ଧୀରେ ଧୀରେ ବଦଳୁଛି ପରିମଳ ଧାରା

Submitted by Hindi on Sat, 01/09/2016 - 10:19
Printer Friendly, PDF & Email
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ପୋଖରୀ, କୂପ, ନଳକୂପ ସଫାସୁତୁରା ହେଉଛି। ନିର୍ମଳ ରଖିବା ପାଇଁ ତିଆରି ହେଉଛି ନୀତିନିୟମ ଓ ପାଳନ ବି ହେଉଛି କଡ଼ାକଡ଼ିରେ। ବଦଳିବାରେ ଲାଗିଛି ଆଚରଣ ଓ ଅଭ୍ୟାସ।

ନଳକୂପ ପରିଚ୍ଛନ୍ନତା ଉପରେ ଦିଆଯାଉଛି ଗୁରୁତ୍ୱନଳକୂପ ଚାନ୍ଦିନୀ ଉପରେ ମଜା ଯାଉଥିଲା ଅଇଁଠା ବାସନ। ବିଛେଇ ପଡିଥିବା ଭାତ ଖାଇବା ପାଇଁ କୁକୁଡ଼ା ଓ କୁକୁର ସେଠି ଜମା ହେଉଥିଲେ। ଲୁଗାକଚା ଓ ଗାଧୁଆ ପାଇଁ ନଳକୂପକୁ ବ୍ୟବହାର କରାଯାଉଥିବାରୁ ବର୍ଜ୍ୟ ପାଣି ଜମୁଥିଲା। ଗୋଟିଏ ଦୁଇଟି ଘୁଷୁରୀ ସେଠି ଚଲାବୁଲା କରୁଥିବାରୁ ନଲକୂପ ମୂଳଟି ପୂତିଗନ୍ଧମୟ ହୋଇଉଠିଥିଲା। ଲୋକେ ସେଠୁ ପିଇବା ପାଣି ଆଣୁଥିଲେ। ପୋଖରୀ ହୁଡା ପାଲଟିଥିଲା ଖୋଲା ଝାଡ଼ା ପଡ଼ିଆ। ଦାନ୍ତ ଘସି ହୁଡା ଉପରେ ଫୋପାଡ଼ି ଦିଆଯାଉଥିବା ଦାନ୍ତକାଠି ଜମା ହୋଇ ରହୁଥିଲା। ଗାଈ, ବଳଦ, ମଣିଷ ସବୁ ସେଇ ପୋଖରୀରେ ଗାଧୋଉଥିଲେ। ଏମିତି ଥିଲା ଗ୍ରାମବାସୀଙ୍କ ଜଳ ଓ ପରିମଳ ଅଭ୍ୟାସ; କହିଥିଲେ ନୂଆପଡ଼ା ଜିଲ୍ଲା ସଇପଲା ପ଼଼ଞ୍ଚାୟତ ଖଇରାନୀ ଗାଁର ୪୬ ବର୍ଷ ବୟସ୍କ ହଟେଶ୍ୱର ମାଝୀ।

ଗାର ଜଳ ଓ ପରିମଳ ଅଭ୍ୟାସକୁ ମନେପକାଇ ହଟେଶ୍ୱର କହନ୍ତି ୧୭୭୫ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ରହିଛି ଦୁଇଟି ପଡା। ଗୋଟିଏ ଖଇରାନୀ ଅନ୍ୟଟି କୋମାଖାନ୍‍ ପଡା । ଉଭୟ ପଡାରେ ରହିଛି ୧୨ଟି ନଲକୂପ । ୫ଟି ନଲକୂପ ଭାଙ୍ଗିଯାଇଛି । ୭ଟି ଚାଲିଛି । ଖରାଦିନ ନଆସୁଣୁ ଲୋକେ ଭୋଗନ୍ତି ଜଳକଷ୍ଟ। ଗାଁରେ ଚାରିଟି ପୋଖରୀ ଅଛି । ଲୋକେ ପୋଖରୀ ହୁଡାରେ ମଳତ୍ୟାଗ କରନ୍ତି । ଗାଈ, ମଇଁଷି, ଛେଳି, ବଳଦ ସଂଖ୍ୟା ଗାଁରେ ପାଖାପାଖି ୪୦୦। ଅଧାରୁ ଅଧିକ ପଶୁ ପୋଖରୀରେ ଗାଧାନ୍ତି। ପୋଖରୀରେ ଜଳର ରଙ୍ଗ ବର୍ଷା ଋତୁ ରେ ମାଟିଆ, କାଦୁଆ ଓ ଖରାଦିନେ ନେଳିଆ, କଳା । ପୋଖରୀର ପାଣି ଖରାଦିନେ ଶୁଖିଯାଏ। ନଳକୂପ ମୂଳେ ଲୁଗାଧୁଆ ବାସନମଜା ଓ ଗାଧୁଆ ପାଧୁଆ ହୁଏ। ବର୍ଷାଦିନେ ଝାଡା ବାନ୍ତି, ଶୀତ ଦିନେ କାଛୁ, କୁଣ୍ଡିଆ, ଖରାଦିନେ ବଥ ଘା' ଆଦି ଭଳିକି ଭଳି ରୋଗ ଦେଖାଯାଇଥାଏ। ଲୋକଙ୍କ କହିବା ଅନୁଯାୟୀ ଡାକ୍ତରଖାନାରେ ଭର୍ତ୍ତିହେବା ସଂଖ୍ୟା ପ୍ରତିବର୍ଷ ବଢିଥାଏ।

୨୦୧୩ରୁ ଆରସିଡିସି ସଂଗଠନର କର୍ମୀମାନେ ଗାଁକୁ ଆସି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଜଳର ଭୂମିକା ବିଷୟରେ ବୁଝାଇଥିଲେ। ପ୍ରଦୂଷିତ ଜଳ ଓ ଦୁର୍ବଳ ପରିମଳ ୭୦ ପତିଶତ ରୋଗର କାରଣ ବୋଲି ଲୋକେ ଜାଣିଲେ । ଆରସିଡିସି ପକ୍ଷରୁ ପ୍ରଶିକ୍ଷଣ ଦିଆଗଲା। ଗାଁରେ ଗଢାଗଲା ଗ୍ରାମ୍ୟଜଳ ଓ ପରିମଳ କମିଟି। ନିର୍ବାଚିତ ଲୋକ ପ୍ରତିନିଧି, ଜଳ ଓ ପରିମଳ କମିଟିର କର୍ମକର୍ତ୍ତା, ସ୍ୱୟଂ ସହାୟକ ଦଳର ପ୍ରତିନିଧିମାନଙ୍କୁ ଜଳ ନମୂନା ସଂଗ୍ରହ ଓ ପରୀକ୍ଷଣ କଥା ବତାଇ ଦିଆଗଲା। ଗାଁ ଲୋକେ ପ୍ରଥମ ଥର ପାଇଁ ଗାଁର ଜଳ ପରୀକ୍ଷା କରିବାର ଦକ୍ଷତା ହାସଲ କଲେ । ଜଣାପଡିଗଲା ଜଳ ଉତ୍ସଗୁଡିକ ପ୍ରଦୂଷିତ । ଏହା ହିଁ ରୋଗର କାରଣ ବୋଲି ଜାଣିବା ପରେ ଗାଁ ରେ ପଡିଲା ଭାଳେଣୀ । ଜଳଉତ୍ସଗୁଡିକ କିଭଳି ନିରାପଦ ରହିବ, ଅଳିଆ ଆବର୍ଜନା କିଭଳି ପାଣିରେ ମିଶି ନପାରିବ, ଗାଁ ଦାଣ୍ଡ, ପୋଖରୀ ଓ ନଳକୂପ ମୂଳ କିଭଳି ସଫା ସୁତୁରା ରହିବ ସେ ଦିଗରେ ଗାଁ ରେ ଏକାଧିକ ଥର ଆଲୋଚନା ହେବା ପରେ ଏବେ ସ୍ଥିତିର କିଛିଟା ପରିବର୍ତ୍ତନ ଆସିଛି ବୋଲି କହନ୍ତି ଜଳ ଓ ପରିମଳ କମିଟିର ସଦସ୍ୟା ବେଦମତୀ ମାଝୀ ।

ଗାଁର ସୁକାନ୍ତ ମାଝୀ, ଶୁକଦେଇ ମାଝୀ ଓ ସଦା ମାଝୀ କହନ୍ତି ଏବେ ନଳକୂପ ମୂଳେ ବାସନ ମଜା ଲୁଗାସଫା, ଗାଧୁଆ ପାଧୁଆ ମନା। ବର୍ଜ୍ୟ ପାଣି ଜମା ହୋଇ ନାହିଁ କି କୁକୁର ଘୁସୁରୀ ସେଠି ବସା ବାନ୍ଧୁନାହାନ୍ତି । ଖୋଲା ପଡିଆକୁ ଝାଡା ଯିବା ସଂଖ୍ୟା କିନ୍ତୁ କମି ଯାଇନାହିଁ। ଧିରେ ଧିରେ ଜଳ ପ୍ରଦୂଷଣ ଓ ଜଳଜନିତ ରୋଗ ବିଷୟରେ ସଚେତନତା ସୃଷ୍ଟି ହୋଇଛି। ଆଗକୁ ଏ ଦିଗରେ ଅନେକ କାମ ବାକି ରହିଛି।

Add new comment

This question is for testing whether or not you are a human visitor and to prevent automated spam submissions.

1 + 2 =
Solve this simple math problem and enter the result. E.g. for 1+3, enter 4.

More From Author

Related Articles (Topic wise)

Related Articles (District wise)

About the author

Latest