ଗାଁରେ ଥିବା ଦୁଇଟା ନଳକୂଅର ପାଣି ପିଇ ସୁଧୁ ଗରିବ ଆଦିବାସୀ ବସତିର ସମସ ପରିବାରରେ ଏବେ ଫ୍ଲୋରୋସିସ ରୋଗୀ । ପାଣିର ମାନ ସଚେତନ ହୋଇଥିବା ଏହି ଗାଁର ଲୋକେ ସରକାରୀ ବିକଳ୍ପକୁ ଅପେକ୍ଷା ନ କରି ନିଜ ଅର୍ଥ ଓ ପରିଶ୍ରମରେ କୂଅ ଖୋଳି ନିଜ ପାଇଁ ଯୋଗାଡ଼ କରିପାରିଛନ୍ତି ସ୍ୱଚ୍ଛ ଓ ସୁରକ୍ଷିତ ଜଳ ।

ସେହି ପଣ କରିଥିଲେ ଗ୍ରାମର ପ୍ରତ୍ୟେକ ଜଣ । ପ୍ରଥମ ପଣ ଥିଲା ଗାଁରେ ଥିବା ନଳକୂଅକୁ ପରିତ୍ୟାଗ କରିବେ । ସେହିଭଳି ପଣ କରିବାରରେ ଅଗ୍ରଣୀ ଭୂମିକା ନେଇଥିଲେ ମାଳତି ମାଝୀଙ୍କ ଭଳି ମା । “ଆମ ଗାଁର ସମସ୍ତ ଘରେ ଏମିତି ରୋଗୀ ଅଛନ୍ତି ଯାହାଙ୍କର ଆଣ୍ଠୁ,ଅଣ୍ଟା ବଙ୍କା ହୋଇ ସାରିଛି । ଯୁବକଯୁବତୀମାନେ ବୃଦ୍ଧବୃଦ୍ଧା ଭଳି ଦିଶୁଛନ୍ତି । ଆମେ ଯାହାକୁ ଏଯାଏ ବାତ ବୋଲି ଭାବୁଥିଲୁ ତାହା ବାତ ନୁହେଁ ଫ୍ଲୋରୋସିସ ରୋଗ ଯାହା ଅତ୍ୟଧିକ ଫ୍ଲୋରାଇଡ୍ ପାଣି ବ୍ୟବହାରର ଫଳ ବୋଲି ଜାଣି ନଥିଲୁ '', କହନ୍ତି ମାଳତୀ ଦେବୀ । ମାଳତୀଙ୍କ ବେଦନାରେ ଟିକିଏ ବି ଅତିରିକ୍ତତା ନାହିଁ । ଛୋଟ ୧୩ ପରିବାର ବିଶିଷ୍ଟ ତାଙ୍କ ଆଦିବାସୀ ଗାଁର ଜନସଂଖ୍ୟା ୬୦। ତାଙ୍କ ମଧ୍ୟରୁ ୨୧ ଜଣଙ୍କ ଦେହରେ ରହିଛି ଅସ୍ଥିଗତ ଫ୍ଲୋରୋସିସ ରୋଗର ସମସ୍ତ ଲକ୍ଷଣ । କିଛି ବ୍ୟକ୍ତି ତ ସମ୍ଫୂର୍ଣ ବିକଳାଙ୍ଗ ହୋଇ ସାରିଲେଣି ।ଆଶ୍ଚର୍ଯ୍ୟର କଥା ଓଡ଼ିଶା ର ନୂଆପଡ଼ା ଜିଲ୍ଲାରେ ନଳକୂଅ ପାଣିରେ ଫ୍ଲୋରାଇଡ୍ ଅଧିକ ଅଛି ବୋଲି ସାରା ରାଜ୍ୟ, ସାରା ଦେଶ ଜାଣି ସାରିଥିଲେ ସୁଦ୍ଧା ଏହି ଗ୍ରାମବାସୀଙ୍କ ପାଇଁ ତାହା ଥିଲା ଅଜଣା । ଏବେ କିନ୍ତୁ ଗ୍ରାମର ମଧ୍ୟ ବୟସ୍କା ଆପାଠୁଆ ଗୃହଣୀ ଫାଲଗୁନି ମାଝୀ ବି ଫ୍ଲୋରୋସିସ୍ ରୋଗ ଓ ଫ୍ଲୋରାଇଡ୍ ଅଧିକ ଥିବା ପାଣି ବିଷୟରେ ପୂର୍ଣ ସଚେତନ । “୨୦୧୩ ମସିହାରେ ଆରସିଡିସର କର୍ମୀମାନେ ବାରମ୍ବାର ଆସି ଆମକୁ ଫଟୋ ଭିଡିଓ ଦେଖାଇଲେ । ଆମେ ସଭାମାନଙ୍କରେ ବି ଯୋଗଦେଲୁ । ସେଥିରୁ ଆମେ ଆମ ଭଳି ରୋଗୀଙ୍କୁ ଦେଖିଲୁ ଓ କାରଣ ଜାଣିଲୁ । ଗାଁର ଦୁଇଟି ଯାକ ନଳକୂଅ ପାଣିକୁ ନିଜେ ପରୀକ୍ଷା କଲୁ । ଗାଁର ମଝିରେ ଦୂଲାରସାଇ ମାଝୀଙ୍କ ଘର ଆଗରେ ଥିବା ନଳକୂଅ ପାଣିରେ ଲିଟର ପ୍ରତି ୫ ମିଲିଗ୍ରାମ୍ ଓ ସ୍କୁଲ ହତାରେ ଥିବା ନଳକୂଅ ପାଣିରେ ୨ ମିଲିଗ୍ରାମ୍ ଫ୍ଲୋରାଇଡ୍ ଥିବା ଜାଣିଲୁ । ଜାଣିବା ପରେ ନଳକୂଅ ପାଣିକୁ ବ୍ୟବହାର କରିବାର ପ୍ରଶ୍ନ ହିଁ ନଥିଲା'', ସୂଚନା ଦିଅନ୍ତି ଫାଲଗୁନୀ ଦେବୀ ।

ତେବେ ଗ୍ରାମବାସୀ ନିଷ୍ପତ୍ତି ନେଇଗଲେ ସିନା , ତାହାକୁ କାର୍ଯ୍ୟକାରୀ କରିବା ଆଦୌ ସହଜ ନଥିଲା । ଗ୍ରାମର ସମସ୍ତ ପରିବାର ଆଦିବାସୀ । ଖୁବ୍ ଗରିବ । କୂଅ ଖୋଳିବାରେ ନିଜେ ଲାଗିବା ତାଙ୍କ ପାଇଁ ଥିଲା ନିଜର ମଜୁରୀ ହରେଇବା, ପଇସା ଦେଇ ସିମେଣ୍ଟ ପଥର କିଣିବା ଅର୍ଥ ଥିଲା ନିଜର ସଞ୍ଚିତ ଆୟକୁ ଖାଇବାରେ ନୁହଁ ଅନ୍ୟ କିଛିରେ ଲଗାଇବା । ତହିଁରେ ସମସ୍ତ ପରିବାରରେ ଅଳ୍ପ ବହୁତେ ବିକଳାଙ୍ଗ । ଏତେ ସବୁରେ ମଧ୍ୟ ଗ୍ରାମବାସୀ ନିଷ୍ପତ୍ତିରେ କଠୋର ରହିଲେ । ଚୈତ୍ରମାସର ଏକ ସଭାରେ ୭୦ ବର୍ଷ ବୟସ୍କା ମହିଳା ମନ୍ଦାର ମାଝୀ କୂଅ ଖୋଳିବା ପାଇଁ ଏକ ସ୍ଥାନର ପ୍ରସ୍ତାବ ଦେଲେ । ସେଇଠି ପୂର୍ବରୁ ଏକ କୂଅ ଥିଲା ଯାହାର ପାଣି ଖୁବ୍ ମିଠା ଥିଲା । କିନ୍ତୁ କୂଅଟି କେବେଠୁ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲା । ମନ୍ଦାର ଦେବୀ ଯେଉଁ ସ୍ଥାନର ସୂଚନା ଦେଲେ ତାହା ଥିଲା ଫୁଲେଇ ମାଝୀଙ୍କ ଜମି । ସଭାରେ ଫୁଲେଇ ମାଝୀ ମଧ୍ୟ ଥିଲେ । ସଙ୍ଗେସଙ୍ଗେ ଫୁଲେଇ ମାଝୀ କହିଲେ ସେ ଉକ୍ତ ଜମିକୁ ଗ୍ରାମବାସୀଙ୍କୁ ଦାନ କରିଦେବେ । କୂଅର ସ୍ଥାନ ଚୂଡ଼ାନ୍ତ ହୋଇଗଲା । ଗ୍ରାମବାସୀ ଏଥର ପରବର୍ତୀ ନିଷ୍ପତ୍ତି ନେଲେ । କୂଅ ଖୋଳା ଯୋଜନା ଚୂଡ଼ାନ୍ତ ହେଲା ଓ ଏକ ଅନୁମାନିକ ଅଟକଳ ପ୍ରସ୍ତୁତ ହେଲା । ଅଟକଳ ଅନୁସାରେ କୂଅ ପାଇଁ ପ୍ରତ୍ୟେକ ପରିବାର ୮୦୦ ଟଙ୍କା ଓ ଅନ୍ୟୁନ ପାଞ୍ଚଦିନର ଶ୍ରମ ଦେବା ପାଇଁ ନିଷ୍ପତ୍ତି ନେଲେ ।
ଗ୍ରାମବାସୀ ଖାଲି ନିଷ୍ପତ୍ତି ନେଲେ ନାହିଁ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେ । ସମସ୍ତ ପରିବାର କରନ୍ତି ଅଳ୍ପ ଡାଳୁଅ ଧନ ଚାଷ । ଅମଳ ପରେପରେ ଲାଗିଗଲେ କାମରେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସ୍ତ୍ରୀ ପୁରୁଷ ସମସ୍ତେ ଲାଗିଲେ । ବୈଶାଖର ଟାଇଁଟାଇଁ ଖରା ଦୋପହରରେ ବି ୧୮ ଫୁଟ ଗଭୀରର କୂଅ ଖୋଳିଲେ, ଭାଲୁବିନ୍ଧାର ନାଳରେ ପଥର ତାଡ଼ିଲେ ଓ ଭାଙ୍ଗିଲେ, ଟ୍ରାକ୍ଟର ଓ ଶଗଡ଼ରେ ବୋହିଲେ, କୂଅ ବାନ୍ଧିଲେ । ଯାହା ଟଙ୍କା ଠୁଳାଇଥିଲେ ତହିଁରେ ସିମେଣ୍ଟ ଆଦି କିଣିଲେ, ପଥର ବାଲି କଢାଇବା ପାଇଁ ଟ୍ରାକ୍ଚର ଭଡ଼ା ଦେଲେ, ମିସ୍ତ୍ରୀ ମଜୁରୀ ଦେଲେ ଓ ପାଣି କାଢିବା ଏକ ଲୁହା ଚକି ଲଗାଇଲେ । ଆହୁରି ପଥର ଦରକାର ହେବାରୁ କିଲୋମିଟର ଦୂରରୁ ମୁଣ୍ଡରେ ବି ବୋହିକି ଆଣିଲେ । ଠୁଳାଇବଥିବା ଟଙ୍କା କମ୍ ହେବାରୁ ପରିବାର ପ୍ରତି ପୂର୍ବର ୮୦୦ ଟଙ୍କା ସହିତ ଆହୁରି ୨୦୦ ଟଙ୍କା ଅତିରିକ୍ତ ଠୁଳାଇଲେ । ସପ୍ତାହ ଦୁଇଟାରେ ଗାଁ ଲୋକଙ୍କ କୂଅ ପ୍ରସ୍ତୁତ ହୋଇଗଲା । ଯୋଉଦିନ କୂଅର ପାଣି ପ୍ରଥମ କରି ବ୍ୟବହାର ସେଦିନ ତାଙ୍କର ଖୁସି ଅନୁଭବ କରି ହେଉଥିଲା । ଗ୍ରାମବାସୀଙ୍କ ପ୍ରୟାସ ଦେଖି ସାଇପଲା ସରପଞ୍ଚ ମହୋଦୟା ବି ଚକିତ । “ଲୋକେ ସବୁ ଦାୟିତ୍ୱ ପାଇଁ ସରକାରଙ୍କୁ ନିର୍ଭର କରୁଥିବା ବେଳେ ଗରିବ ମାତ୍ର ଦୃଢ଼ମନା ଡୁଙ୍ଗୁରିପଡ଼ା ଗ୍ରାମବାସୀଙ୍କ ଆଖି ଖୋଲିଦେବା ଭଳି ଉଦ୍ୟମ ମୁଁ ନିଜେ ଦେଖିଛି । ଏହି କୂଅ ସରକାରୀ ଭାବରେ ହୋଇଥିଲେ ଚାଳିଶ ପଚାଶ ହଜାରରୁ କମ୍ ରେ ହୋଇନଥାନ୍ତା । ଏହି କାମ ଆମ ଭଳି ପଞ୍ଚାୟତ ପ୍ରତିନିଧିଙ୍କୁ ଯେତିକି ଖୁସି କରୁଛି ସେତିକି ଅଧିକି ଦାୟିତ୍ୱସମ୍ପନ୍ନ ହେବା ପାଇଁ ପ୍ରେରଣା ଦେଇଛି '', କହନ୍ତି ସାଇପଲା ସରପଞ୍ଚ ଶ୍ରୀମତୀ ବୃନ୍ଦାବତୀ ମାଝୀ ।

Posted by