ମହାନଦୀ ଟ୍ରିବୁନାଲ – ଅନେକ ଆଶଙ୍କା, କିଛି ଆଶା

Submitted by Hindi on Thu, 03/01/2018 - 11:48
Printer Friendly, PDF & Email


ମହାନଦୀର ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ନ ଥମିବା କାରଣରୁ ସୁପ୍ରିମ କୋର୍ଟ ଏକ ନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ଗତ ଫେବୃୟାରୀ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟ୍ରିବୁନାଲ ଗଢାହେବ । ମହାନଦୀ ଅବବାହିକାରେ କେତେ ପାଣି ରହିଛି, ବିଭିନ୍ନ ରାଜ୍ୟରେ ଥିବା ଅଞ୍ଚଳ ମହାନଦୀ ଅବବାହିକାକୁ କେତେ ପାଣି ଯୋଗାନ୍ତି, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଜଳ ବ୍ୟବହାରର ସ୍ଥିତି କ’ଣ ରହିଛି, ଏବଂ ଭବିଷ୍ୟତରେ ଜଳ ବ୍ୟବହାରର କ’ଣ ସମ୍ଭାବନା ଅଛି ଆଦି ତଥ୍ୟ ଓ ପରିସ୍ଥିତିର ବିଚାର କରି ନଦୀ ଜଳରେ କେଉଁ ରାଜ୍ୟର କେତେ ଭାଗ ରହିବ ତାହା ନିର୍ଦ୍ଧାରଣ କରିବେ ଟ୍ରିବୁନାଲ । ଟ୍ରିବୁନାଲଟେ ଗଠନ ହୋଇଗଲେ ଯେ ନଦୀ ଜଳ ବିବାଦର ସମାଧାନ ହୋଇଯିବ ଏହି ବିଶ୍ୱାସ ମୋର ପ୍ରାୟ ନାହିଁ କାରଣ ମହାନଦୀର ଚରିତ୍ର ପରିପ୍ରେକ୍ଷୀରେ ଏହି ଜଳବିବାଦ ଅନ୍ୟ ସବୁ ନଦୀ ବିବାଦଠାରୁ ଭିନ୍ନ ହେବ ନିଶ୍ଚୟ । ହିମାଳୟରୁ ବାହାରିଥିବା ନଦୀଗୁଡିକର ଜଳପ୍ରବାହର ଚରିତ୍ର ପ୍ରାୟ ସ୍ଥିର ରହିଥାଏ । ମହାନଦୀ ଏକ ବର୍ଷାପୁଷ୍ଟ ନଦୀ ହୋଇଥିବାରୁ ଏହାର ଜଳପ୍ରବାହର ଚରିତ୍ରରେ ସ୍ଥିରତା ନ ଥାଏ । ଅବଶ୍ୟ, ଭାରତରେ ଅନେକ ନଦୀ ଅବବାହିକା ତୁଳନାରେ ମହାନଦୀ ଅବବାହିକାର ହାରାହାରି ବୃଷ୍ଟିପାତ ଅପେକ୍ଷାକୃତ ଭାବରେ ଅଧିକ । ଅଧିକାଂଶ ବର୍ଷା ୬୦ ଦିନର ଛୋଟ ଅବଧିରେ ହୋଇଥାଏ । ଏହା ମହାନଦୀକୁ ବନ୍ୟା ପ୍ରବଣ କରିଥାଏ ଯାହା ଏହି ଜଳ ବିବାଦର ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି ।

ବିବାଦ ସେତେବେଳେ ଉପୁଜିଥାଏ ଯେତେବେଳେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଦାବୀକୁ ଗ୍ରହଣ କରେନାହିଁ ବା ଅନ୍ୟ ପକ୍ଷକୁ ସନ୍ଦେହ କରେ ବା ଦୋଷାରୋପ କରେ । ମହାନଦୀ ବିବାଦ କ୍ଷେତ୍ରରେ କେଉଁ ରାଜ୍ୟ କି ଠୋସ୍ ଦାବୀ ରଖିଛନ୍ତି ତାହାର କିଛି ସ୍ପଷ୍ଟ ତଥ୍ୟ ଆମ ପାଖରେ ନାହିଁ । ହଁ, ଉଭୟ ରାଜ୍ୟ ଅପରକୁ ଅବଶ୍ୟ ସନ୍ଦେହ କରୁଛି ବା ତା ଉପରେ ଆରୋପ ଲଗାଉଛି । ଏମିତି ସନ୍ଦେହ ଓ ଦୋଷାରୋପ ଭିତରେ ଉଭୟ ରାଜ୍ୟ ଉଦଭ୍ରାନ୍ତ ତଥ୍ୟ ଓ ବିତଣ୍ଡା ଯୁକ୍ତିସବୁ ରଖୁଛନ୍ତି ଯାହାର ତର୍ଜମା ଟ୍ରିବୁନାଲରେ ହେବା ନିଶ୍ଚିତ । ଟ୍ରିବୁନାଲରେ ବିଚାର ସମୟରେ ଅନେକ କିଛି ତଥ୍ୟ ପଦାକୁ ଆସିବ ନିଶ୍ଚୟ ଯାହା ସରକାର ତଥା ମଣିଷ ସମାଜକୁ ପ୍ରକୃତ ନିଷ୍ପତ୍ତି ନେବାର ରାସ୍ତା ଦେଖାଇବ ।

ମହାନଦୀ ବିବାଦରେ ନିଜର ପକ୍ଷ ରଖିବା ପାଇଁ ଉଭୟ ରାଜ୍ୟ ଏମିତି ତଥ୍ୟସବୁ ରଖୁଛନ୍ତି ଯାହାକୁ ବୁଝିବା ବଡ କଠିନ ହୋଇଯାଉଛି । ଯେଉଁତଥ୍ୟ ତାଙ୍କୁ ସୁହାଉଛି, ସେହି ତଥ୍ୟର ବ୍ୟବହାର ହେଉଛି । ଛତିଶଗଡ ସରକାର ୨୦୧୬ ମସିହାରେ ଦିଲ୍ଲୀରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ୧୯୭୩ ମସିହାରେ ହୋଇଥିବା ମୂଖ୍ୟମନ୍ତ୍ରୀସ୍ତରୀୟ ଏକ ବୈଠକର ତଥ୍ୟ ଦେଇ କହିଲେ ଯେ ହୀରାକୁଦ ଜଳଭଣ୍ଡାରକୁ କେବଳ ଛତିଶଗଡରୁ ବାର୍ଷିକ ହାରାହାରି ୩୫,୩୦୮ ନିୟୁତ ଘନମିଟର (ନିଘମି) ବା ୨୮.୬୨ ନିୟୁତ ଏକରଫୁଟ (ନିଏଫୁ) ପାଣି ଆସୁଛି । ଏବେ ପ୍ରଶ୍ନ ହେଲା ଯେ ତତ୍କାଳୀନ ମଧ୍ୟପ୍ରଦେଶ ସରକାର ବା ଏବର ଛତିଶଗଡ ସରକାର କ’ଣ ୧୯୭୩ ମସିହା ପରେ ଆଉ ଜଳର ଆକଳନ କରିନାହାନ୍ତି? ବର୍ଷା ଓ ଜଳ ପ୍ରବାହର ଚରିତ୍ରରେ ଏହି ୪୫ ବର୍ଷରେ କ’ଣ କିଛି ପରିବର୍ତ୍ତନ ହୋଇନାହିଁ? କଥା ହେଲା ଯେ ସେହି ତଥ୍ୟ ଦେଇ ଛତିଶଗଡ ସରକାର ଏହା କହିବାର ସୁଯୋଗ ପାଇଲେ ଯେ ଛତିଶଗଡରୁ ଆସୁଥିବା ପାଣିରେ ହୀରାକୁଦ ୬/୭ ଥର ଭରି ହୋଇଯିବ । ହୀରାକୁଦକୁ ପ୍ରଚୁର ଜଳ ଆସୁଛି ବୋଲି ୧୯୭୩ ମସିହାର ବୈଠକର ତଥ୍ୟ ଦେଲେ କିନ୍ତୁ ତାଙ୍କ ରାଜ୍ୟରୁ ଓଡିଶାକୁ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ହୀରାକୁଦର ଉପରମୁଣ୍ଡରେ ଥିବା ବସନ୍ତପୁର ବ୍ୟାରେଜଠାରେ ୧୯୭୧-୭୨ରୁ ୨୦୧୪-୧୫ ବର୍ଷ ମଧ୍ୟରେ ହୋଇଥିବା ପ୍ରବାହର ଆଉଗୋଟେ ତଥ୍ୟ ଦେଲେ । ସେହି ସମୟ ମଧ୍ୟରେ ସେଠାରେ ହାରାହାରି ପ୍ରାୟ ୨୨,୦୦୦ ନିଘମି ବା ୧୭.୮ ନିଏଫୁ ପାଣି ପ୍ରବାହିତ ହେଉଥିଲା । ଛତିଶଗଡକୁ ଏହା ଦିଶିଲା ନାହିଁ ଯେ ଜଳପ୍ରବାହ କମୁନାହିଁ ବୋଲି ଦେଖାଇବା ପାଇଁ ସେ ଦେଇଥିବା ମାତ୍ରାଓଡିଶାକୁ ପ୍ରଚୁର ଜଳ ଆସୁଛି ବୋଲି ଦେଖାଇବା ପାଇଁ ଦେଇଥିବା ମାତ୍ରାରୁ ୨୮% କମ ।

ଏବେ ଦେଖିବା ଛତିଶଗଡ ସରକାର ମହାନଦୀର ପାଣିକୁ ବ୍ୟବହାର କରିବା ପାଇଁ କେମିତି ଯୋଜନା କରିଛନ୍ତି । ଛତିଶଗଡ ସରକାର କହିଛନ୍ତି ଯେ ତାଙ୍କ ରାଜ୍ୟ ମହାନଦୀରୁ ୧୦,୨୪୫ ନିଘମି ବା ୮.୩୧ ନିଏଫୁ ପାଣିି ବ୍ୟବହାର କରୁଛନ୍ତି ଓ ଆଉ ୨୩,୬୫୧ ନିଘମି ବା ୧୯.୧୭ ନିଏଫୁ ପାଣି ବ୍ୟବହାର କରିବାର ଯୋଜନା ଅଛି । ଏହି ଯୋଜନା ଅନୁସାରେ ମହାନଦୀରୁ ଛତିଶଗଡ ୩୩,୮୯୬ ନିଘମି ବା ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ । ମହାନଦୀରେ କଣ ଏତିକି ପାଣି ଅଛି? କେନ୍ଦ୍ରୀୟ ଜଳ ଆୟୋଗ ୨୦୧୨ ମସିହାରେ ପ୍ରକାଶ କରିଥିବା ‘ଇଣ୍ଟିଗ୍ରେଟେଡ ହାଇଡ୍ରୋଲୋଜିକାଲ ଡାଟା ବୁକ୍’ ଅନୁସାରେ ସମୁଦାୟ ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳ ସମ୍ଭାବନା ହେଉଛି ୬୧,୯୫୦ ନିଘମି ବା ୫୦.୨୨ ନିଏଫୁ । ଛତିଶଗଡରେ ମହାନଦୀର ୫୩ଭାଗ ଅଞ୍ଚଳ ଅଛି କିନ୍ତୁ ଛତିଶଗଡରେ ହାରାହାରି ବର୍ଷା ଓଡିଶା ତୁଳନାରେ ନିଶ୍ଚିତ ଭାବରେ କମ୍ । ତେଣୁ ଜଳ ସମ୍ଭାବନା ଉଭୟ ରାଜ୍ୟର ପ୍ରାୟ ସମାନ । ଏହି ହିସାବରେ ଛତିଶଗଡରେ ଥିବା ସମଗ୍ର ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳସମ୍ଭାବନା ୨୫.୧ ନିଏଫୁ ହେବ । ଏମିତିରେ ଛତିଶଗଡ କେମିତି ୨୭.୪୮ ନିଏଫୁ ପାଣି ବ୍ୟବହାର କରିବ ବୋଲି ଭାବି ବି ପାରୁଛି?

ଓଡିଶା ବି କିଛି କମ୍ ନୁହେଁ । ଓଡିଶା ସରକାର କହୁଛନ୍ତି ଯେ ଏବେ ହୀରାକୁଦକୁ ଉପରମୁଣ୍ଡରୁ ପ୍ରତି ବର୍ଷ ହାରାହାରି ୧୯,୨୩୭ ନିଘମି ବା ୧୫.୬ ନିଏଫୁ ପାଣି ଆସୁଛି । ଏତିକି ଜାଣି ମଧ୍ୟ ଓଡିଶା କହୁଛି ଯେ ବିଭିନ୍ନ ବ୍ୟବହାର ପାଇଁ ତାକୁ ହୀରାକୁଦରୁ ୧୮,୧୭୫ ନିଘମି ବା ୧୪.୭୩ ନିଏଫୁ ପାଣି ଦରକାର । ଯଦି ଏବେ ୧୫.୬ ନିଏଫୁ ପାଣି ଆସୁଛି, ଓଡିଶା କେମିତି ୧୪.୭୩ ନିଏଫୁ ବା ଆସୁଥିବା ପ୍ରାୟ ସବୁ ପାଣିକୁ ବ୍ୟବହାର କରିବ ବୋଲି ଯୋଜନା କରୁଛି? ତାହାହେଲେ ଓଡିଶା ସରକାର କ’ଣ ହୀରାକୁଦରୁ ତଳକୁ ପାଣି ଛାଡିବାର ନାହିଁ? ଓଡିଶା ସରକାର ପୁଣି କହୁଛନ୍ତି ଯେ ପରିବେଶ ପାଇଁ ଆହୁରି ୯,୬୨୧ ନିଘମି ବା ୭.୮ ନିଏଫୁ ପାଣି ଦରକାର । ଛତିଶଗଡ ଏବେ ପ୍ରାୟ ୮.୩ ନିଏଫୁ ପାଣି ବ୍ୟବହାର କରୁଛି । ଓଡିଶା ସରକାର କଣ ଏୟା ଚାହାନ୍ତି ଯେ ଛତିଶଗଡ ରାଜ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳ ଅଧିଗ୍ରହଣ କ୍ଷେତ୍ରର ପ୍ରାୟ ୯୦% ଥିଲେ ମଧ୍ୟ ତାହା ସେହି ଅବବାହିକାର କିଛି ପାଣି ବ୍ୟବହାର ନ କରି ଓଡିଶାକୁ ସବୁ ଛାଡି ଦେଉ? ଖାଲି ସେତିକି ନୁହେଁ, ହୀରାକୁଦ ଓ ମହାନଦୀରୁ ଶିଳ୍ପକୁ ପାଣି ଦେବାରେ କିଛି ଅସୁବିଧା ନାହିଁ ବୋଲି ଦେଖାଇବା ପାଇଁ ଓଡିଶା ସରକାର ଦେଉଛି ଗୋଟେ ତଥ୍ୟ, ଆଉ ଛତିଶଗଡରୁ ପାଣି କମିଗଲାଣି ବୋଲିି ଦେଖାଇବା ପାଇଁ ଓଡିଶା ସରକାର ଦେଉଛନ୍ତି ଆଉ ଗୋଟେ ତଥ୍ୟ । କେନ୍ଦ୍ର ସରକାର ପ୍ରଦାନ କରୁଥିବା ବିଭିନ୍ନ ତଥ୍ୟ ମଧ୍ୟରେ ବି ତାଳମେଳ ରହୁନାହିଁ । ଉଦାହରଣସ୍ୱରୂପ, କେନ୍ଦ୍ରୀୟ ଜଳ ଆୟୋଗ ୨୦୧୨ ମସିହାରେ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ମହାନଦୀ ଅବବାହିକାର ହାରାହାରି ବାର୍ଷିକ ଜଳ ସମ୍ଭାବନା ହେଉଛି ୬୧,୯୫୦ ବିଲିୟନ ଘନମିଟର । କିନ୍ତୁ ସେହି କେନ୍ଦ୍ର ଜଳସମ୍ବଳ ବିଭାଗର ‘ୱାଟର ରିସୋର୍ସ ଇନଫର୍ମେସନ ସିଷ୍ଟମ ଅଫ ଇଣ୍ଡିଆ’ କହେ ଯେ ମହାନଦୀ ଅବବାହିକାର ହାରାହାରି ଜଳସମ୍ଭାବନା ହେଉଛି ୬୬,୮୮୦ ନିୟୁତ ଘନମିଟର ବା ୫୪.୨୨ ନିୟୁତ ଏକର ଫୁଟ । ଏମିତି ଏକ ମୌଳିକ ହିସାବରେ ମଧ୍ୟ ପ୍ରଭେଦ ରହୁଛି ।

ଏମିତି ହିସାବ ହିଁ ବିବାଦକୁ ଗଣ୍ଡଗୋଳିଆ କରାଏ, ସମାଧାନର ବାଟ ବନ୍ଦ କରିଦିଏ । ସରକାରମାନେ ଏମିତି ତଥ୍ୟସବୁ ଦେବା ଅତି ଚିନ୍ତାଜନକ । ଏହା ନିଶ୍ଚିତ ଭାବରେ ଏକ ବାସ୍ତବତା ଯେ ବିଭିନ୍ନ ବ୍ୟବହାର ଯୋଗୁଁ ତଥା ଜଳବାୟୁରେ ପରିବର୍ତ୍ତନ କାରଣରୁ ମହାନଦୀରେ ଜଳପ୍ରବାହ ନିଶ୍ଚିତ ଭାବରେ କମୁଛି ଏବଂ ଭବିଷ୍ୟତରେ ଆହୁରି କମିବ । ସରକାରମାନେ ଜଳର ମାଲିକ ନୁହନ୍ତି, କେବଳ ତାହାର ରକ୍ଷକ । କିନ୍ତୁ କୌଣସି ସରକାର ସେହି ଦାୟିତ୍ୱ ନିର୍ବହନ କରୁନାହାନ୍ତି । ସମାଧାନ ପାଇଁ କୋର୍ଟକଚେରୀ ଟ୍ରିବୁନାଲ ଦରକାର ହେଉଛି । ତେବେ ଟ୍ରିବୁନାଲମାନ ନଦୀଜଳ ବିବାଦ ସମାଧାନ କରିବାରେ ଆଜିଯାଏ ସଫଳ ହୋଇନାହାନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । ମହାନଦୀ କ୍ଷେତ୍ରରେ ମଧ୍ୟ ସେହି ଆଶଙ୍କା ଅଛି । ମହାନଦୀ ସମସ୍ୟା ତ ଅନ୍ୟ ନଦୀଠାରୁ ଆହୁରି ଜଟିଳ । ହୀରାକୁଦ ଭଳି ଏକ ବିଶାଳ ନଦୀବନ୍ଧ ଛତିଶଗଡ ଓ ଓଡିଶାର ସୀମାର ଠିକ୍ ତଳେ ଅଛି । ତାହା ଜଳର ଭାଗବଣ୍ଟାକୁ ନିଶ୍ଚୟ ଖୁବ୍ ଜଟିଳ କରିବ । ପୁଣି ମହାନଦୀ ଅନ୍ୟ ନଦୀଠାରୁ ଅନେକ ଭିନ୍ନ କାରଣ ଏହା ଏକ ଅତି ବନ୍ୟା ପ୍ରବଣ ନଦୀ । ଖାଲି ଭାଗବଣ୍ଟା ନୁହେଁ ବନ୍ୟା ନିୟନ୍ତ୍ରଣ ମଧ୍ୟ ପ୍ରସଙ୍ଗ ହେବ ।

ଅତି ବାହାସ୍ଫୋଟିଆ ତଥ୍ୟ ଦେଇ ବିବାଦରେ ମାତିଥିବା ଦୁଇଟି ରାଜ୍ୟ ସହିତ ବନ୍ୟା ଭଳି ଏକ ପ୍ରସଙ୍ଗକୁ କେମିତି ଟ୍ରିବୁନାଲଟିଏ ସମାଧାନ କରିବ ତାହାକୁ ନେଇ ଗଭୀର ଶଙ୍କା ଅଛି । କିନ୍ତୁ ଏହି ବିଶ୍ୱାସ ଅଛି ଯେ ମହାନଦୀର ଜଳକୁ ନେଇ ଟ୍ରିବୁନାଲ ଅନ୍ତତଃ ସଠିକ୍ ତଥ୍ୟ ନିର୍ଦ୍ଧାରଣ କରିପାରିବ ଯାହା ସରକାରମାନଙ୍କୁ ଉଚିତ ବୁଦ୍ଧି ଦେବ ଯାହା ଉଚିତ ଯୋଜନା କରାଇବାରେ ସହାୟକ ହେବ ଓ ଜଳ ବିବାଦର ସମାଧାନ ପାଇଁ ଉତ୍ତର ଯୋଗାଇବ ।
 

More From Author

Related Articles (Topic wise)

Related Articles (District wise)

About the author

नया ताजा