ଚାରି ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ଅଭାବରୁ ଅଚଳ ହୋଇ ପଡ଼ିରହିଥିଲା ରେଙ୍ଗ ଗାଁର ପାଇପ ଜଳ ପ୍ରକଳ୍ପ । ଯୁବକମାନଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସକ୍ରିୟ ଯୋଗଦାନରେ ଏବେ କିନ୍ତୁ ଗାଁ ଲୋକେ ପାଉଛନ୍ତି ପାଇପ ମାଧ୍ୟମରେ ସୁରକ୍ଷିତ ପାଣି ।

ବୈଠକରେ ଉପସ୍ଥିତ ଥିବା ଯୁବକ ମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ 'ବୋଲବମ୍ କମିଟୀ' ର ସଦସ୍ୟ ।''ଆମ ବୋଲବମ୍ କମିଟୀର ପାଣ୍ଠିରେ ଟଙ୍କା ରହିଛି ।ସେହି ଟଙ୍କାରୁ ଆମେ ପାଇପ ପ୍ରକଳ୍ପର ବକେୟା ବିଦ୍ୟୁତ୍ ବିଲ୍ ପ୍ରଦାନ କରି ନୂଆ ଟ୍ରାନ୍ସଫର୍ମର ପାଇଁ ଦାବୀ କରିବା'', କହିଲେ ତେଜରାଜ । ଅନ୍ୟ ସବୁ ପ୍ରସ୍ତାବ ଭଳି ଏହି ପ୍ରସ୍ତାବ ଉପରେ ମଧ୍ୟ ଚର୍ଚ୍ଚା ହେଲା । ଅନେକ କହିଲେ, ବୋଲ ବମ୍ ପାଣ୍ଠିରୁ କାହିଁକି ଟଙ୍କା ଦେବା..... ଯଦି ବି ଦେବେ ଗାଁ ଲୋକେ ଦେବେ..... ଗାଁ ଲୋକେ ବା କାହିଁକି ଦେବେ, ପାଇପ ପ୍ରକଳ୍ପ ତ ଚଲାଇବା ସରକାରଙ୍କ କାମ....; ଏମିତି ଅନେକ ପ୍ରଶ୍ନ ଆସିଲା । ତେଜରାଜ ଏଥର କହିଲେ , ''ବୋଲବମ୍ କମିଟୀ ପାଣ୍ଠିରୁ ଟଙ୍କାକୁ ଋଣ ହିସାବରେ ଦେବା । ପ୍ରକଳ୍ପଟି ଚାଲିଲେ ଏଥର ଗାଁ ଲୋକେ ଚାନ୍ଦା ଦେବା ଆରମ୍ଭ କରିବେ ଏବଂ ତହିଁରୁ ବୋଲବମ୍ କମିଟୀ ପ୍ରଦାନ କରିଥିବା ଋଣ ଧୀରେ ଧୀରେ ପରିଶୋଧ ହୋଇଯିବ'', ବୁଝାଇଲେ ତେଜରାଜ । ପ୍ରସ୍ତାବଟି ବୋଲବମ୍ କମିଟୀର ସଭାପତି ତୁଳସୀ ରଣାଙ୍କ ମନକୁ ପାଇଲା । ପରେ ଉପସ୍ଥିତ ଥିବା ସମସ୍ତ ଯୁବକ ଏହା ସବୁଠାରୁ ଭଲ ସମାଧାନ ପନ୍ଥା ବୋଲି ବିଚାର କଲେ ।ନିଷ୍ପତି ହେଲା ଯେ କମିଟୀର ସଦସ୍ୟମାନେ ଘର ଘର ବୁଲି ଯୋଜନା ବିଷୟରେ ବୁଝାଇବେ । ଆହୁରି ନିଷ୍ପତ୍ତି ହେଲା ଯେ କମିଟୀର ଏକ ଦଳ ବିଦ୍ୟୁତ୍ ବିଭାଗ ଅଫିସକୁ ଯାଇ ବକେୟା ବିଦ୍ୟୁତ୍ ଦେୟ ବିଷୟରେ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଉଭୟ ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଗଲା । ରେଙ୍ଗ ଗାଁର ଅଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପୁଣି ସଚଳ ହେବାର ପଥ ଉନ୍ମୁକ୍ତ ହୋଇଗଲା ।
ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତର ଏକ ବଡ଼ ଗାଁ ହେଉଛି ରେଙ୍ଗ । ମେହେର , ଗଣ୍ଡ, ଶବର, ଗଉଡ଼, କୁମ୍ଭାର, କେଉଟ ଆଦି ଜାତିର ୩୧୬ଟି ପରିବାରର ଏକ ବସତି । ଗାଁ ଲୋକଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ । ତେବେ କିଛି ମେହେର ପରିବାରର ଆର୍ଥିକ ସ୍ଥିତି ଗାଁର ହାରାହାରି ଠାରୁ ଭଲ । ୨୦୦୮ ମସିହାରେ ସରକାରଙ୍କ ସ୍ୱଜଳଧାରା ଯୋଜନାରେ ପ୍ରାୟ ସାଢେ ସାତ ଲକ୍ଷ ଟଙ୍କା ବ୍ୟୟରେ ଗାଁରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲା । ଗାଁର କିଛି ଲୋକ ଅବଶ୍ୟ ଚାନ୍ଦା ଦେଇଥିଲେ ପ୍ରକଳ୍ପରେ ଧାର୍ଯ୍ୟଥିବା ଅଂଶଧନ ବାବଦରେ କିନ୍ତୁ ଗାଁର ଅଧିକାଂଶ ଲୋକ ପ୍ରକଳ୍ପ ବିଷୟରେ ବିଶେଷ କିଛି ଜାଣି ନଥିଲେ । ପ୍ରକଳ୍ପଟି କାର୍ଯ୍ୟ ଆରମ୍ଭ କଲା ।୧୫୦୦ ମିଟର ଲମ୍ଭର ପାଇପ ପଡ଼ିଲା, ୩୨ଟି ପରିବାର ଘରୋଇ ସଂଯୋଗ ନେଲେ ଓ ଗାଁ ଦାଣ୍ଡରେ ୧୬ଟି ଷ୍ଟାଣ୍ଡପୋଷ୍ଟ୍ ବସିଲା । ପ୍ରକଳ୍ପଟି ପ୍ରାୟ ଦେଢବର୍ଷ ଭଲରେ ଚାଲିଲା । କିନ୍ତୁ ତାହାର ଦୂରାବସ୍ଥା ଆରମ୍ଭ ହୋଇଗଲା୨୦୦୮ ମସିହା ଅଗଷ୍ଟ ମାସରୁ । ଚାଷ ସମୟରେ ଲଙ୍ଗଳ ମୁନ ଲାଗି ପାଇପ ଫାଟିଗଲା । ପାଇପ ଫାଟିବା ଫଳରେ ଉପରପଡ଼ାକୁ ଆଉ ପାଣି ଗଲା ନାହିଁ । ତାହାର କିଛି ମାସ ପରେ ପମ୍ଫ୍ ଟି ପୋଡ଼ିଗଲା । ଏଥର ପ୍ରକଳ୍ପଟି ପୁରା ବନ୍ଦ ପଡ଼ିଲା । ଗାଁ ଲୋକ ଜଳ ପରିମଳ ବିଭାଗ ଓ ପଞ୍ଚାୟତ ନିକଟରେ ଦାବୀ ଉପସ୍ଥାପନ କଲେ ଅବଶ୍ୟ କିନ୍ତୁ କିଛି ହେଲା ନାହିଁ ।
ଗାଁର ଯୁବକଙ୍କ ନେତୃତ୍ୱ ସେତେବେଳଠୁ ଆରମ୍ଭ ହୋଇଯାଇଥିଲା । ଗାଁ ଯୁବକ ସଂଘର ଏକ ପ୍ରତିନିଧି ଦଳ ବିଧାୟକଙ୍କୁ ଭେଟି ପାନୀୟ ପ୍ରକଳ୍ପକୁ ସଚଳ କରିବା ପାଇଁ ଦାବୀ ରଖିଲା । ନୂଆପଡ଼ାର ତତ୍କାଳୀନ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଧାୟକଙ୍କ ହାତ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ମଞ୍ଜୁର କଲେ । ସେହି ଟଙ୍କାରେ ଜଳ ପରିମଳ ବିଭାଗ ତରଫରୁ ପମ୍ପ ମରାମତି ହେଲା, ଫଟା ପାଇପ ବଦଳରେ ନୂଆ ପାଇପ ଲାଗିଲା , ନୂଆକରି ୧୦୦ ଫୁଟ ପାଇପ୍ ବଢିଲା, ଓଭରହେଡ଼ ଟାଙ୍କିରେ ଢାଙ୍କୁଣି ଲାଗିଲା ଓ ଟାଙ୍କି ଉପରକୁ ସିଡି ତିଆରି ହେଲା । ପ୍ରକଳ୍ପଟି ପୁଣି କାର୍ଯ୍ୟକ୍ଷମ ହେଲା । କିନ୍ତୁ ଚାଲିଲା ମୋଟେ ତିନି ମାସ । ୨୦୦୯ର ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ପୋଡ଼ିଗଲା ବିଦ୍ୟୁତ ଟ୍ରାନ୍ସଫର୍ମର । ବକେୟା ବିଦ୍ୟୁତ ପାଉଣା ନ ମିଳିଲେ ନୂଆ ଟ୍ରାନ୍ସଫର୍ମର ବସିବନି ବୋଲି ରୋକଠୋକ କହିଦେଲେ ବିଦ୍ୟୁତ ବିଭାଗର ଅଧିକାରୀ । ଏଥର ସବୁ ଠପ୍ ପଡ଼ିଗଲା ।
ତାହାର ଦୀର୍ଘ ଚାରି ବର୍ଷଯାଏ କେହି ବି ମୁଣ୍ଡ ଖେଳେଇଲେନି । ମଝିରେ ମଝିରେ ଗାଁ ଲୋକେ ଜଳ ପରିମଳ ବିଭାଗ ନିକଟରେ ଦାବୀ ସିନା କରୁଥାନ୍ତି କିନ୍ତୁ ଅନ୍ୟ କିଛି ହେଉ ନଥାଏ । ୨୦୧୩ ମସିହାରେ ଦୁଇଟି ଘଟଣା ପରିସ୍ଥିତିରେ ମୋଡ଼ ଆଣିଲା । ଆରସିଡିସିର ଏକ ପ୍ରକଳ୍ପ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା । ରେଙ୍ଗ ବି ସେହି ପ୍ରକଳ୍ପ ଅଧିନରେ ଥିବା ଏକ ଗାଁ । ଆରସିଡିସିର କର୍ମୀମାନେ ବାରମ୍ବାର ଆସି ସ୍ୱଛ ଓ ସୁରକ୍ଷିତ ଜଳ ପରିମଳ କଥା କହିଲେ । କିଛି ବୈଠକରେ ଆରସିଡିସିର କର୍ମୀଙ୍କ ସହ ଜଳ ପରିମଳ ବିଭାଗର ଅଧିକାରୀ ମଧ୍ୟ ଯୋଗଦେଲେ । ''ଗାଁରେ ଜଳ ପରିମଳ ସ୍ଥିତି ବିଷୟରେ ଆଲୋଚନା ହେଲା , ମାନଚିତ୍ର ପ୍ରସ୍ତୁତ ହେଲା । ଦାୟିତ୍ୱ, କର୍ତ୍ତବ୍ୟ, ସୁଯୋଗ, ସମ୍ଭାବନାର ତର୍ଜମା ହେଲା । ସେହିଭଳି ଏକ ବୈଠକରେ ଗାଁର ଅଚଳ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ କଥା ବି ପଡ଼ିଲା ।
ଗାଁର ବୈଠକରେ ପାଇପ୍ ପ୍ରକଳ୍ପ କାହିଁକି ଚାଲୁନାହିଁ ତାହାର ତର୍ଜମା କଲୁ ଏବଂ ଜାଣିଲୁ ଯେ କେବଳ ବିଦ୍ୟୁତ ଦେୟ ପ୍ରଦାନ କରିଦେଲେପାଣି ମିଳିବା ପୁଣି ଆରମ୍ଭ ହୋଇଯିବ'', ମନେପକାଇ କହନ୍ତି ରେଙ୍ଗର ଓ୍ୱାର୍ଡ଼ମେମ୍ବର ହୃଷି ଶବର । ଠିକ୍ ସେତିକି ବେଳେ ପଡ଼ୋଶୀ ଗ୍ରାମ ଚହୋକପଡ଼ାରେ ବ୍ୟାପିଥାଏ ଝାଡ଼ାବାନ୍ତି ରୋଗ । ସେହି ବିପଦର ଆଶଙ୍କା ଲୋକଙ୍କୁ ଆହୁରି ସଚେତନ କରିଦେଲେ । ରେଙ୍ଗର ସମସ୍ତ ନଳକୂଅରେ ଅତ୍ୟଧିକ ଫ୍ଲୋରାଇଡ଼୍ ଥିବା ଚିହ୍ନଟ ହୋଇ ସାରିଥିଲା । ତେଣୁ ଗାଁ ଲୋକେ କୂଅ ପାଣି ପିଉଥିଲେ । ସେମିତି କୂଅ ପାଣି ପିଇ ଚହୋକପଡ଼ାର ଲୋକେ ଭୋଗୁଥିଲେ ଝାଡ଼ାବାନ୍ତି ରୋଗ । ଗାଁର ସଭାମାନଙ୍କରେ ଯୁବକମାନେବି ଉପସ୍ଥିତ ରହୁଥାନ୍ତି । ଗାଁର ଯୁବକ ସଂଘ ଓ ବୋଲବମ୍ ସଂଘରେ ଏକତା ଅତି ପ୍ରବଳ । ଗାଁରେ ହୋଇଥିବା ଏକ ସଭାର ପାଇପ ପ୍ରକଳ୍ପ ଆଲୋଚନା ଶୁଣିବା ପରେ ବୋଲବମ୍ କମିଟୀରେ ସ୍ୱତନ୍ତ୍ର ଭାବରେ ତାହାକୁ ନେଇ ଆଲୋଚନା ହେଇଥିଲା ଯେଉଁଠି ତେଜରାଜଙ୍କ ପ୍ରସ୍ତାବରେ ମୋହର ବସିଥିଲା । ବୋଲବମ୍ କମିଟୀର ପ୍ରସ୍ତାବ ଅନୁସାରେ ଯୁବକମାନେ ଗାଁର ପ୍ରତ୍ୟେକ ଘରକୁ ଗଲେ ଏବଂ ଯୋଜନା ବିଷୟରେ କହିଲେ ।

ପ୍ରତି ମାସ ଚାନ୍ଦା ହିସାବରେ ଆଦାୟ ହୋଇଚାଲିଲା ୨୮୦୦ ଟଙ୍କା । ସେହି ଚାନ୍ଦାରୁ ଦିଆ ହେଉଛି ପମ୍ଫ୍ ଚାଳକଙ୍କ ଦରମା ଏବଂ ବିଦ୍ୟୁତ୍ ବିଲ୍ । ତାହା ସହିତ ସେହି ଚାନ୍ଦାରୁ ବୋଲବମ୍ କମିଟୀ ପ୍ରଦାନ କରିଥିବା ୨୭୦୦୦ ଟଙ୍କା ମଧ୍ୟ ପରିଶୋଧ ହୋଇସାରି ଏବେ ପାଣ୍ଠି ବଢିଚାଲିଛି । ଗାଁରେ ଏବେ ଏକ ଜଳ ପରିମଳ କମିଟୀ ଗଠିତ ହୋଇସାରିଛି । ସେହି କମିଟୀ ଚାନ୍ଦାର ହିସାବ ରଖିବା ସହିତ ପାନୀୟ ଜଳ ପ୍ରକଳ୍ପର ଦେଖରେଖ ଦାୟିତ୍ୱ ନେଇ ସାରିଲାଣି । ରେଙ୍ଗ ଗାଁର ସବୁ ଅଞ୍ଚଳକୁ ଏବେ ସୁଦ୍ଧା ପାଇପ ଜଳ ପହଞ୍ଚିପାରି ନାହିଁ । ଗ୍ରୀଷ୍ମ ଋତୁରେ ପାଣିର ଅଭାବ ମଧ୍ୟ ପଡ଼େ । କିନ୍ତୁ ଗାଁ ଲୋକେ ତଥାପି ବି ଅନ୍ୟ ଗାଁ ତୁଳନାରେ ଢେର ଭଲରେ ପାଣି ପାଉଛନ୍ତି ।''ଅଳ୍ପ କିଛି ଟଙ୍କାର ବିଦ୍ୟୁତ୍ ବିଲ ବକେୟା ପାଇଁ ଚାରି ବର୍ଷ ଧରି ଆମେ ପାଇପରେ ପାଣି ପାଉ ନଥିଲେ । ନିଜେ କଷ୍ଟ ଭୋଗୁଥିଲେ । ଏବେ ଆମେ ନିଜ ଦାୟିତ୍ୱ ନିଜ ହାତରେ ନେଇଛୁ । ଆମ ଗାଁର ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ ଓ ପରିବର୍ଦ୍ଧିତ କରିବା ପାଇଁ ଆମେ ଏବେ ଚେଷ୍ଟିତ'', କହନ୍ତି ଯୁବକମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଥିବା ତେଜରାଜ । କୁରେଶ୍ୱର ସରପଞ୍ଚ ମହୋଦୟା ନେପୁର ମାଝୀ ମଧ୍ୟ ଗ୍ରାମବାସୀଙ୍କ ଉଦ୍ୟମରେ ଉତଫୁଲ୍ଲିତ । ''ଗାଁ ଲୋକେ ଏମିତି କାମ କରି ଚାଲିଲେ ସରକାର ମଧ୍ୟ ନିଜ କାମ କରିବା ପାଇଁ ଚାପରେ ରହିବ'', କହନ୍ତି ନେପୁର । ଏବେ ରେଙ୍ଗ ଗାଁ ପାଖପଡ଼ୋଶୀ ଗାଁ ମାନଙ୍କ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛି । ପାଇପରେ ପାଣି ପାଇଁ ସେମାନେ ସରକାରଙ୍କ ପାଖରେ ନେହୁରା ହେଉନାହାନ୍ତି, ନିଜର କର୍ତ୍ତବ୍ୟ କରିଛନ୍ତି ଓ ଭବିଷ୍ୟତ ପାଇଁ ବାସ୍ତବ ଦାବୀ ରଖିଛନ୍ତି । ଖାଲି ଯେ ପାଇପରେ ପାଣି ପାଇ ପାରିଛନ୍ତି ତାହା ନୁହେଁ, ପାଉଥିବା ପାଣି କେମିତି ସ୍ୱଛ ଓ ସୁରକ୍ଷିତ ରହିବ ତାହାର ବି ନିରନ୍ତର ପ୍ରୟାସଚାଲିଛି । ନିୟମିତ ପାଣି ପରୀକ୍ଷା ହେଉଛି, ଷ୍ଟାଣ୍ଡ୍ ପୋଷ୍ଟ୍ ର ପରିବେଶ ସଫାସୁତୁରା ରହୁଛି । ଏବେ ରେଙ୍ଗର ରଙ୍ଗ ବଦଳିଛି ।
Posted by