ଗନିଆପଡାବାସୀ ଗୁଣ ଜାଣିଲେଣି

Submitted by Hindi on Sat, 01/09/2016 - 10:34
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ଫ୍ଲୋରୋସିସ ଯୋଗୁଁ ଯୁବକଯୁବତୀମାନେ ଦିଶୁଛନ୍ତି ଢେର ବୟସ୍କ ଓ ଭୋଗୁଛନ୍ତି ଭିନ୍ନକ୍ଷମତା। ଏହି ଭୟଙ୍କର ବେମାରୀରୁ ମୁକ୍ତି ପାଇଁ ଗ୍ରାମବାସୀମାନେ ନିଜର ଉଦ୍ୟମ ଆରମ୍ଭ କରି ସରକାରଙ୍କ ପାଖରେ ରଖିଲେଣି ଦାବୀର ପସରା।

.୨୦୧୩ ମସିହା ଜୁନ୍‍ ୧୦ତାରିଖର ଘଟଣା, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‍ ର ମାନିଗୁଡା ଗାଁରେ ବିଶୁଦ୍ଧ ପାନୀୟ ଜଳ ମୁନ୍ଦେ ନପାଇ ୧୫ ଦିନ ମଧ୍ୟରେ ଘଟିଠିଲା ଚାରି ଜଣଙ୍କର ମୃତ୍ୟୁ। ଶତାଧିକ ବି ଆକ୍ରାନ୍ତ ହୋଇଥିଲେ। ୧୯୮୧ ରୁ ୧୯୯୦ ପର୍ଯ୍ୟନ୍ତ 'ବିଶ୍ୱ ଜଳ ଦଶନ୍ଧି'ର ଅବଧି ପୂରା ହୋଇଥିବା ସତ୍ତ୍ୱେ ଏମାନଙ୍କୁ ମିଳିପାରିନଥିଲା ସ୍ୱଚ୍ଛ ପାନୀୟ ଜଳ। ପୁଣି ୨୦୦୫ରୁ ଜୀବନ ପାଇଁ ଜଳ ବାର୍ତ୍ତା ସହିତ 'ବିଶ୍ୱ ଜଳ ସମ୍ପଦ ଦଶନ୍ଧି' ପାଳିତ ହୋଇଛି। ୨୦୧୫ରେ ଏ ଦଶନ୍ଧି ପୂରା ହେଉଛି କିନ୍ତୁ ଲୋକଙ୍କୁ ମିଳି ପାରୁନି ବିଶୁଦ୍ଧ ପାନୀୟ ଜଳ। ନୂଆପଡ଼ାରେ ପ୍ରଦୂଷିତ ଜଳ ହିଁ ହୋଇଛି ବର୍ଷ ବର୍ଷ ଧରି ଲୋକଙ୍କ ମୁଖ୍ୟ ପାନୀୟ ଜଳ। ଆରସିଡିସି ପକ୍ଷରୁ ୨୦୧୪ ମସିହା ଏପ୍ରିଲ ମାସରୁ ଜିଲ୍ଲାର ଦୁଇଟି ବ୍ଲକର ୫ଟି ପଞ୍ଚାୟତର ଲୋକଙ୍କୁ ବିପଦଗ୍ରସ୍ତ ଜଳରୁ ମୁକ୍ତକରି ସୁରକ୍ଷିତ ଜଳ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖି ଆରମ୍ଭ ହୋଇଛି ଏକ ପ୍ରକଳ୍ପ। ପ୍ରାୟ ସବୁ ଗାଁରେ ଲୋକଙ୍କ ଜଳ ସଚେତନତା ଅନେକ ବଢିଛି। ଅଧିକାଂଶ ଗାଁରେ ଲୋକ ନିଜର ଅଧିକାର ଓ କର୍ତ୍ତବ୍ୟ ବୁଝିଲେଣି ଏବଂ ଅନେକ ଗାଁରେ ସରକାରଙ୍କ ଠାରୁ ବିକଳ୍ପ ପାଇଁ ଅପେକ୍ଷା ନ କରି ଲୋକେ ନିଜର ଉଦ୍ୟମ ଆରମ୍ଭ କରି ସାରିଲେଣି। ପ୍ରେରିତ ହୋଇ ନିଜର ଉଦ୍ୟମ ଆରମ୍ଭ କରିଥିବା ସେମିତି ଏକ ଗାଁ ହେଲା କୋମନା ବ୍ଲକ୍‍ ନୂଆଗାଁ ପଞ୍ଚାୟତ ଠୁଟିବର ରାଜସ୍ୱ ଗ୍ରାମ ଅଧୀନସ୍ତ ପଡାଗ୍ରାମ ଗନିଆପଡା।

ମୁଖ୍ୟତ ଶବର ଜାତିର ଲୋକ ରହୁଥିବା ଏହି ଗରିବ ଗାଁ ଠାରୁ ଗ୍ରାମ ପଞ୍ଚାୟତ ନୂଆଗାଁର ଦୂରତା ୫ କି.ମି.। ବ୍ଲକ୍‍ ୨୫କି.ମି. ଏବଂ ନୂଆପଡ଼ା ଜିଲ୍ଲା ସଦର ମହକୁମା ୪୦କି.ମି.। ୧୯୭୫ ମସିହାରେ ଗାଁରେ ଖୋଳା ଯାଇଥିଲା ପ୍ରଥମ ନଳକୂପ, ୧୯୮୪ରେ କୈଳାସ ଶବରଙ୍କ ଘର ସାମନାରେ ଖୋଳାଗଲା ଆଉ ଗୋଟିଏ। ୧୯୯୯ ରେ ତୃତୀୟ ନଳକୂପଟି ଖୋଳାଯିବା ବେଳକୁ ପ୍ରଥମ ନଳକୂପଟି ଅଚଳ ସ୍ଥିତିକୁ ଚାଲି ଆସିଥିଲା। ଗାଁର ପାଖାପାଖି ୬୦୦ ଲୋକ ପିଇବା ପାଣି ପାଇଁ ଏହି ଦୁଇଟି ନଳକୂପ ଉପରେ ନିର୍ଭରଶୀଳ। ନଳକୂପ ନଥିବାବେଳେ ଗ୍ରାମବାସୀମାନେ ଗାଁର ପଶ୍ଚିମ ପଟେ ଥିବା ମେଶଣା ଯୋର(ନଦୀ)ରୁ ପାଣି ପିଉଥିଲେ। ବର୍ଷା ଦିନେ ନଦୀ ପାଣି ଗୋଳିଆ ହୋଇ ପ୍ରଦୂଷିତ ହେଲେ ଝାଡାବାନ୍ତିରେ ବି ପଡୁଥିଲେ। ନଳକୂପ ହେବା ପରେ ଲୋକେ ଭାବିଲେ ଯେ ଏଥର ପାଣିକୁ ନେଇ ଆଉ ଚିନ୍ତା ରହିବନି। ହେଲେ ୫/୬ ବର୍ଷ ନଳକୂପ ପାଣି ପିଇବା ପରେ ଲୋକଙ୍କ ଧାରଣା ଭୁଲ୍‍ ପ୍ରମାଣିତ ହୋଇଥିଲା ବୋଲି ମତ ଦିନ୍ତି ୱାର୍ଡ ମେମ୍ୱର ବ୍ରଜ ଶବର।

କାହାର ଦାନ୍ତ କଷରା ପଡିଯାଇଛି ତ କାହାର ପିଠି ଧନୁ ଭଳି ବଙ୍କା ହୋଇଛି। କିଏ ଚାଲିପାରୁନି ତ କାହାର ଗୋଡ-ହାତ ଅଚଳ। ୧୪ ଲୋକଙ୍କର ଏ ଅବସ୍ଥା। ଭେଣ୍ଡଆ ବୟସରେ ବି ବାଡି ଧରି ଚାଲିବାକୁ ପଡୁଛି। ଗାଁର ୫୬ ଜଣଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା। ହେଲେ ଏ ଭିନ୍ନକ୍ଷମତାର କାରଣ କ'ଣ ଆଜି ପର୍ଯ୍ୟନ୍ତ ସେମାନେ ଜାଣିବାକୁ ପାଇନଥିଲେ। ଡାକ୍ତରଖାନା ଦୌଡିଡୌଡି ଟଙ୍କା ସବୁ ପାଣି ପରି ସରିଗଲା ସତ, ହେଲେ ସୁସ୍ଥ ହୋଇପାରିଲେ ନାହିଁ ଗନିଆପଡାର ଫ୍ଲୋରୋସିସ୍‍ ଆକ୍ରାନ୍ତ ଗ୍ରାମବାସୀ।

ଅସହ୍ୟ ହୋଇପଡିଛି ଫ୍ଲୋରୋସିସ୍‍ ର ଯନ୍ତ୍ରଣା : ବାର୍ଦ୍ଧକ୍ୟ ବୟସରେ ବୋଝ ଉପରେ ନଳିତା ବିଡାରିଜିଓନାଲ ସେଣ୍ଟର ଫର୍‍ ଡେଭଲପମେଣ୍ଟ୍ କୋପରେସନ୍‍(ଆରସିଡିସି)ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା ପରେ ଗାଁର ସମସ୍ତ ଜଳଉତ୍ସର ପରୀକ୍ଷଣ କରାଯାଇଥିଲା। ଜଣାପଡିଲା ଯେ ଏହି ଦୁଇଟି ନଳକୂପରେ ପରାମର୍ଶିୟ ମାତ୍ରା (୧.୫ମିଗ୍ରା) ଠାରୁ ଅଧିକ ଫ୍ଲୋରାଇଡ୍‍ ପ୍ରଦୂଷଣ ରହିଛି। ସମ୍ଭବତ ଏହି କାରଣରୁ ହିଁ ଲୋକେ ଭୋଗୁଛନ୍ତି ଭିନ୍ନକ୍ଷମତା। ନିଜର ରୋଗ ପାଇଁ ଜଳ ଜହର ସାଜିଥିବାକୁ ନେଇ ଲୋକେ ଲଗାତାର ଆଲୋଚନା କରିଥିଲେ। ପାନୀୟ ଜଳର ବିକଳ୍ପ ଉତ୍ସ କ'ଣ ହୋଇପାରେ ଆଲୋଚନା କରାଗଲା। ନଳକୂପ ନଥିବାବେଳେ ଯେଉଁ ଖୋଲା କୂପଗୁଡିକୁ ବ୍ୟବହାର ହେଉଥିଲା ତାହା ବ୍ୟବହାର ନହୋଇ ମଇଳା ହୋଇ ପଡିଥିଲା। କିନ୍ତୁ ସେହି କୂଅର ଜଳରେ ଫ୍ଲୋରାଇଡ ନଥିଲା। ଲୋକେ ତାକୁ ନିଜ ଶ୍ରମଦାନରେ ସଫା କରିବାର ନିଷ୍ପତି ନେଲେ। ପ୍ରତି ପରିବାରରୁ ଆଦାୟ ହେଲା ପଚାଶ ଟଙ୍କା। ବ୍ଲିଚିଂ ପାଉଡର ଓ ଅନ୍ୟାନ୍ୟ ଖର୍ଚ୍ଚ କରାଗଲା। ଶ୍ରମଦାନରେ କୂପ ଚାରିପାଖ ପରିସ୍କାର ପରିଚ୍ଛନ୍ନତା ହେଲା। ପାଇପ ଜଳ ଯୋଗାଣ ପାଇଁ ପ୍ରଶାସନକୁ ଅନୁରୋଧ କରାଗଲା।

ଲୋକେ ନିଜ ଦାୟିତ୍ୱ ପାଳୁଛନ୍ତି। ଏବେ ଗାଁରେ ଜଳ ପରିମଳ କମିଟି ଗଢାଯାଇଛି। ଲୋକେ ବିଶୁଦ୍ଧ ଜଳ ଓ ସୁସ୍ଥ ପରିମଳ ବାବଦରେ ସଚେତନ ହେଲେଣି। ଏଥର ପାଳି ସରକାରଙ୍କର। ଫ୍ଲୋରାଇଡ ପ୍ରବଣ ନଳକୂପକୁ ସିଲ କରିଦେବା ସହ ଗ୍ରାମଟିକୁ ପାଇପ୍‍ ଜଳ ଯୋଗାଣ ପାଇଁ ଦାବି କରାଯାଉଛି ବୋଲି ଵାର୍ଡ ସଭ୍ୟ କହିଛନ୍ତି। ନିଜସ୍ୱ ପାଣ୍ଠି ନଥିବାରୁ ବୋରିଂ ଖୋଳିବା କିମ୍ୱା ଫ୍ଲୋରାଇଡ୍‍ ନଥିବା ଜଳ ଯୋଗାଡ କରିବା କଷ୍ଟକର ହୋଇପଡିଛି। ନିରାପଦ ପାନୀୟ ଜଳ ପାଇବା ପାଇଁ ଗ୍ରାମ୍ୟ ଜଳ ଓ ପରିମଳ କମିଟି ପଞ୍ଚାୟତ ଓ ଜଳ ପରିମଳ ବିଭାଗ ନିକଟରେ ଖାଲି ଦାବୀ ରଖିବାରେ ନିଜକି ସୀମିତ ରଖି ନାହାନ୍ତି, ନିଜେ ମଧ୍ୟା ଛୋଟଛୋଟ କର୍ତ୍ତବ୍ୟ କରିବା ଆରମ୍ଭ କରିଦେଲେଣି।

Disqus Comment