରେ ପାଣି ପାଉ ନଥିଲେ । ନିଜେ କଷ୍ଟ ଭୋଗୁଥିଲେ । ଏବେ ଆମେ ନିଜ ଦାୟିତ୍ୱ ନିଜ ହାତରେ ନେଇଛୁ । ଆମ ଗାଁର ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ ଓ ପରିବର୍ଦ୍ଧିତ କରିବା ପାଇଁ ଆମେ ଏବେ ଚେଷ୍ଟିତ'', କହନ୍ତି ଯୁବକମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଥିବା ତେଜରାଜ । କୁରେଶ୍ୱର ସରପଞ୍ଚ ମହୋଦୟା ନେପୁର ମାଝୀ ମଧ୍ୟ ଗ୍ରାମବାସୀଙ୍କ ଉଦ୍ୟମରେ ଉତଫୁଲ୍ଲିତ । ''ଗାଁ ଲୋକେ ଏମିତି କାମ କରି ଚାଲିଲେ ସରକାର ମଧ୍ୟ ନିଜ କାମ କରିବା ପାଇଁ ଚାପରେ ରହିବ'', କହନ୍ତି ନେପୁର । ଏବେ ରେଙ୍ଗ ଗାଁ ପାଖପଡ଼ୋଶୀ ଗାଁ ମାନଙ୍କ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛି । ପାଇପରେ ପାଣି ପାଇଁ ସେମାନେ ସରକାରଙ୍କ ପାଖରେ ନେହୁରା ହେଉନାହାନ୍ତି, ନିଜର କର୍ତ୍ତବ୍ୟ କରିଛନ୍ତି ଓ ଭବିଷ୍ୟତ ପାଇଁ ବାସ୍ତବ ଦାବୀ ରଖିଛନ୍ତି । ଖାଲି ଯେ ପାଇପରେ ପାଣି ପାଇ ପାରିଛନ୍ତି ତାହା ନୁହେଁ, ପାଉଥିବା ପାଣି କେମିତି ସ୍ୱଛ ଓ ସୁରକ୍ଷିତ ରହିବ ତାହାର ବି ନିରନ୍ତର ପ୍ରୟାସଚାଲିଛି । ନିୟମିତ ପାଣି ପରୀକ୍ଷା ହେଉଛି, ଷ୍ଟାଣ୍ଡ୍ ପୋଷ୍ଟ୍ ର ପରିବେଶ ସଫାସୁତୁରା ରହୁଛି । ଏବେ ରେଙ୍ଗର ରଙ୍ଗ ବଦଳିଛି ।

Add new comment

This question is for testing whether or not you are a human visitor and to prevent automated spam submissions.

8 + 4 =
Solve this simple math problem and enter the result. E.g. for 1+3, enter 4.

More From Author

Related Articles (Topic wise)

Related Articles (District wise)

About the author

Latest