ଦରକାର ସିନ୍ଧୁ କିନ୍ତୁ ପାନୀୟ ଜଳ ଯୋଗାଣ ବଢ଼ୁଛି ବିନ୍ଦୁରେ

Submitted by Hindi on Fri, 03/30/2018 - 11:24
Printer Friendly, PDF & Email

ବଜେଟ ଅଭିଭାଷଣର ଭଳିଯିବା ଭଳି ପରିସଂଖ୍ୟାନରେ ହଜିଯାଉଛି ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣର ବାସ୍ତବ ପହଞ୍ଚର ଚିତ୍ର

ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ବିଧାନସଭାରେ ବଜେଟ ପ୍ରସ୍ତାବ ରଖିବା ବେଳେ ଅଭିଭାଷଣରେ ଓଡ଼ିଶାର ଅର୍ଥମନ୍ତ୍ରୀ ବିଗତ ୧୭ ବର୍ଷରେ ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା ପାଉଥିବା ଜନସଂଖ୍ୟା ଗ୍ରାମଞ୍ଚଳରେ ୪ ଲକ୍ଷରୁ ବଢ଼ି ୧୫୦ ଲକ୍ଷରେ ଓ ସହରାଞ୍ଚଳରେ ୩୧ ଲକ୍ଷରୁ ବଢ଼ି ୬୬ ଲକ୍ଷରେ ପହଞ୍ଚିଛି ବୋଲି କହିବା ଶୁଣି ଅନେକ ଲୋକ ନିଶ୍ଚୟ ଭାବି ନେଇଥିବେ ଯେ ବାସ୍ତବରେ ଓଡ଼ିଶାର ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ପ୍ରଭୂତ ଉନ୍ନତି ହୋଇଛି । ଅର୍ଥମନ୍ତ୍ରୀ କହିବା ଅନୁସାରେ ଯଦି ଗ୍ରାମାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ପାଉଥିବା ଲୋକଙ୍କ ସଂଖ୍ୟା ଚାରି ଲକ୍ଷରୁ ବଢ଼ି ୧୫୦ ଲକ୍ଷ ହୋଇଛି ତେବେ ସେହି ବୃଦ୍ଧି ଆଦୌ କିଛି କମ୍ ନୁହେଁ – ତାହା ପ୍ରାୟ ୩୭ ଗୁଣ ବା ୩୬୫୦%ର ବିଶାଳ ବୃଦ୍ଧିି ।

Mega Pipe Water Supply project to one of the fluorosis hit areas of Nuapada district of Odisha is lying defunct since more than 5 yearsଯଦି ଏହି ତଥ୍ୟ ଠିକ୍ ତାହାହେଲେ ଏହି ୧୭ ବର୍ଷରେ ଲୋକଙ୍କୁ ପାଇପ ପାଣିର ସୁବିଧା ଯୋଗାଣ ପ୍ରତିବର୍ଷ ହାରାହାରି ଭାବରେ ୨୩.୮% ହାରରେ ବଢ଼ିଛି । ଏବେ ଲୋକେ ଆଶ୍ଚର୍ଯ୍ୟ ହେବେ ଯେ ବିଗତ ବର୍ଷମାନଙ୍କରେ ଯଦି ସେତିକି ହାରରେ ଲୋକଙ୍କୁ ପାଇପ ଜଳ ଯୋଗାଣ ସୁବିଧାର ପହଞ୍ଚ ବଢ଼ିଛି ତେବେ ମାନ୍ୟବର ଅର୍ଥମନ୍ତ୍ରୀ ଚଳିତ ବର୍ଷର ଅଭିଭାଷଣରେ କାହିଁକି କହିଲେ ଯେ ଆସନ୍ତା ୨୦୧୮-୧୯ ବର୍ଷରେ ପାଇପ ଜଳ ବ୍ୟବସ୍ଥାର ପହଞ୍ଚ ୧୦% ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବୁ! ଏହି ବୃଦ୍ଧିର ଲକ୍ଷ୍ୟ ତାହା ହେଲେ ତ ପୂର୍ବ ବର୍ଷମାନଙ୍କରେ ହାସଲ ହୋଇଥିବା ବୃଦ୍ଧିହାରଠାରୁ ଼ଢେର କମ୍! ଅଡ଼ୁଆ ରହୁଛି ସେଇଠି ।

ଏହାର ଏକ ସାଧାରଣ କାରଣ ହେଲା ଯେ ମୂଳ କମ୍ ବା ଛୋଟ ଥିଲେ ଅଧିିକ ବୃଦ୍ଧିହାର ହାସଲ କରିବା ପାଇଁ ଅଧିକ ପରିଶ୍ରମ ପଡ଼େ ନାହିଁ କିନ୍ତୁ ମୂଳ ବଡ଼ ହୋଇଗଲେ ପରିଶ୍ରମ ଅଧିକ ଲାଗେ । ଗୋଟିଏ ଉଦାହରଣରୁ ଏହା ଦେଖିବା । ଧରନ୍ତୁ, ୫ଟିି ପାଇପ ଜଳ ଯୋଗାଣ ପ୍ରକଳ୍ପ ଥିଲା । ପରବର୍ତ୍ତୀ ବର୍ଷ ଆଉ ୫ଟି ବଢ଼ି ୧୦ଟି ପ୍ରକଳ୍ପ ହେଲା । ଏହା କହିହେବ ଯେ ୧୦୦% ବଢ଼ିଗଲା । ସେତିକି ବୃଦ୍ଧିହାର ପରବର୍ତ୍ତୀ ବର୍ଷ ହାସଲ କରିବା ପାଇଁ ୫ଟି ନୁହେଁ, ୧୦ଟି ପ୍ରକଳ୍ପ ଦରକାର ହେବ । ଏକ ଛୋଟ ମୂଳ ବା ଖରାପ ସ୍ଥିତିରୁ ଅଳ୍ପ ପରିବର୍ତ୍ତନ ହେଲେ ବି ସଂଖ୍ୟାରେ ତାହା ଖୁବ୍ ବିରାଟ ଜଣାପଡ଼େ । ଖୁବ୍ ଛୋଟ ମୂଳ ବା ମୂଳ ବର୍ଷରେ ସ୍ଥିତି ନିହାତି ଦୟନୀୟ ଥିବାରୁ ଓଡ଼ିଶାର ପାଇପ ଜଳ ଯୋଗାଣରେ ହୋଇଥିବା ବୃଦ୍ଧି ଖୁବ୍ ବଡ଼ ଲାଗୁଛି କିନ୍ତୁ ସରକାରଙ୍କ ସେହିଭଳି ଅଙ୍କ ପ୍ରଦାନ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ବିକଳ ଅବସ୍ଥାକୁ ଆଦୌ ପ୍ରତିଫଳିତ କରୁନାହିଁ ।

ଓଡ଼ିଶାର ବାସ୍ତବ ସ୍ଥିତିକୁ ଜାଣିବା ପାଇଁ ଅନ୍ୟ କିଛି ସରକାରୀ ପରସଂଖ୍ୟାନକୁ ଦେଖିବା । ଗତ ଜାନୁୟାରୀ ୧ ତାରିଖରେ ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ଏକ ଉତ୍ତର ଅନୁସାରେ ଓଡ଼ିଶାର ଗ୍ରାମଞ୍ଚଳର ୧କୋଟି ୬୨ ଲକ୍ଷ ଲୋକଙ୍କ ପାଇଁ ପାଇପ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ଏହା ରାଜ୍ୟର ମୋଟ ଗ୍ରାମ୍ୟ ଜନସଂଖ୍ୟାର ପ୍ରାୟ ୪୫.୧% ହେବ । ଏହା ମୋଟ ଗ୍ରାମ୍ୟ ଜନସଂଖ୍ୟାର ଅଧାରୁ କମ୍ ହେଲେ ବି ଆଖିଦୃଶିଆ ଲାଗୁଛି । କିନ୍ତୁ ଏହି ତଥ୍ୟ ବି ବାସ୍ତବତାର ପ୍ରତିଫଳନ ନୁହେଁ କାରଣ ଗାଁ ବା ବସତିରେ ପାଇପ ଜଳ ପ୍ରକଳ୍ପଟେ ହୋଇଗଲେ ବସତିର ସମସ୍ତଙ୍କୁ ପାଇପ ଜଳ ବ୍ୟବସ୍ଥା ହୋଇଗଲା ବୋଲି ଧରି ନିଆଯାଏ । ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ସେହି ଉତ୍ତରରୁ ଏହା ବି ଜଣାପଡ଼େ ଯେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମାତ୍ର ୨୬% ବସତିକୁ ହିଁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ପହଞ୍ଚିପାରିଛି । ଏହା ଜଣାଏ ଯେ ବଡ଼ ବସତିରେ ପାଇପ ପାଣିର ବ୍ୟବସ୍ଥା ଅଧିକ ହୋଇଛି । ତେବେ, ଏହି ସଂଖ୍ୟା ବି ବାସ୍ତବତାର ସମ୍ପୂର୍ଣ୍ଣ ପ୍ରତିଫଳନ ନୁହେଁ କାରଣ ତାହା ଲୋକେ କେଉଁ ସ୍ତରରେ ଓ କେତେ ମାତ୍ରାରେ ପାଇପ ଜଳ ଯୋଗଣ ବ୍ୟବସ୍ଥାକୁ ହାସଲ କରିପାରୁଛନ୍ତି ତାହା ଦେଖାଉ ନାହିଁ ।

ଗତ ଫେବୃୟାରୀ ୬ ତାରିଖରେ ରାଜ୍ୟସଭାରେ ଆଉ ଏକ ଉତ୍ତର ରଖି ସରକାର କହିଥିଲେ ଯେ ଓଡ଼ିଶାର ୨,୦୫,୫୮୪ ଗ୍ରାମ୍ୟ ପରିବାର ପାଖରେ ହିଁ ଘରୋଇ ପାଇପ ସଂଯୋଗ ରହିଛି । ଏହା ବୋଧହୁଏ ପୁରୁଣା ତଥ୍ୟ ଥିଲା । ଗ୍ରାମ୍ୟ ଜଳଯୋଗାଣ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ ୨୦୧୮ ମସିହାର ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ୩,୦୪,୦୦୬ଟି ପରିବାର ପାଖରେ ହିଁ ଘରୋଇ ପାଇପ ଜଳ ସଂଯୋଗ ଥିଲା । ଏହି ସଂଖ୍ୟା ହିଁ ବାସ୍ତବତାର ପ୍ରତିଫଳନ ଅଟେ । ଏହି ସଂଖ୍ୟା ଜଣାଏ ଯେ ରାଜ୍ୟର ମାତ୍ର ୩.୭୩% ଗ୍ରାମ୍ୟ ପରିବାର ପାଖରେ ହିଁ ଘରୋଇ ପାଇପ ସଂଯୋଗ ଥିଲା । ଆହୁରି ବିକଟ ସ୍ଥିତି ଅଛି । ରାଜ୍ୟର ୮ଟି ଜିଲ୍ଲାର ଗ୍ରାମଞ୍ଚଳରେ ଘରୋଇ ସଂଯୋଗ ୧%ରୁ ମଧ୍ୟ କମ୍ ଗ୍ରାମ୍ୟ ପରିବାର ପାଖରେ ଉପଲବ୍ଧ ଅଛି । ଏହା ହେଲା ଓଡ଼ିଶାର ନିଚ୍ଛକ ବାସ୍ତବତା ।

ଏହିଭଳି ନୈରାଶ୍ୟଜନକ ଚିତ୍ରକୁ ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଉଜାଗର କରି ସରକାର ସେହି ସ୍ଥିତିରେ ପ୍ରଭୂତ ଉନ୍ନତି ଆଣିବା ପାଇଁ କ’ଣ ଯୋଜନା କରୁଛନ୍ତି ତାହା ଜଣାଇବାର ଥିଲା । କିନ୍ତୁ ତାହା ନ କରି ଅର୍ଥମନ୍ତ୍ରୀ କହିଲେ ଯେ ୨୦୧୮-୧୯ ବର୍ଷରେ ଅଧିକ ୧୦% ଲୋକଙ୍କୁ ପାଣି ଯୋଗାଇଦେବୁ । ଏହି ସଂଖ୍ୟାରେ କେଉଁ ଗୁଣର ପାଇପ ଜଳଯୋଗାଣ ସେବା ଦେବେ ତାହାରି କିଛି ବି ସୁରାକ୍ ମିଳୁନି । ଯେହେତୁ ସେ ଖାଲି ଗ୍ରାମ୍ୟ ବୋଲି କହିନାହାନ୍ତି ଏହାକୁ ରାଜ୍ୟର ସମସ୍ତ ଗ୍ରାମ୍ୟ ଓ ସହରୀ ଜନସଂଖ୍ୟା ବୋଲି ବୁଝାଯିବ । ଗାଁ ବା ବସ୍ତିରେ ପ୍ରକଳ୍ପଟିଏ କରି ସାରା ଗାଁର ସମସ୍ତ ଲୋକଙ୍କୁ ପାଣି ଯୋଗାହୋଇଛି ବୋଲି ସରକାର ଧରି ନିଅନ୍ତି ।

ସେହିଭଳି ବିଚାରରେ ମଧ୍ୟ ୨୦୧୮-୧୯ ବର୍ଷରେ ଉଭୟ ଗ୍ରାମ୍ୟ ଓ ସହରରେ ପାଇପ ପାଣିର ପହଞ୍ଚ ବର୍ତ୍ତମାନର ୨.୧୬ କୋଟି ଲୋକରୁ ଆଉ ପ୍ରାୟ ୨୨ କୋଟି ବଢି ପ୍ରାୟ ୨.୩୮ କୋଟି ଲୋକଙ୍କ ପାଖରେ ହିଁ ପହଞ୍ଚିପାରିବ । ଏମିତିରେ ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ପାଇପ ପାଣି ପହଞ୍ଚିବ କେବେ? କାରଣ, ସେତିକି ବଢ଼ି ମଧ୍ୟ ତାହା ରାଜ୍ୟର ବର୍ତ୍ତମାନ ଜନସଂଖ୍ୟାର ଅଧାରୁ ତଥାପି ବି କମ୍ ହେବ । ଲୋକଙ୍କ ପାଖରେ ପାଇପ ଜଳ ପହଞ୍ଚାଇବାର ସ୍ଥିତି ଏମିତି ବିକଟ ଥିବା ବେଳେ ପ୍ରତି ପରିବାର ପାଖରେ ଘରୋଇ ପାଇପ ସଂଯୋଗ ପହଞ୍ଚାଇବାର ଯୋଉ ଲକ୍ଷ୍ୟ ଥିଲା ତାହାର ସ୍ଥିତି ବିଷୟରେ କହିବା ପାଇଁ ମନ୍ତ୍ରୀ ତନ୍ତ୍ରୀଙ୍କର ସାହସ ନ ରହିବା ସ୍ୱାଭାବିକ । ଅନ୍ୟ ସଂଖ୍ୟା ଦେଇ ଭୂଲାଇ ଦେବା କଥା ।

ବଡ଼ କ୍ଷୋଭର କଥା ଯେ ବଜେଟ ନିର୍ଦ୍ଧାରଣ କଲା ବେଳେ ସରକାରମାନେ (ଖାଲି ଓଡ଼ିଶା ସରକାର ନୁହନ୍ତି) ପୂର୍ବରୁ ସ୍ଥିର ହୋଇଥିବା ଲକ୍ଷ୍ୟ ଓ ଯୋଜନାର କଥା ଭୂଲିଯାଉଛନ୍ତି । ୨୦୧୧ ମସିହାରେ କେନ୍ଦ୍ର ସରକାର ଏକ ‘ଷ୍ଟ୍ରାଟେଜିକ ପ୍ଲାନ’ ପ୍ରସ୍ତୁତ କରିଥିଲେ । ସେଥିରେ ଲକ୍ଷ୍ୟ ଥିଲା ଯେ ୨୦୧୭ ସୁଦ୍ଧା ୫୫% ଗ୍ରାମ୍ୟ ପରିବାର ପାଖରେ ପାଇପ ଜଳ ଯୋଗାଣର ପହଞ୍ଚ ଥିବ ଓ ଅନ୍ୟୁନ ୩୫% ଗ୍ରାମ୍ୟ ପରିବାର ନିଜର ଘରେ ଘରୋଇ ଟ୍ୟାପ ସଂଯୋଗ ପାଉଥିବେ । ୨୦୧୭ ସରିଗଲା କିନ୍ତୁ ଓଡ଼ିଶାରେ ଟ୍ୟାପ ସଂଯୋଗ ପାଇଥିବା ଗ୍ରାମ୍ୟ ପରିବାର ସଂଖ୍ୟା ଲକ୍ଷ୍ୟର ଦଶଭାଗର ଭାଗେରେ ରହିଗଲା । ସେହି ଷ୍ଟ୍ରାଟେଜିକ ପ୍ଲାନରେ ୨୦୨୨ ସୁଦ୍ଧା ଅନ୍ୟୁନ ୮୦% ପରିବାର ପାଖରେ ଘରୋଇ ଟ୍ୟାପ ସଂଯୋଗ ପହଞ୍ଚାଯିବ ବୋଲି ଲକ୍ଷ୍ୟ ଅଛି । ଚଳିତ ବର୍ଷକୁ ମିଶାଇ ଆଉ ୪ବର୍ଷ ରହିଲା ।

ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତିବର୍ଷ ହାରାହାରି ୩୯ ଲକ୍ଷ ପରିବାର ପାଖରେ ଟ୍ୟାପ ସଂଯୋଗ ପହଞ୍ଚିବା ଦରକାର । ଅନ୍ୟଭାବରେ କହିଲେ ଏବେ ସାରା ଓଡ଼ିଶାରେ ମୋଟରେ ଯେତିକି ଗ୍ରାମ୍ୟ ପରିବାର ପାଖରେ ଟ୍ୟାପ ସଂଯୋଗ ଅଛି, ଆଗାମୀ ଚାରି ବର୍ଷର ପ୍ରତ୍ୟେକ ବର୍ଷରେ ତାହାର ୧୩ଗୁଣା ଅଧିକ ପରିବାର ପାଖରେ ଟ୍ୟାପ ସଂଯୋଗ ପହଞ୍ଚିବା ଦରକାର ଅଛି । ଓଡିଶା ସରକାରଙ୍କ ବଜେଟ ଓ ବିଗତ ବର୍ଷମାନଙ୍କର ଗତି ଦେଖି ତାହା ମୁଙ୍ଗେରୀଲାଲର ସୁନେଲୀ ସ୍ୱପ୍ନ ଭଳି ଲାଗିଲାଣି ।

ଓଡ଼ିଶାର ଅର୍ଥମନ୍ତ୍ରୀ ରଖିଥିବା ବଜେଟ ଅଭିଭାଷଣର ଭାଷାରୁ ପାନୀୟ ଜଳଯୋଗାଣର ପହଞ୍ଚ ଓ ମାନ ବଢ଼ାଇବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଏକ ସୂଚନା ଆସେ । ଓଡ଼ିଶାର ୨୦୧୮-୧୯ ବର୍ଷ ପାଇଁ ବଜେଟରେ ବିଭିନ୍ନ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବଜେଟ ତଥା ଅନ୍ୟ ସୂତ୍ରରୁ ଜୁଟାଇ ସମୁଦାୟ ୩,୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଏହା ପୂର୍ବ ବର୍ଷ ମାନଙ୍କ ତୁଳନାରେ ଅଧିକ ଅଟେ ଏବଂ ପାଇପ ଜଳ ଯୋଗାଣର ପହଞ୍ଚ ନିଶ୍ଚୟ ବଢ଼ାଇବ । ଦୂର୍ଭାଗ୍ୟ ଯେ କେନ୍ଦ୍ର ସରକାର ଗ୍ରାମ୍ୟ ଜଳଯୋଗାଣ ପାଇଁ ପାଣ୍ଠି ଯୋଗାଣକୁ ଖୁବ୍ ସୀମିତ କରିସାରିଛନ୍ତି । ତେଣୁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ଆହୁରି ବଢ଼ି ଯାଇଛି । ମରାମତି ଦେଖରେଖ ପାଇଁ ବରାଦ ବ୍ୟତୀତ ତଥା ଅର୍ଥ କମିଶନରୁ ପ୍ରାପ୍ତ ଅର୍ଥର ଅନ୍ୟୁନ ୩୦% ପାନୀୟ ଜଳ ପାଇଁ ଖର୍ଚ୍ଚ ହେବ ।

ପଇସା ଅଛି କିନ୍ତୁ ଉଦ୍ୟମର ଅଭାବ ଅଛି । ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହାର ପ୍ରାପ୍ତି କେତେ ଆଗେଇଛି ତାହାର ତର୍ଜମା ନ ହେଲେ ଏମିତି ସ୍ଥିତି ହେବ । ଲୋକଙ୍କୁ ଉପଯୁକ୍ତ ମାତ୍ରା ଓ ସଠିକ୍ ମାନର ପାଣି ଏବଂ ଏକ ନିର୍ଦ୍ଧାରିତ ମାନର ସେବା ମାଧ୍ୟମରେ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ଅଟେ । କେତେ ବସ୍ତିରେ ବା କେତେ ଲୋକଙ୍କ ପାଖରେ ପାଣି ପହଞ୍ଚିଲା ନୁହଁ, କେତେ ଘରେ ଟ୍ୟାପ ଲାଗିଲା ତାହା ମାପକାଠି ହେବା ଦରକାର । ଏହା ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ଆହୁରି ସଶକ୍ତ, ଉନ୍ନତ ଓ ସ୍ଥାୟୀ କରିବ ।

Add new comment

This question is for testing whether or not you are a human visitor and to prevent automated spam submissions.

5 + 3 =
Solve this simple math problem and enter the result. E.g. for 1+3, enter 4.